ଭୁବନେଶ୍ୱର: ମୋହନ ମାଝୀ ସରକାରଙ୍କୁ ବର୍ଷେ ବି ପୂରିନି । ଅଥଚ ସରକାରଙ୍କ ଉପରୁ ଅନେକ ଆଇଏଏସ୍/ଅଫିସରମାନଙ୍କ ମନ ଛାଡ଼ିଗଲାଣି । ବିଜେଡି ସରକାରରେ ପାଣ୍ଡିଆନଙ୍କ ଶାସନରୁ ମୁକ୍ତି ପାଇଁ ତ୍ରାହି ତ୍ରାହି ଡାକ ଦେଉଥିବା ବାବୁମାନେ ମୋହନଙ୍କ ୧୧ ମାସର ସରକାରରେ ସମଦଶା ଭୋଗିଲେଣି । ହାତଗଣତି କିଛି ବାବୁଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କର ଯଥା ପୂର୍ବଂ ତଥା ପରଂ ଅବସ୍ଥା । ଯେଉଁମାନଙ୍କୁ ଦଣ୍ଡ ମିଳିବ ବୋଲି ଆଶା କରାଯାଉଥିଲା ସେମାନଙ୍କୁ ପୁରସ୍କୃତ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦେଇଥିବା ନିକୁଞ୍ଜ ବିହାରୀ ଧଳଙ୍କ ଅପମାନଜନକ ପ୍ରସ୍ଥାନ ସମସ୍ତଙ୍କୁ ଚକିତ କରିଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କ୍ଷମତା ମଙ୍ଗ ଧରିବାକୁ ନେଇ ସିନିୟର୍-ଜୁନିୟର୍ କଳି ଲୋକସେବା ଭବନ କରିଡରରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି ।
ଓଡିଆ ଅସ୍ମିତାକୁ ବିଜେଡି ବିରୋଧୀ ପ୍ରଚାରର ମୁଖ୍ୟ ଅସ୍ତ୍ର କରି କ୍ଷମତାକୁ ଆସିଲା ବିଜେପି । ଭି.କେ ପାଣ୍ଡିଆନ୍, ଡି.ଏସ୍ କୁଟ୍ଟେ, ଆଶିଷ ସିଂ, ଜି. ମାଥିଭାଥନନ୍, ଭିନୀଲ୍ କ୍ରୀଷ୍ଣା, ରବି କାନ୍ତଙ୍କ ଭଳି ଅଣଓଡିଆ ଅଫିସରମାନଙ୍କ ପ୍ରାଦୁର୍ଭାବ କଥା କହି ବିଜେପି ଏହି ‘ଓଡିଆ ଅସ୍ମିତା’ ପ୍ରସଙ୍ଗ ଆଣିଥିଲା । ବିଜେଡି ସରକାରର ଏଜେଣ୍ଟ ସାଜି ଏମାନେ ଓଡ଼ିଶାକୁ ଲୁଟିଛନ୍ତି ବୋଲି ବିଜେପି ଅଭିଯୋଗ ଆଣି ସେମାନଙ୍କ ଅଣ୍ଟା ଭାଙ୍ଗି ଦେବାକୁ ସଂକଳ୍ପ ନେଇଥିଲା । ମାତ୍ର କ୍ଷମତାକୁ ଆସିଲା ପରେ ସେସବୁ ଭୁଲିଗଲା । କାହାର କିଛି ହେଲା ନାହିଁ । ବରଂ ମୋହନ ସରକାରଙ୍କ କୃପା ଓ ଆଶୀର୍ବାଦରେ ସେହି ବାବୁମାନେ ଯେଝା ବାଟରେ ଅଧିକ ଖୁସିରେ ଅଛନ୍ତି ।
ଅନ୍ୟପକ୍ଷରେ ଗତ ପ୍ରାୟ ୧୦ ବର୍ଷ ଧରି ଅଣନିଶ୍ୱାସୀ ହୋଇ ରହିଥିବା ଦକ୍ଷ ଅଫିସରମାନଙ୍କର ଅବସ୍ଥାରେ ପରିବର୍ତ୍ତନ ଆସିନାହିଁ । ହାତଗଣତି କିଛି ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବିଶ୍ୱାସକୁ ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେଇଥିବା ବେଳେ ଅନ୍ୟମାନେ ସେମିତି ପଡ଼ିଛନ୍ତି । ବିଜେପି ପାଇଁ ସମର୍ଥନ ଯୋଗାଡ଼ରେ ସହାୟକ ହୋଇଥିବା ଅଧିକାଂଶ ଅଧିକାରୀମାନଙ୍କ ପ୍ରତି ମୋହନ ସରକାର ଆଖି ବୁଜି ଦେଇଥିବା ବେଳେ ପୂର୍ବ ସରକାରରେ ପାଣ୍ଡିଆନ୍ ମାର୍କା ଅଧିକାରୀ କୁହାଯାଉଥିବା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଓଇଆରସି ଅଧ୍ୟକ୍ଷ ପଦରେ ଥଇଥାନ କରିବା ସେମାନଙ୍କୁ ନିରୁତ୍ସାହିତ କରିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦପ୍ତରରୁ ନିକୁଞ୍ଜ ବିହାରୀ ଦଳଙ୍କ ଅପମାନଜନକ ବିଦାୟ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଧଳ ୨୦୨୪ ନିର୍ବାଚନକୁ ପରିଚାଳନା କରିଥିଲେ । ବିଜେଡିର ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନଙ୍କ ପ୍ରତି ତାଙ୍କର କଠୋର ମନୋଭାବ ତାଙ୍କୁ ବିଜେପି ପ୍ରେମୀ ଅଫିସରର ଆଖ୍ୟା ଦେଇଥିଲା । ରାଜ୍ୟରେ ବିଜେପିର ବିଜୟ ପଛରେ ତାଙ୍କର ଭୂମିକା ଚର୍ଚ୍ଚାର ବିଷୟ ପାଲଟିଥିଲା । ମୋହନ ମାଝୀ ଦାୟିତ୍ୱ ନେଲା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିଲା । ହେଲେ ଦୁଇ ତିନି ମାସ ପରେ ଗଡ଼ବଡ଼ ଆରମ୍ଭ ହେଲା । ମୁଖ୍ୟମନ୍ତ୍ରୀ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଥିଲେ ବୋଲି ଚର୍ଚ୍ଚା ହେଲା । ଶ୍ରୀ ଧଳ ଏଥିରେ କୁଆଡ଼େ ଅତିଷ୍ଠ ହୋଇ କେନ୍ଦ୍ରୀୟ ଡେପୁଟେସନ୍ ରେ ଚାଲିଯିବାକୁ ମନସ୍ଥ କରିଥିଲେ ।
ଇତିମଧ୍ୟରେ ଶ୍ରୀ ଧଳଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ରେ ଯିବାକୁ ଅନୁମତି ମିଳିଥିଲା ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗର ସଚିବ ଭାବେ ନିଯୁକ୍ତି ଆଦେଶ ବି ବାହାରି ସାରିଥିଲା । ଜୁଲାଇ ମାସରେ ଅବସର ପରେ ଶ୍ରୀ ଧଳ ଦାୟିତ୍ୱ ନେଇଥାନ୍ତେ । କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କର ଉପସ୍ଥିତିକୁ ତିଳେ ମାତ୍ର ସହ୍ୟ କରିବା ଅବସ୍ଥାରେ ନ ଥିଲେ । ଦୁଇ ମାସ ଆଗରୁ ରାଜ୍ୟ ସରକାର ତାଙ୍କୁ ଅଚାନକ କାର୍ଯ୍ୟରୁ ଅନ୍ତର କରିଥିଲେ । ଶ୍ରୀ ଧଳ ଏହି ଅପମାନକୁ ଖୁସିରେ ଗ୍ରହଣ କରି ବିଦାୟ ନେଇଛନ୍ତି ।
ଶ୍ରୀ ଧଳଙ୍କ ପୂର୍ବରୁ ଅରବିନ୍ଦ ଡାକୁଆ ମାତ୍ର ତିନି ମାସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଦାୟ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ହେଲେ ୬ ମାସ ନ ପୂରୁଣୁ ସେ ଛାଟିପିଟି ହୋଇ ପଳେଇଲେ । ତାଙ୍କ ପରେ ନିଯୁକ୍ତି ପାଇଥିବା ମନୋଜ ସାହୁ ଏଠୁ ଫେରିଯିବା ପାଇଁ ବାଟ ଖୋଜିଲେଣି ବୋଲି ଅଫିସରମହଲରେ ଆଲୋଚନା ହେଉଛି । ଇଣ୍ଟର କ୍ୟାଡର ଡେପୁଟେସନ୍ ରେ ଏଇ ଜାନୁଆରୀରେ ଓଡ଼ିଶାକୁ ଆସିଛନ୍ତି ୨୦୦୬ ବ୍ୟାଚ୍ ର ଏହି ଆଇଏଏସ୍ ଅଧିକାରୀ । ହେଲେ ମାସ କେଇଟାରେ ତାଙ୍କର ମନ ଛାଡିଗଲାଣି ।
ଚର୍ଚ୍ଚା ହେଉଛି ଯେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଜଣେ ଜୁନିୟର୍ ଅଧିକାରୀ ଶ୍ରୀ ସାହୁଙ୍କୁ ଅଣଦେଖା କରି ନିଜର ରାଜ୍ ଆରମ୍ଭ କରିଦେଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀଙ୍କର ନିରବ ସମ୍ମତି ଥିବାରୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ପ୍ରଶାସନିକ କାର୍ଯ୍ୟରେ ଭୀଷଣ ବାଧା ସୃଷ୍ଟି କରୁଛି । ନିଜର ସମ୍ମାନ ଜଗି ଶ୍ରୀ ସାହୁ ଯେ କୌଣସି ମୁହୁର୍ତ୍ତରେ ଓଡ଼ିଶା ଛାଡ଼ିଦେଇପାରନ୍ତି ବୋଲି କୁହାଯାଉଛି ।
ଏପଟେ ଶ୍ରୀ ଧଳଙ୍କ ଜାଗାରେ ଆଉ କାହାରିକୁ ଏ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇନାହିଁ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, କୃଷି ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କ ନାଁ ଏହି ପଦବୀ ପାଇଁ ଚର୍ଚ୍ଚା ହେଉଥିଲା । ଇତିମଧ୍ୟରେ ସତ୍ୟବ୍ରତ ସାହୁ କେନ୍ଦ୍ରୀୟ ଡେପୁଟେସନ୍ ରେ ଯିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । କ୍ୟାବିନେଟ୍ ନିଯୁକ୍ତି କମିଟି ତାଙ୍କର ଆବେଦନକୁ ଗ୍ରହଣ କରିଛନ୍ତି । ଶାଶ୍ୱତ ମିଶ୍ରଙ୍କ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀଙ୍କର ଟ୍ୟାଗ୍ ଲାଗିଥିବାରୁ ଅଡୁଆ ଅଛି । ତେଣୁ ଅରବିନ୍ଦ ପାଢ଼ୀଙ୍କ ନାଁ ଏକରକମ ଚୂଡ଼ାନ୍ତ ବୋଲି କୁହାଯାଉଛି । ରଥଯାତ୍ରା ପରେ ତାଙ୍କୁ ନିଯୁକ୍ତି ମିଳିପାରେ । ତେବେ ତାଙ୍କୁ ଏକ ଗୋଷ୍ଠୀ ବିରୋଧ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଡ଼ ଚାଲେଂଜ ହେବ ।
ସୂଚନାଥାଉକି, ରାଜ୍ୟ ପ୍ରଶାସନକୁ ନିୟନ୍ତ୍ରଣ କରିବାରେ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି । ପ୍ରଶାସନରେ ଦୁର୍ନୀତି ଓ ଅରାଜକତା କାୟା ବିସ୍ତାର କରିଛି । ବିଡିଓ ବାବୁମାନେ ବି ମୁଖ୍ୟମନ୍ତ୍ରୀଙ୍କୁ ମାନୁନାହାନ୍ତି ବୋଲି ନିଜେ ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଆସିଲେ ବିଡିଓ ଟିଭି ବନ୍ଦ କରିଦେଉଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ଖଣି ଚୋରି ବେଧଡ଼କ ଭାବେ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି । ଏଥିରୁ ମୁଖ୍ୟମନ୍ତ୍ରୀଙ୍କର ଅସହାୟତା ବାରି ହୋଇପଡୁଛି ।







