ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ପୁଣି ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା କାଲି ଅର୍ଥାତ୍ ୧୯ ଓ ୨୦ ତାରିଖ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସବୁ ସରକାରୀ/ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ପୂର୍ବରୁ ଏପ୍ରିଲ୍ ୧୨ ରୁ ୧୬ ତାରିଖ ଯାଏ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ ତାରିଖ ସଂଧ୍ୟାରେ ଜାପାନରୁ ଫେରିଲା ମାତ୍ରେ ଗ୍ରୀଷ୍ମ ପ୍ରବାହ ସ୍ଥିତିର ସମୀକ୍ଷା କରି ଏହି ଛୁଟି ଘୋଷଣା କରିଥିଲେ ।
ତେବେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ସତ୍ତ୍ୱେ ସତ୍ତ୍ୱେ ପରବର୍ତ୍ତୀ ସମୟରେ ଛୁଟି ଆଉ ବଢ଼ି ନ ଥିଲା । ଗତ ଦୁଇଦିନ ଧରି ପିଲାମାନେ ଅସହ୍ୟ ତାତି ଓ ଗୁଳୁଗୁଳିରେ ସ୍କୁଲ ଯାଇ ଛଟପଟ ହୋଇଥିଲେ । ଯାହା ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା ।
ଆଜି ମଧ୍ୟ ଭୁବନେଶ୍ୱର ଓ କଟକ ସମେତ ସମଗ୍ର ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସରକାର ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି । ଆଜି ଭୁବନେଶ୍ୱରରେ ରେକର୍ଡ ତାପମାତ୍ର ୪୨.୭ ଏବଂ କଟକରେ ୪୨.୫ ଡିଗ୍ରୀ ରହିଥିଲା । ଟୁଇନ୍ ସିଟିକୁ ମିଶାଇ ୧୭ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ଥିଲା । ବଲାଙ୍ଗୀର ଓ ବୌଦ୍ଧରେ ୪୩.୭, ନୂଆପଡ଼ା ୪୩.୬, ଟିଟିଲାଗଡ଼ ଓ ସୋନପୁର ୪୩.୨, ଅନୁଗୁଳ ୪୩.୧, ସମ୍ବଲପୁର ଓ ସୁନ୍ଦରଗଡ଼ ୪୩, ତାଳଚେର ୪୨.୮ଡିଗ୍ରୀ ରେକର୍ଡ କରାଯାଇଛି ।