ଭୁବନେଶ୍ୱର: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମପ୍ରାନ୍ତ ଶାଖା ପକ୍ଷରୁ ଆସନ୍ତାକାଲି ଅବିଭକ୍ତ କୋରାପୁଟ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୪ ଟି ଜିଲ୍ଲାରେ ବନ୍ଦ ପାଳନ କରାଯିବ ।
ବନ୍ଦ ଡାକରା ଦିଆଯାଇଥିବା ଏହି ଜିଲ୍ଲାଗୁଡ଼ିକ ହେଲା- ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ।
ବିଶ୍ୱ ହିନ୍ଦୁ ପରିଷଦର ଏହି ବନ୍ଦ ଡାକରାକୁ ନେଇ ରାଜନୈତିକ ଉଷ୍ଣତା ସୃଷ୍ଟି ହୋଇଛି । ବଜରଙ୍ଗ ଦଳ ଓ ବିଜେପି ଏହାକୁ ସମର୍ଥନ ଘୋଷଣା କରିବା ସହ ବନ୍ଦକୁ ସଫଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେପଟେ ବିଜେପିର ଆଭିମୁଖ୍ୟକୁ ବିଜେଡି କଡ଼ା ସମାଲୋଚନା କରିଛି । ସମ୍ବଲପୁରରେ ଶାନ୍ତି ଫେରୁଥିବା ବେଳେ ବିଜେପିର ଏପରି ରାଜନୀତି ଦୁର୍ଭାଗ୍ୟଜନକ ବୋଲି ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର ଏକ ପ୍ରେସ୍ ବିବୃତିରେ କହିଛନ୍ତି ।
ସେ କହିଛନ୍ତି, ବିଜେପି ହୀନ ରାଜନୈତିକ ଷଡ଼ଯନ୍ତ୍ର କରି ସାଢ଼େ ୪ କୋଟି ଓଡ଼ିଆ ଏବଂ ଓଡ଼ିଶାକୁ ବଦନାମ କରୁଛି । ଓଡ଼ିଶା ବିରୋଧରେ ଏହା ଓଡ଼ିଶା ବିଜେପିର ସବୁଠୁ ବଡ଼ ଅପମାନ । ଆସନ୍ତାକାଲି ୧୯ ତାରିଖରେ ବିଜୁ ଜନତା ଦଳ ସାରା ଓଡ଼ିଶାରେ ଶାନ୍ତି ଶୋଭାଯାତ୍ରା କରିବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।