ଭୁବନେଶ୍ୱର: ଆମ ରାଜ୍ୟର ଏକ ଟିଭି ଚାନେଲ୍ ତାନ୍ତ୍ରିକ ବେଶଧାରୀ ଜଣେ ବ୍ୟକ୍ତିଙ୍କ ମୁହଁରେ ବୁମ୍ ଗେଞ୍ଜି ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପ୍ରେତାତ୍ମାର ସବାର କାହାଣୀ ଲୋକଙ୍କୁ ଶୁଣାଇଛି । ସଂପୃକ୍ତ ବ୍ୟକ୍ତି ପେତାତ୍ମା ସଂଘର ସଭାପତି ଭାବେ ନିଜକୁ ପରିଚୟ ଦେଉଛି । ପିଲାଙ୍କୁ ଆଈ ମା’ ଭୂତକାହାଣୀ ଶୁଣାଇଲା ଭଳି ଦର୍ଶକଙ୍କ ମଜାକ୍ ଉଡ଼ାଇ କ୍ୟାମେରା ଆଗରେ ଅନର୍ଗଳ ଗପିଛି । ସଂପୃକ୍ତ ଟିଭି ଚାନେଲ୍ ଏହାକୁ ପ୍ରସାରଣ କରିବା ପରେ ଓଡ଼ିଆ ଶବ୍ଦ ବନାନ ଜାଣି ନ ଥିବା କର୍ମଚାରୀଙ୍କ ଦ୍ୱାରା କ୍ୟାପସନ୍ ଲେଖାଇ ୟୁ ଟ୍ୟୁବ୍ ରେ ଅପଲୋଡ଼ କରିଛି ।
ଆମ ସାମ୍ବାଦିକତା କେଉଁସ୍ତରକୁ ଗଲାଣି ଏହା ହେଉଛି ତାହାର ଏକ ନିଚ୍ଛକ ଉଦାହରଣ । ଏହି ଚାନେଲ୍ ଟି ସ୍ୱର୍ଗତ ନବ ଦାସଙ୍କୁ ନେଇ ଏକ ଅବାସ୍ତବ ଚିତ୍ରନାଟ୍ୟକୁ ଟିଭିରେ ବଜାଇବାକୁ ସାମାନ୍ୟତମ ସଙ୍କୋଚ କରିନି । ସମ୍ବାଦ ପରିବେଷଣ ନାଁରେ ଏଭଳି ବିଚିତ୍ର ଖବର କିଛି ଲୋକଙ୍କ ପାଇଁ କୌତୁହଳ ଆଣୁଥିଲେ ମଧ୍ୟ ଅନେକ ବ୍ୟକ୍ତିଙ୍କୁ ଉଦବେଳିତ କରିଛି । ସାମ୍ବାଦିକତାର ମାନକୁ ନେଇ ସାଧାରଣ ଜନତାଙ୍କ ପ୍ରତିକ୍ରିୟା ସୋସିଆଲ୍ ମିଡିଆ କମେଣ୍ଟ ରୁ ବୁଝିହେଉଛି ।
କେବଳ ଏହି ନିର୍ଦ୍ଦିଷ୍ଟ ଚାନେଲ୍ ନୁହେଁ, ଆମ ରାଜ୍ୟର ପ୍ରମୁଖ ଚାନେଲ ଏବଂ ସେମାନଙ୍କ ଡିଜିଟାଲ୍ ପ୍ଲାଟଫର୍ମ ସମ୍ବାଦ ପରିବେଷଣ ନାଁରେ ଲୋକଙ୍କ ମଜାକ୍ ଉଡାଇବାକୁ ପଛାଉନାହାନ୍ତି । ଭିୟୁର୍ସ ବଢ଼ାଇବା ପାଇଁ ସେମାନେ ଶସ୍ତା ରାସ୍ତା ଆପଣାଇ ମିଥ୍ୟା, ଅଶ୍ଲୀଳ, ଅବାସ୍ତବ ଖବର ପରିବେଷଣ ନାଁରେ ଲୋକଙ୍କୁ କେବଳ ଭ୍ରମିତ କରୁଛନ୍ତି । ଲୋକଙ୍କୁ ପ୍ରେତାତ୍ମା ଦେଖାଉଛନ୍ତି, ପାଞ୍ଜି ପଢ଼ି ଭବିଷ୍ୟତ ନିର୍ଣ୍ଣୟ କରୁଛନ୍ତି ।
ନାମ ଠିକଣା ନ ଥିବା କିଛି ହାତଗଣତି ୱେବ୍ ପୋର୍ଟାଲ୍ ପୂର୍ବରୁ କେବଳ ଶସ୍ତା ଓ ଅଶ୍ଲୀଳ ଖବର କରୁଥିଲେ । ଭିତର ଷ୍ଟୋରି ସହ ସମ୍ପର୍କ ନ ଥିବା ଫଟୋ ଓ କ୍ୟାପସନ୍ କୁ ଥମ୍ବନେଲ୍ କରି ପାଠକଙ୍କୁ ଆକର୍ଷିତ କରୁଥିଲେ । ବୋଧହୁଏ ଏଭଳି ଷ୍ଟୋରିରେ ବିପୁଳ ସେୟାର, ଲାଇକ୍ ଆସିବା ଦେଖି ପ୍ରମୁଖ ଚାନେଲ ଏବଂ ସେମାନଙ୍କ ୱେବ୍ ପୋର୍ଟାଲ୍ ଗୁଡ଼ିକ ସେଇ ଧାରାକୁ ଆପଣେଇଛନ୍ତି । ରୋଜଗାର ଓ ଲୋକପ୍ରିୟତା ବଢ଼ାଇବା ପାଇଁ ସେମାନେ ସାମ୍ବାଦିକତାର ଇଜ୍ଜତ ବିକିବାକୁ ଶ୍ରେୟ ମଣିଛନ୍ତି ।
ଅଳ୍ପଦିନ ତଳେ ଏକ ପ୍ରମୁଖ ଚାନେଲ୍ ର ପୋର୍ଟାଲ୍ ସଂସ୍କରଣରେ ପ୍ରଥମ ଥରରେ କୃତକାର୍ଯ୍ୟ ହୋଇଥିବା ୬ ଜଣ ଆଇଏଏସ୍ ଙ୍କର ଏକ ଷ୍ଟୋରିରେ ଓଡ଼ିଆ ଝିଅ ରୂପା ମିଶ୍ରଙ୍କ ବିଷୟରେ ଭ୍ରମାତ୍ମକ ତଥ୍ୟ ଦିଆଯାଇଛି । ଯେଉଁ ସାମ୍ବାଦିକ ବନ୍ଧୁ ଏହି ଷ୍ଟୋରିଟି ପ୍ରସ୍ତୁତ କରିଛନ୍ତି ତାଙ୍କର ସାମାନ୍ୟତମ ଜ୍ଞାନ ଥିବା ଜଣାପଡୁନାହିଁ । ଓଡ଼ିଆ ଝିଅ ରୂପା ମିଶ୍ର ୨୦୦୩ ମସିହାରେ ଆଇଏଏସ୍ ଟପ୍ପର ହୋଇଥିଲେ । ଏକଥା ସଂପୃକ୍ତ ସାମ୍ବାଦିକ ଜାଣିନଥିବାରୁ ଉଲ୍ଲେଖ କରିନାହାନ୍ତି । ପୁଣି ରୂପା ମିଶ୍ର ମଧ୍ୟପ୍ରଦେଶର ବୋଲି ମଧ୍ୟ ସେହି ଷ୍ଟୋରିରେ ଟିପିଛନ୍ତି । ଏଭଳି ଭ୍ରମାତ୍ମକ ଖବର ଗୋଟିଏ ଏକ ନମ୍ବର ସଂସ୍ଥାରୁ ଆଶା କରାଯାଏନି ବୋଲି ଜଣେ ଅବସରପ୍ରାପ୍ତ ପ୍ରଶାସକ କ୍ଷୋଭ ପ୍ରକାଶ କରିଛନ୍ତି ।
କେବଳ ଏଇ ଗୋଟିଏ ଯୋଡିଏ ନୁହେଁ । ପ୍ରତିଦିନ ଏଭଳି ଅନେକ ଭ୍ରମାତ୍ମକ, ତନ୍ତ୍ରମନ୍ତ୍ର, ଭାଗ୍ୟ ଭବିଷ୍ୟତ ଏବଂ ପରୀ ରାଇଜର କାହାଣୀ ଆସିଲାଣି ଏହି ପ୍ରମୁଖ ପ୍ଲାଟଫର୍ମଗୁଡ଼ିକରେ । ଶସ୍ତା ଉପାୟରେ ଅର୍ଥ ଉପାର୍ଜନର ବାଟ ଜାଣି ମାଲିକମାନେ ଏଥିପାଇଁ ପୃଷ୍ଠପୋଷକତା ଯୋଗାଇ ଦେଉଛନ୍ତି । ଏଥିପାଇଁ ସାମ୍ବାଦିକତାର ଆବଶ୍ୟକତା ନ ଥିବାରୁ ଖୁବ୍ କମ ପଇସାରେ କାମ କରିବାକୁ ପିଲା ବି ମିଳିଯାଉଛନ୍ତି ।
ତେବେ ଅଶ୍ଲୀଳ, ଅବାସ୍ତବ ଓ ଅସତ୍ୟ ଖବର ପରିବେଷଣ କରୁଥିବା କିଛି ଅନାମଧ୍ୟେୟ ୱେବ୍ ଚାନେଲ୍ କୁ ଆମର ପ୍ରମୁଖ ମିଡିଆ ହାଉସ୍ ଗୁଡ଼ିକ ଆଦର୍ଶ କରିବାର ଟ୍ରେଣ୍ଡ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି । ସମାଜ ଉପରେ ଏହାର କୁପ୍ରଭାବ ପଡ଼ିବ ବୋଲି ସେମାନେ ଆଶଙ୍କା କରିଛନ୍ତି ।