ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲଗୁଡ଼ିକ ପାଇଁ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ଆସନ୍ତାକାଲି ୨୧ ତାରିଖରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଓ ଅନୁଦାନପ୍ରାପ୍ତ ସ୍କୁଲ ବନ୍ଦ ରହିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ସ୍କୁଲଗୁଡ଼ିକ ଖୋଲାଯିବ । ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି ।
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ଦୁଇ ଦୁଇ ଥର ସ୍କୁଲ ଏବଂ ଅଙ୍ଗନବାଡ଼ିକୁ ଛୁଟି ଘୋଷଣା କରାଯାଇଥିଲା । ପ୍ରଥମେ ଚଳିତମାସ ୧୨ ରୁ ୧୬ ପର୍ଯ୍ୟନ୍ତ ଛୁଟି ହୋଇଥିଲା ବେଳେ ଦ୍ୱିତୀୟଥର ୧୯ ଓ ୨୦ ତାରିଖ ଦୁଇଦିନ ଛୁଟି ଘୋଷଣା ହୋଇଥିଲା । ପାଠପଢ଼ା ସମୟ ସକାଳ ୭ଟାରୁ ୧୧ଟା ରଖାଯାଇଥିଲା ।
ସୂଚନାଯୋଗ୍ୟ, ପ୍ରତିବର୍ଷ ମେ’ ପ୍ରଥମ ସପ୍ତାହରୁ ସ୍କୁଲଗୁଡ଼ିକରେ ଖରାଛୁଟି ଆରମ୍ଭ ହୋଇ ଜୁନ୍ ଦ୍ୱିତୀୟ ସପ୍ତାହ ରଜ ପରେ ଖୋଲିଥାଏ । ହେଲେ ଏବର୍ଷ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ମୁଖ୍ୟମନ୍ତ୍ରୀ ଏପ୍ରିଲ୍ ୨୧ ତାରିଖରୁ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ।







