ନୂଆଦିଲ୍ଲୀ/ଭୁବନେଶ୍ୱର: ମାନହାନି ମାମଲାରେ ତଳ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ରାହୁଲ ଗାନ୍ଧୀଙ୍କୁ ପୁଣି ଝଟକା । ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ରହିତାଦେଶ ଜାରି ଲାଗି ରାହୁଲଙ୍କ ଆବେଦନକୁ ସୁରତ ସେସନ୍ କୋର୍ଟ ଖାରଜ କରିଦେଇଛନ୍ତି ।
ଗତ ୧୩ ତାରିଖ ଦିନ ଉଭୟ ପକ୍ଷର ଶୁଣାଣି କରି ସେସନ୍ କୋର୍ଟର ଅତିରିକ୍ତ ସେସନସ୍ ଜଜ୍ ଆର.ପି. ମୋଗେରା ଏପ୍ରିଲ୍ ୨୦ ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷଣ ରଖିଥିଲେ । ଆଜି କୋର୍ଟ ଏହି ରାୟ ଶୁଣାଇଛନ୍ତି ।
୨୦୧୯ ସାଧାରଣ ନିର୍ବାଚନ ବେଳେ କର୍ଣ୍ଣାଟକରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କର ଏକ ଆକ୍ଷେପୋକ୍ତି ତାଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି । ଏକ ମାନହାନି ମାମଲାର ବିଚାର କରି ତଳ କୋର୍ଟ ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲା । ଏହାପରେ ଲୋକସଭା ସଚିବାଳୟ ପକ୍ଷରୁ ତାଙ୍କର ସଭ୍ୟପଦ ତୁରନ୍ତ ରବ୍ଦ କରାଯାଇଥିଲା । ତଳକୋର୍ଟର ଏହି ରାୟକୁ ରାହୁଲ ଚାଲେଂଜ କରି ସୁରତ୍ ର ସେସନ୍ କୋର୍ଟକୁ ଯାଇଥିଲେ ।
ରାହୁଲଙ୍କ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଜି ଅପରାହ୍ନରେ କଂଗ୍ରେସ ପକ୍ଷରୁ ଏକ ପ୍ରେସମିଟ୍ ରେ ସୂଚନା ଦିଆଯିବ ବୋଲି କୁହାଯାଇଛି ।







