ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବୁଧବାର ଅନୁଷ୍ଠିତ ହେବ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ସୁରୁଖୁରୁ ମତଦାନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ୩୦ ଟି ଯାକ ଜିଲ୍ଲାର ୭୧ବ୍ଲକ୍ ଅଧୀନରେ ଥିବା ୨୦୦ ଜିଲ୍ଲା ପରିଷଦ ଜୋନ୍ ରେ ମତଦାନ ହେବ । ଏଥିରେ ରହିଛି ୧,୬୬୯ ପଞ୍ଚାୟତ ଏବଂ ୨୨,୩୭୯ ୱାର୍ଡ । ୨୦୦ ଜିଲ୍ଲା ପରିଷଦ ସଭ୍ୟ, ୧,୬୬୯ ସରପଞ୍ଚ, ୧,୬୬୯ ସମିତି ସଭ୍ୟ ଓ ୨୨, ୩୭୦ ୱାର୍ଡ ମେମ୍ବରଙ୍କୁ ବାଛିବେ ଭୋଟର । ୨୦୦ ଜିଲ୍ଲା ପରିଷଦ ଜୋନ୍ ରେ ୭୨୬ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।
ଏହି ପର୍ଯ୍ୟାୟରେ ସମୁଦାୟ ୬୭.୫୧ ଲକ୍ଷ ଭୋଟର ୨୨, ୩୭୯ ବୁଥ୍ ରେ ମତଦାନ ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୩, ୩୫୭ ବୁଥ୍ ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଛି । ତେବେ ସବୁଠି ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।
ଭୋଟର ଆଇଡି ଭାବେ ପାନ୍, ଆଧାର, ପାସପୋର୍ଟ ସମେତ ୧୩ ଟି ପରିଚୟପତ୍ର ଗ୍ରହଣ ହେବ । ଭୋଟରମାନେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ । କୋଭିଡ୍ ପଜିଟିଭ୍ ଥିବା ଭୋଟରମାନେ ସବା ଶେଷରେ ଭୋଟ ଦେବେ ।
ଭୋଟରମାନେ ପ୍ରଥମେ ସରପଞ୍ଚ, ପରେ ୱାର୍ଡ ମେମ୍ବର, ତା’ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଭୋଟ୍ ଦେବେ । ସରପଞ୍ଚ ପଦବୀ ଲାଗି ଗୋଲାପୀ,ୱାର୍ଡ ମେମ୍ବର ପାଇଁ ହଳଦିଆ, ସମିତି ସଭ୍ୟ ପାଇଁ ନୀଳ ଏବଂ ଜିଲ୍ଲା ପରିଷଦ ପାଇଁ ଧଳା ରଙ୍ଗର ବାଲାଟ୍ ପେପର୍ ରେ ଭୋଟର ଭୋଟ ଦେବେ ।