ମୁମ୍ବାଇ: ବଲିଉଡ୍ ର ‘ଡିସ୍କୋ କିଙ୍ଗ୍’ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ବାପି ଲାହିରି ଆଉ ନାହାନ୍ତି । ୬୯ ବର୍ଷ ବୟସରେ ଗତକାଲି ରାତିରେ ସେ ଆଖି ବୁଜି ଦେଇଛନ୍ତି । ଏଥିସହ ବଲିଉଡ୍ ସଙ୍ଗୀତ ଜଗତରୁ ଆଉ ଜଣେ କିମ୍ବଦନ୍ତୀ କଳାକାର ବିଦାୟ ନେଇଛନ୍ତି । ବାପି ଲାହିରିଙ୍କ ମୃତ୍ୟୁ ବଲିଉଡ୍ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
ଗତବର୍ଷ ଶ୍ରୀ ଲାହିରି କୋଭିଡ୍ ରେ ସଂକ୍ରମିତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ କୋଭିଡ୍ ପରର ଜଟିଳତା ପାଇଁ ତାଙ୍କ ଦେହ ଭଲ ରହୁ ନ ଥିଲା । ମାସେ ତଳେ ତାଙ୍କ ଅବସ୍ଥା ଖରାପ ହେବାରୁ ପୁଣି ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ଗତ ସୋମବାର ଦିନ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ମଙ୍ଗଳବାର ଦିନ ସେ ପୁଣି ଥରେ ଗୁରୁତର ଅସୁସ୍ଥ ହୋଇଥିଲେ ଏବଂ ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ କ୍ରିଟିକେୟାର୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ୱେ ମଙ୍ଗଳବାର ରାତି ୧୧.୪୫ ମିନିଟ୍ ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଦେହରେ ମାଳ ମାଳ ସୁନା ଚେନ୍, ମୁଦି ଏବଂ ଆଖିରେ କଳା ଚଷମା ପିନ୍ଧୁଥିବା ରକଷ୍ଟାର୍ ବାପି ଲାହିରି ଅଶୀ ଓ ନବେ ଦଶକରେ ବଲିଉଡ୍ ରେ ଚହଳ ସୃଷ୍ଟି କରିଥିଲେ । ବଲିଉଡ୍ ରେ ଡିସ୍କୋ ଡ୍ୟାନସ୍ ଟ୍ରେଣ୍ଡ୍ ର ସେ ଥିଲେ ଜନକ । ଚଲତେ ଚଲତେ, ଡିସ୍କୋ ଡ୍ୟାନସର୍, ଶରାବି ଆଦି ଫିଲ୍ମରେ ତାଙ୍କର ଯାଦୁକରୀ ସଙ୍ଗୀତ ଫିଲ୍ମଗୁଡ଼ିକୁ ସୁପରହିଟ୍ କରିଥିଲା । ତାଙ୍କର ଲୋକପ୍ରିୟ ହିଟ୍ ଗୀତ ମଧ୍ୟରେ ଅଛି- ଆଇ ଆମ୍ ଏ ଡିସ୍କୋ ଡ୍ୟାନସର୍, ରାତ୍ ବାକି, ପାଗ୍ ଘୁଙ୍ଗୁୁରୁ, ବମ୍ବାଇ ସେ ଆୟା ମେରା ଦୋସ୍ତ, ନୈନୋ ମେଁ ସପନା, ତାକି ତାକି, ହମକୋ ଆଜ କଲ ହୈ ଇନ୍ତଜାର, ତମନ୍ନା ତମନ୍ନା, ୟାଦା ଆ ରହା ହୈ, ୟାର୍ ବିନା ଚେନ୍ କାହାଁରେ । ବଲିଉଡ୍ ରେ ତାଙ୍କର ଶେଷ ଗୀତ ଗତ ୨୦୨୦ ମସିହାରେ ରେକର୍ଡିଂ ହୋଇଥିଲା । ଫିଲ୍ମ ଥିଲା ବାଗୀ-୩ ।
ଆମେରିକାରେ ରହୁଥିବା ପୁଅ ମୁମ୍ବାଇରେ ପହଞ୍ଚିବା ପରେ ଆସନ୍ତାକାଲି ଶେଷକୃତ୍ୟ ସମ୍ପନ୍ନ ହେବ ।
ବାପି ଲାହିରିଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।