ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ପ୍ରଚାର ସଭା କରି ବିଜେଡି ବିରୋଧରେ ରଣହୁଙ୍କାର ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ମୁଖ୍ୟ ସହଯୋଗୀ କାର୍ତ୍ତିକ ପାଣ୍ଡିଆନଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି । ନବୀନଙ୍କ ବୟସ ଉପରେ କଟାକ୍ଷ କରିବାକୁ ବି ପଛାଇ ନାହାନ୍ତି । କହିଛନ୍ତି, ୨୫ ବର୍ଷ ଶାସନ କରି ନବୀନ ବାବୁ ଓଡ଼ିଶାକୁ ପଛକୁ ଠେଲି ଦେଇଛନ୍ତି । ନବୀନ ବାବୁଙ୍କ ବୟସ ବଢ଼ିଗଲାଣି । ଆଉ କାମ କରିପାରୁନାହାନ୍ତି । ଏଠି ବିଜେପି ଆସିଲେ, ୫ ବର୍ଷରେ ଆମେ ଓଡ଼ିଶାକୁ ନମ୍ବର ୱାନ୍ କରିଦେବୁ ବୋଲି କହିଛନ୍ତି ।
ଶ୍ରୀ ଶାହ ଆଜି ସମ୍ବଲପୁର, କେନ୍ଦୁଝରର ଚମ୍ପୁଆ, ଢ଼େଙ୍କାନାଳର ପରଜଙ୍ଗ, ଏବଂ ନୟାଗଡ଼ର ଲାଠିପଡ଼ାରେ ଆୟୋଜିତ ପ୍ରଚାର ସଭାକୁ ସମ୍ବୋଧିତ କରିଥିଲେ । ଚାରୋଟି ଯାକ ସଭାରେ ସେ ବିଜେଡି ସରକାରଙ୍କ ବିରୋଧରେ ମନଇଚ୍ଛା ବର୍ଷିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି କହିଥିଲେ ଯେ ନବୀନ ବାବୁ ଓଡ଼ିଶାକୁ ପଛକୁ ଠେଲିଛନ୍ତି । ତାଙ୍କର ବୟସ ବଢ଼ିଗଲାଣି । ଆଉ କାମ କରିପାରୁନାହାନ୍ତି । ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟି ଚିପିବାକୁ ଉଦ୍ୟମ କରିଛନ୍ତି । ଓଡ଼ିଶାରେ କୌଣସି ତାମିଲ ବାବୁ ଶାସନ କରିପାରିବେ ନାହିଁ । ବିଜେପି ଓଡ଼ିଆ ମୁଖ୍ୟମନ୍ତ୍ରୀ ଦେବ ।
ବିଜେପି ସରକାର ହେଲେ ଭ୍ରଷ୍ଟାଚାରୀଙ୍କୁ ଜେଲ୍ ରେ ପୂରାଯିବ । ରତ୍ନଭଣ୍ଡାର ଲୁଟେରାଙ୍କୁ ସଜା ଦିଆଯିବ । ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ । ବିଜେପି ସରକାର କ୍ଷମତାକୁ ଆସିବାର ୧୮ ମାସରେ ଚିଟଫଣ୍ଡ୍ ଦୋଷୀଙ୍କୁ ଜେଲ୍ ରେ ଠୁଙ୍କିବୁ ଏବଂ କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରାଇବୁ ବୋଲି ଶାହ କହିଥିଲେ ।
ଶ୍ରୀ ଶାହ ମାରାଥନ୍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଓଡ଼ିଶାରେ ୭୫ ରୁ ଅଧିକ ଆସନରେ ବିଜେପି ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଆମକୁ ୫ ବର୍ଷ ଦିଅ, ଆମେ ଓଡ଼ିଶାକୁ ନମ୍ବର ୱାନ୍ ରାଜ୍ୟ କରିବୁ ବୋଲି ଶାହ କହିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ରୀୟ ବିଜେପିର ଏବେ ମୁଖ୍ୟ ଫୋକସ ରାଜ୍ୟ ହେଉଛି ଓଡ଼ିଶା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ୍ ଶାହ, ଜେପି ନଡ୍ଡା ପ୍ରମୁଖ ଶୀର୍ଷ ନେତାମାନଙ୍କ ସହ ଦୁଇ ଡର୍ଜନ୍ ହେଭିୱେଟ୍ ନେତା ବାରମ୍ବାର ଏଠାକୁ ପ୍ରଚାର ପାଇଁ ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସମେତ ରାଜସ୍ଥାନ, ଛତିଶଗଡ଼ ରାଜ୍ୟର ବିଜେପି ନେତା ଓ ସଂଘ ପରିବାର ସଦସ୍ୟମାନେ ଓଡ଼ିଶାରେ ଡେରା ପକାଇ ତୃଣମୂଳସ୍ତରରେ ନିର୍ବାଚନ ପରିଚାଳନା ଦାୟିତ୍ୱ ବୁଝୁଛନ୍ତି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ତା’ର ରଣନୀତି ଅଧିକ ଶାଣିତ କରିଛି ।
ରାମାୟଣ ସିରିୟଲ୍ ରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ଆସନ୍ତାକାଲି ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସୁଛନ୍ତି । ଚମ୍ପୁଆ, ତେଲକୋଇ, ଢ଼େଙ୍କାନାଳ ଓ ବାଲିପାଟଣାରେ ସେ ନିର୍ବାଚନ ସଭାରେ ଯୋଗଦେଇ ଭୋଟ୍ ମାଗିବେ ।
ସେହିଭଳି ୨୩ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଆସିବେ । କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ ନଡ୍ଡାଙ୍କ ସଭା ଥିବା ବେଳେ ଚିଲିକା ଏବଂ ସାଲେପୁର କୁଳିଆରେ ଯୋଗୀ ଆଦିତ୍ୟ ନାଥ ପ୍ରଚାର ସଭାରେ ଯୋଗଦେବେ ।