ଭୁବନେଶ୍ୱର: ଗତକାଲି ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୩୪% ମତଦାନ ହୋଇଛି । କାଁ ଭାଁ ଗଣ୍ଡଗୋଳ ଛଡ଼ା ମୋଟାମୋଟି ଶାନ୍ତିପୂର୍ଣ୍ଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ସୂତ୍ରରୁ ଜଣାପଡ଼ିଛି ।
ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ଆସ୍କା, କନ୍ଧମାଳ, ବରଗଡ଼, ବଲାଙ୍ଗୀର ଏବଂ ସୁନ୍ଦରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ୩୫ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ହୋଇଥିଲା । ନିର୍ବାଚନ କମିସନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଲୋକସଭା କ୍ଷେତ୍ରରେ ସର୍ବାଧିକ ୭୬.୨୦% ମତଦାନ ହୋଇଥିଲା ବେଳେ କନ୍ଧମାଳ ଲୋକସଭା କ୍ଷେତ୍ରରେ ୭୦.୩୭% ମତଦାନ ହୋଇଛି । ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ୭୧.୪୬%, ସୁନ୍ଦରଗଡ଼ରେ ୬୭.୭୪% ମତଦାନ ହୋଇଛି । ଆସ୍କା ଲୋକସଭା କ୍ଷେତ୍ରରେ ସବୁଠାରୁ କମ୍ ୬୦.୭୮% ମତଦାନ ହୋଇଛି ।
ସୂଚନାଥାଉକି, ଗତ ୨୦୧୯ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୭୨.୦୯% ମତଦାନ ରେକର୍ଡ କରାଯାଇଥିଲା । ବରଗଡ଼ରେ ସର୍ବାଧିକ ୭୮.୩୭%, ବଲାଙ୍ଗୀରରେ ୭୪.୯୧%, କନ୍ଧମାଳରେ ୭୩.୧%, ସୁନ୍ଦରଗଡ଼ରେ ୭୧.୮୯% ଏବଂ ଆସ୍କାରେ ୬୫.୭୯% ମତଦାନ ରେକର୍ଡ ହୋଇଥିଲା ।