ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇ ଦଳବଦଳ କରିଥିବା ଆଉ ୪ ବିଧାୟକ ସଭ୍ୟପଦ ହରାଇବାକୁ ଯାଉଛନ୍ତି । ସେମାନେ ହେଲେ ନିମାପଡ଼ା ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଏବଂ ସୋର ବିଧାୟକ ପର୍ଶୁରାମ ଧଡ଼ା । ।
ବିଜେଡି ଟିକେଟରେ ନିର୍ବାଚିତ ଏହି ବିଧାୟକମାନେ ଚଳିତ ନିର୍ବାଚନରେ ଦଳୀୟ ଟିକେଟ୍ ରୁ ବଞ୍ଚିତ ହେଲା ପରେ ବିଜେଡିରୁ ଇସ୍ତଫା ଦେଇଥିଲେ । ସେମାନେ ବିଜେପିରେ ଯୋଗଦେଇଛନ୍ତି । ଦଳବଦଳ ନିରୋଧ ଆଇନ ଅନୁଯାୟୀ, ଏମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଗତକାଲି ବାଚସ୍ପତିଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରିଥିଲେ । ଏହି ପିଟିସନ୍ ଆଧାରରେ ବିଜେଡିରୁ ଇସ୍ତଫା ଦେଇଥିବା ସଂପୃକ୍ତ ୪ ବିଧାୟକଙ୍କୁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିର୍ଦ୍ଦେଶରେ ବିଧାନସଭା ସଚିବ ଆଜି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ସେମାନଙ୍କୁ କୁହାଯାଇଛି । କାହିଁକି ବିଧାୟକ ପଦ ରଦ୍ଦ ନ ହେବ ବିଧାୟକମାନେ ପକ୍ଷ ରଖିବେ ।
ସୂଚନାଯୋଗ୍ୟ, ଗତ ମାସରେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ କରିଥିଲେ ବାଚସ୍ପତି । ବିଜେଡି ଟିକେଟରେ ଏମାନେ ବିଧାୟକ ହୋଇଥିଲେ । ମାତ୍ର ଏଥର ପୁଣି ଟିକେଟ୍ ନ ପାଇ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିଲେ । ସରକାରୀ ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ବାଚସ୍ପତି ଶ୍ରୀମତୀ ମଲ୍ଲିକ ଏପ୍ରିଲ୍ ୧୧ ତାରିଖରେ ଶ୍ରୀ ଢ଼ାଲି ଏବଂ ଶ୍ରୀ ନାୟକଙ୍କ ସଭ୍ୟପଦ ରଦ୍ଦ କରିଥିଲେ ।