ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଥିବା ବ୍ରହ୍ମପୁରର ୨୪ ବର୍ଷୀୟ ଯୁବକ ଅମ୍ରିତ ପ୍ରଧାନଙ୍କୁ ଆଜି ଏୟାର ଆମ୍ବୁଲାନସ୍ ରେ ଚେନ୍ନାଇ ନିଆଯାଇଛି । ସେଠିକାର ଆପୋଲୋ ହସ୍ପିଟାଲ୍ ରେ ଚିକିତ୍ସା କରାଯିବ । ଭୁବନେଶ୍ୱର ଏମସ୍ ହସ୍ପିଟାଲ୍ ରୁ ଏୟାରପୋର୍ଟ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାକୁ ଗ୍ରାନ୍ କରିଡର କରାଯାଇ ମାତ୍ର ୧୧ ମିନିଟ୍ ରେ ତାଙ୍କୁ ପହଞ୍ଚା ଯାଇଥିଲା ।
କରୋନା ଆକ୍ରାନ୍ତ ଅମ୍ରିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେ ନିମୋନିଆ ଓ ସେଫ୍ଟିସେମିଆରେ ପୀଡ଼ିତ ହୋଇଛନ୍ତି । ତାଙ୍କ ଫୁସଫସର ୫୦ ପ୍ରତିଶତ ନଷ୍ଟ ହୋଇଯାଇଛି । ତାଙ୍କ ପାଇଁ ଇକମୋ ମେସିନ୍ ଦରକାର ଥିବା ବେଳେ ଫୁସଫୁସ ପ୍ରତିରୋପଣ ଜରୁରୀ ହୋଇପଡ଼ିଛି । ଏହି ଚିକିତ୍ସା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ଏମସ୍ ଡାକ୍ତରମାନେ ଚେନ୍ନାଇ ଆପୋଲୋ ହସ୍ପିଟାଲ୍ ସହ ଯୋଗାଯୋଗ କରିଥିଲେ । ସେମାନେ ରାଜି ହେବା ପରେ ତାଙ୍କୁ ଚେନ୍ନାଇ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଆପୋଲୋରୁ ଏକ ୪ ଜଣିଆ ଡାକ୍ତରୀ ଦଳ ଏମସ୍ ଆସି ଅମ୍ରିତଙ୍କ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କଲା ପରେ ଆଜି ଅପରାହ୍ନରେ ଏୟାରଲିଫ୍ଟି କରାଯାଇଥିଲା । ଠିକ୍ ୫ଟା ୫ ମିନିଟ୍ ରେ ତାଙ୍କୁ ଏମସ୍ ରୁ ଅଣାଯାଇଥିଲା ।
ଆପୋଲୋରେ ଅମ୍ରିତଙ୍କ ଜଟିଳ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଦେଢ଼କୋଟି ଟଙ୍କା ଇତିମଧ୍ୟରେ ଯୋଗାଡ଼ ହୋଇପାରିଛି । ପୁଅର ଜୀବନ ରକ୍ଷା ପାଇଁ ଅମ୍ରିତ ପରିବାରର ନିବେଦନ ପରେ ରାଜ୍ୟ ଓ ରାଜ୍ୟ ବାହାରୁ ସହଯୋଗର ହାତ ବଢ଼ିଥିଲା ।
ସୂଚନାଥାଉକି, ଗତ ମାସ ୨ ତାରିଖରେ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଅମ୍ରିତ କୋଭିଡ୍ ସଂକ୍ରମିତ ହେବା ପରେ ଭୁବନେଶ୍ୱର ଏମସ୍ ରେ ଭର୍ତ୍ତି ହୋଇଥିଲେ । ଅନ୍ୟମାନେ ସୁସ୍ଥ ହୋଇ ଫେରିଥିଲେ ମଧ୍ୟ ଅମ୍ରିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଗତ ମାସ ୧୨ ତାରିଖରୁ ସେ ଭେଣ୍ଟିଲେଟରକୁ ଚାଲିଯାଇଥିଲେ । ମାତ୍ର ତାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା । ବରଂ ତାଙ୍କ ଶରୀରର ଅନ୍ୟ ଅଂଶ ପ୍ରଭାବିତ ହୋଇଥିଲା ।
ବ୍ରହ୍ମପୁର ବାସୁଦେବନଗର ବାସିନ୍ଦା ଅମ୍ରିତ ବାପାମାଆଙ୍କର ଏକମାତ୍ର ପୁଅ । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଏବଂ ମାଆ ଜଣେ ପ୍ରାଥମିକ ଶିକ୍ଷୟିତ୍ରୀ । ତାଙ୍କର ଏକମାତ୍ର ଭଉଣୀ ମନୀଷା ବିବାହ କରିଛନ୍ତି ।