ଭୁବନେଶ୍ୱର: ଲକଡାଉନ୍ ରେ ବୁଲା କୁକୁର ଓ ଗାଈଗୋରୁଙ୍କ ଖାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆଉ ୬୭ ଲକ୍ଷ ୫୨ ହଜାର ଟଙ୍କା ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ତୃତୀୟ ପର୍ଯ୍ୟାୟ ଟଙ୍କା ମଂଜୁର କରିଛନ୍ତି । ୫ ଟି ମହାନଗର ନିଗମ, ୪୮ ମ୍ୟୁନିସିପାଲିଟି ଏବଂ ୬୧ ଟି ଏନଏସିକୁ ଏ ବାବଦରେ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୧ କୋଟି ୧୩ ଲକ୍ଷ ୯୪ ହଜାର ଟଙ୍କା ଦିଆଯାଇଥିଲା ।
ନିର୍ଦ୍ଦେଶ ଅନୁଯାୟୀ, ଆଜି ମଂଜୁର କରାଯାଇଥିବା ଟଙ୍କାରୁ ଭୁବନେଶ୍ୱର ମହାନଗର ନିଗମ ଦୈନିକ ୨୦ ହଜାର ଏବଂ ଅନ୍ୟ ୪ ଟି ମହାନଗର ନିଗମ ୧୦ ହଜାର ଟଙ୍କା ଖର୍ଚ୍ଚ କରିବେ । ୪୮ଟି ମ୍ୟୁନିସିପାଲିଟି ଦୈନିକ ୫ ହଜାର ଏବଂ ୬୧ ଟି ଏନଏସି ଦୈନିକ ୨ ହଜାର ଟଙ୍କା ଲେଖାଏଁ ବୁଲା କୁକୁର ଓ ଗାଈଗୋରୁଙ୍କ ଖାଦ୍ୟ ବାବଦକୁ ଖର୍ଚ୍ଚ କରିବେ ।
କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ଆଉ ୧୫ କୋଟି
କଟକ ମହାନଗର ନିଗମରେ କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୧୫ କୋଟି ଟଙ୍କା ମଂଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଟଙ୍କା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ସିଏମସିକୁ ୨୬ କୋଟି ୭୧ ଲକ୍ଷ ୧୯ ହଜାର ୧୪୪ ଟଙ୍କା ଟଙ୍କା ଦିଆଯାଇଥିଲା ।