ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଅଧ୍ୟକ୍ଷ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡ. ବିଜୟ କୁମାର ସାହୁ ଆଉ ନାହାନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ ରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା । ଡ. ସାହୁଙ୍କ ଅକାଳ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଡ. ସାହୁ ମାସେ ତଳେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ପରବର୍ତ୍ତୀ ସମୟରେ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଏୟାର ଆମ୍ବୁଲାନସ୍ ଯୋଗେ ହାଇଦ୍ରାବାଦ ନିଆଯାଇଥିଲା । ସେଠାରେ ଏକ ଘରୋଇ ହସ୍ପିଟାଲ୍ ରେ ତାଙ୍କୁ ଚିକିତ୍ସା କରାଯାଉଥିଲା । ଲଣ୍ଡନରେ ତାଙ୍କର ଫୁସଫୁସ୍ ପ୍ରତ୍ୟାରୋପଣ ପାଇଁ ମଧ୍ୟ ଯୋଜନା ହୋଇଥିଲା । ତେବେ ଆଜି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା ଏବଂ ଡାକ୍ତରମାନଙ୍କ ପ୍ରବଳ ଉଦ୍ୟମ ସତ୍ତ୍ୱେ ସେ ବଞ୍ଚିପାରିନାହାନ୍ତି ।
ଜଣେ ସଫଳ ଚାଟାର୍ଡ ଆକାଉଣ୍ଟାଣ୍ଟ ରୁ ଉଦ୍ୟୋଗପତି ବନିଥିବା ଡ. ସାହୁ ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ । ଓଡ଼ିଶାରେ ଇଂରାଜୀ ମାଧ୍ୟମ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସେ ଥିଲେ ଅନ୍ୟତମ ବିନ୍ଧାଣୀ । ଭୁବନେଶ୍ୱରରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପ୍ରତିଷ୍ଠା କରି ସେ ଇଂରାଜୀ ମାଧ୍ୟମ ଶିକ୍ଷାକୁ ଏକ ନୂଆ ସୋପାନରେ ପହଞ୍ଚାଇଥିଲେ । ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସେ ମଧ୍ୟ ଗୁରୁତ୍ୱ ଦେଇ ଆସୁଥିଲେ ।
ଶିକ୍ଷାର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଓ ଦୂରଦୃଷ୍ଟି ପାଇଁ ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ । ଅତ୍ୟନ୍ତ ଦକ୍ଷତାର ସହ ସେ ନିଜର ଦାୟିତ୍ୱ ତୁଲାଇ ଆସୁଥିଲେ । ତାଙ୍କ ବିୟୋଗ ରାଜ୍ୟ ପାଇଁ ଅଶେଷ କ୍ଷତି ଆଣିଛି ।