ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କୁ ବି ଖାତିର କଲାନି ଆନ୍ଧ୍ର । କୋଟିଆ ଏବଂ ଗଞ୍ଜାମ ସୀମାନ୍ତ ଗାଁରେ ଆଜି ପଞ୍ଚାୟତ ନିର୍ବାଚନ କରାଇ ନିଜର ବଳ ଦେଖାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଏବଂ ଜିଲ୍ଲା ପ୍ରଶାସନ ଜରିଆରେ ନିର୍ବାଚନ ବନ୍ଦ କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ । ତେବେ ଗଜପତି ସୀମାନ୍ତ ୬ ଟି ଗାଁରେ ଆନ୍ଧ୍ର ଯୋଜନା ଫସର ଫାଟିଛି । ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଭୋଟଦାନରୁ ବିରତ କରିବାରେ ସଫଳ ହୋଇଛନ୍ତି ।
ଆନ୍ଧ୍ର ନିର୍ବାଚନ କରିଥିବା କୋଟିଆ ପଞ୍ଚାୟତର ତିନୋଟି ଗାଁ ହେଉଛି ଫାଟୁସିନେରୀ, ତଳଗଞ୍ଜେଇପଦର ଓ ଫଗୁଣସିନେରୀ । ଆନ୍ଧ୍ର ଏହି ଗାଁ ଗୁଡ଼ିକର ନାଁ ବଦଳେଇ ରଖିଛି ପାଟୁଚିନେରୁ, ତଳଗଞ୍ଜେଇଭଦ୍ରା ଓ ପାଗୁଲୁଚିନେରୁ । ଏହି ତିନୋଟି ଗାଁକୁ ସାଲୁର ମଣ୍ଡଳରେ ସାମିଲ କରିଛି । ତଳଗଞ୍ଜେଇଭଦ୍ରା ଓ ପାଗୁଲୁଚିନେରକୁ ଆନ୍ଧ୍ର ଦୁଇଟି ଗ୍ରାମ ପଞ୍ଚାୟତ କରି ନିଦ୍ଦ୍ୱର୍ନ୍ଦରେ ସରପଞ୍ଚ ଘୋଷଣା କରିଥିବା ବେଳେ ଆଜି ଫାଟୁସିନେରୀରେ ଭୋଟଗ୍ରହଣ କରିଛି ।
ଆଜି ସକାଳ ୬ଟାରୁ ୧.୩୦ ପର୍ଯ୍ୟନ୍ତ ମତଦାନ ହୋଇଥିଲା । ପଟ୍ଟାଙ୍ଗୀ ତହସିଲଦାର ଓ ବିଡ଼ିଓ ସଂପୃକ୍ତ ଗ୍ରାମରେ ଡେରା ପକାଇ ଲୋକମାନଙ୍କୁ ଭୋଟଦାନରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଓଲଟି ଲମ୍ବା ଲାଇନ୍ ରେ ଛିଡ଼ା ହୋଇ ଲୋକେ ଭୋଟ ଦେଇଥିଲେ ।
ସେହିଭଳି, ଗଂଜାମ ପାତ୍ରପୁର ବ୍ଲକ୍ ର କୁଲାଢ଼ୀ ଗାଁରେ ବହୁ ଓଡ଼ିଆ ଲୋକ ଆନ୍ଧ୍ର ଭୋଟର ପରିଚୟପତ୍ର ଧରି ମତଦାନରେ ସାମିଲ ହୋଇଥିଲେ । ସ୍ଥାନୀୟ ପ୍ରଶାସନର ବାରଣକୁ ସେମାନେ ଖାତିର କରି ନ ଥିଲେ ।
ତେବେ ଗଜପତି ସୀମାନ୍ତ ମଂଜୁସା ମଣ୍ଡଳରେ ଓଡ଼ିଶାର ୬ଟି ଗାଁକୁ ସାମିଲ କରି ଆନ୍ଧ୍ର ଭୋଟ ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ଫସର ଫାଟିଥିଲା । ସ୍ଥାନୀୟ ପ୍ରଶାସନର ସାହାଯ୍ୟ, ସହଯୋଗ ପ୍ରତିଶ୍ରୁତି ପରେ ଲୋକମାନେ ଭୋଟ ଦେବାକୁ ଯାଇ ନ ଥିଲେ ।
ସୂଚନାଥାଉକି, ଗତମାସ ୩୦ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ୩ ତାରିଖରୁ ମନୋନୟନପତ୍ର ଦାଖଲ ହୋଇଥିଲା । ମାତ୍ର ସ୍ଥାନୀୟ ପ୍ରଶାସନ ପାଖରେ ଏ ଖବର ବହୁ ବିଳମ୍ବରେ ପହଞ୍ଚିଥିଲା । ରାଜ୍ୟ ସରକାର ଅନୋନ୍ୟପାୟ ହୋଇ ଶେଷ ମୁହୁର୍ତ୍ତରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାହାପୁଣି କେବଳ କୋଟିଆ ପଞ୍ଚାୟତକୁ ନେଇ ।
ଓଡ଼ିଶା ସରକାରଙ୍କ ଆବେଦନକୁ ଗ୍ରହଣ କରି ଗତକାଲି ସୁପ୍ରିମକୋର୍ଟ ଆନ୍ଧ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ୧୯ ତାରିଖ ପୂର୍ବରୁ ଜବାବ ଦେବା ପାଇଁ କୁହାଯାଇଛି । ତେବେ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବା ବେଳେ ଆନ୍ଧ୍ର ସରକାର ଆଜି ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ସୀମାନ୍ତ ଗାଁ ସମେତ ବିବାଦୀୟ କୋଟିଆ ଗାଁରେ ନିର୍ବାଚନ କରିଛି ।
ଓଡ଼ିଶାରେ ଆନ୍ଧ୍ରର ଏଭଳି ଅନୁପ୍ରବେଶକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗଞ୍ଜାମ ଓ କୋରାପୁଟର ସୀମାନ୍ତ ଗାଁ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ । ଆନ୍ଧ୍ର ଷଡ଼ଯନ୍ତ୍ର ଜାଣିବାରେ ଗୁଇନ୍ଦା ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଫଳସ୍ୱରୂପ ରାଜ୍ୟ ସରକାର ବିଳମ୍ବରେ ସୁପ୍ରିମକୋର୍ଟ ଗଲେ । ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକର ସୁରକ୍ଷା ପାଇଁ ରାଜ୍ୟ ସରକାର କେତେ ଚିନ୍ତିତ ତାହା ଏଥିରୁ ସ୍ପଷ୍ଟ ବୋଲି ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜିର ଦିନକୁ ଓଡ଼ିଶା ପାଇଁ ଦୁଃଖ ଓ ଲଜ୍ଜାର ଦିନ ବୋଲି କହିଛନ୍ତି । ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ସଜବାଜ ୨ ମାସ ଧରି ଚାଲିଥିଲେ ମଧ୍ୟ ଓଡ଼ିଶା ସରକାର କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରି ରାଜ୍ୟ ସରକାରଙ୍କ ଅପାରଗତାରୁ ଓଡ଼ିଶା ହାରିଲା ବୋଲି କହିଛନ୍ତି ।
ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ ।