ଭୁୁବନେଶ୍ୱର: ଏନଏମଏର ବିବାଦୀୟ ବାଇ-ଲ’ ପ୍ରତ୍ୟାହାର ଦାବିରେ ଆଜି ଏକାମ୍ର କ୍ଷେତ୍ରରେ ଜଳିଛି ୧୦ ହଜାର ଦୀପ । ପ୍ରଭୁ ଲିଙ୍ଗରାଜ ମନ୍ଦିର ସାମନାରେ ସେବାୟତମାନଙ୍କ ସହ ହଜାର ହଜାର ରାଜଧାନୀବାସୀ ଏକତ୍ରିତ ହୋଇ ସମୂହ ଦୀପଦାନ ଜରିଆରେ ପ୍ରତିବାଦ ଜଣାଇଛନ୍ତି । ବାଇ-ଲ’ ତୁରନ୍ତ ପ୍ରତ୍ୟାହାର ନହେଲେ ବ୍ୟାପକ ଆନେ୍ଦାଳନ ହେବ ବୋଲି ଚେତାବନୀ ଦିଆଯାଇଛି ।
ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ କରି ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି କରିଛନ୍ତି । ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନେଇ କାର୍ଯ୍ୟ କରିବା ଉଚିତ୍ ହୋଇଥାଆନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନା ଏବଂ ଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତମାନଙ୍କ ଜୀବନ ଜୀବିକା ଜଡ଼ିତ ଏହି ପ୍ରସଙ୍ଗକୁ ନେଇ ସାଂସଦମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ର ଜବାବରେ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରୁଛି ଯେ ନରେନ୍ଦ୍ର ମୋଦି ସରକାର ଓଡ଼ିଶାର ସଂସ୍କୃତି, ଗର୍ବ ଏବଂ ଭାବନାକୁ ନିଶ୍ଚିତ ସମ୍ମାନ ଦେବେ । ତେବେ ଆଲୋଚନା ଜରିଆରେ ସବୁ ସମ୍ଭବ ହୋଇପାରିବ । ବାଇ-ଲ’ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ଚିଠା ପ୍ରସ୍ତାବର ଗୋଟିଏ ଗୋଟିଏ ପଏଣ୍ଟକୁ ସମୀକ୍ଷା ପାଇଁ କୁହନ୍ତୁ ।
ମନ୍ତ୍ରୀ ଅଶୋକ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକାମ୍ର କ୍ଷେତ୍ରର ବିକାଶ ରୋକିବାକୁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରି ତୁରନ୍ତ ଏହା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।