ଭୁବନେଶ୍ୱର: କେନ୍ଦ୍ରାଞ୍ଚଳ ଆରଡିସି ପଦରେ ଥାଇ ଆଜି ସରକାରୀ ଚାକିରିରୁ ଅବସର ନେଇଛନ୍ତି ଆଇଏଏସ୍ ଅଧିକାରୀ ଅନୀଲ କୁମାର ସାମଲ । ତେବେ ରାଜ୍ୟ ସରକାର ତତକ୍ଷଣାତ୍ ତାଙ୍କୁ ଥଇଥାନ କରିଛନ୍ତି । କଟକ ଡେଭଲପମେଣ୍ଟ ଅଥରିଟି(ସିଡ଼ିଏ) ର ଅଧ୍ୟକ୍ଷ ଭାବେ ଶ୍ରୀ ସାମଲଙ୍କୁ ନିଯୁକ୍ତି(ଏନଗେଜ୍) ଦିଆଯାଇଛି । ଆସନ୍ତାକାଲିଠାରୁ ବର୍ଷକ ପାଇଁ ସେ ଏହି ପଦବୀରେ କାର୍ଯ୍ୟ କରିବେ । କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ନୂଆ କାଉନସିଲ୍ ଗଠନ ହେବା ପର୍ଯ୍ୟନ୍ତ ପୂର୍ବଭଳି ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଲାଇବେ । ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି ।
୨୦୦୩ ମସିହାରେ ଆଇଏଏସ୍ ପଦୋନ୍ନତି ପାଇଥିବା ଶ୍ରୀ ସାମଲଙ୍କ ସରକାରୀ ଚାକିରି କାର୍ଯ୍ୟକାଳ ଆଜି ସରିବା ପୂର୍ବରୁ ସରକାର ତାଙ୍କୁ ଏହି ନୂଆ ଦାୟିତ୍ୱ ଧରାଇଛନ୍ତି । ଓଡ଼ିଶା ଡେଭଲେପମେଣ୍ଟ ଅଥରିଟି ଆକ୍ଟ, ୧୯୮୨ ଅନ୍ତର୍ଗତ ସେକ୍ସନ୍ ୩ ର ସବ୍ ସେକ୍ସନ୍ ୫(ଏ) ଅନୁଯାୟୀ ତାଙ୍କୁ ନିଯୁକ୍ତି ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ତାଙ୍କର ଦରମା ଓ ଆନୁସଙ୍ଗିକ ଖର୍ଚ୍ଚ ସିଡ଼ିଏ ବହନ କରିବ ।
ଅନୁଗୁଳ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସାମଲଙ୍କୁ ୨୦୧୯ ଫେବୃଆରୀରେ ରାଜ୍ୟ ସରକାର କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନ ଭାବେ କଟକ ବଦଳି କରିଥିଲେ । ସିଏମସିର ପ୍ରଶାସକ ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଯାଇଥିଲା ।







