ଭୁୁବନେଶ୍ୱର: ରାତି ପାହିଲେ ପିପିଲିରେ ହେବ ଭୋଟ । ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଆସନ୍ତାକାଲି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ୩୪୮ ଟି କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହେବ । ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶ ଅନୁଯାୟୀ ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ମତଦାନ ଅନୁଷ୍ଠିତ ହେବ । ଭୋଟରଙ୍କ ପାଇଁ ସିଇଓଙ୍କ ପକ୍ଷରୁ ଜରୁରୀ ମାର୍ଗ ଦର୍ଶିକା ଜାରି କରାଯାଇଛି ।
ନିର୍ବାଚନମଣ୍ଡଳୀର ୩୪୮ ବୁଥ୍ ମଧ୍ୟରୁ ୨୦୧ ଟି ବୁଥ୍ କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଏହି ସବୁ ବୁଥ୍ ରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ୧୭୫ ଟି ବୁଥ୍ ରେ ୱେବକାଷ୍ଟିଂ ଓ ୧୨ଟିରେ ଭିଡ଼ିଓଗ୍ରାଫି ବ୍ୟବସ୍ଥା କରାଯାଇଛି । ୨୩ଟି ବୁଥ୍ ରେ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି । ନିର୍ବାଚନମଣ୍ଡଳୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୨ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ଫୋର୍ସ ଏବଂ ୩ କମ୍ପାନୀ ବିଏସଏଫ ଯବାନ ମୁତୟନ ହୋଇଛନ୍ତି ।
ପୂର୍ବରୁ କରୋନା ଯୋଗୁଁ ଉପନିର୍ବାଚନ ବାରମ୍ବାର ସ୍ଥଗିତ ରହିବାରୁ ଏଥର ପ୍ରଚାର ବେଳେ ଭୋଟରଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳି ନ ଥିଲା । କର୍ମୀମାନଙ୍କ ମଧ୍ୟରେ ପୂର୍ବଭଳି ଜୋସ୍ ପରିଲକ୍ଷିତ ହୋଇନାହିଁ । ଯାହା ବି ହେଉ, ଶେଷ ମୁହୁର୍ତ୍ତରେ ଭୋଟରଙ୍କ ମନ ଜିଣିବା ପାଇଁ ତିନି ପ୍ରମୁଖ ଦଳ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ଏତିକି ବେଳେ ବଳଙ୍ଗା ଥାନାରେ ଘଟିଥିବା ବିସ୍ଫୋରଣ ଉପନିର୍ବାଚନ ମଇଦାନକୁ ଅଧିକ ସରଗରମ କରିଛି ।
ବଳଙ୍ଗା ଥାନା ବିସ୍ଫୋରଣ ଆଦୌ ଅକସ୍ମାତ ନୁହେଁ, ବରଂ ସୁପରିକଳ୍ପିତ ବୋଲି ବିଜେପି ଅଭିଯୋଗ କରିଛି । ପିପିଲିର ସବୁ ବୁଥ୍ ରେ କେନ୍ଦ୍ରୀୟ ଫୋର୍ସ ମୁତୟନ ଦାବି କରି ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ।
ତେବେ ବିଜେଡ଼ି ଏହାର କଡ଼ା ଜବାବ ଦେଇଛି । ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ପିପିଲିରେ ରାଜନୈତିକ ବାତାବରଣକୁ ଭଣ୍ଡୁର କରିବାକୁ ବିଜେପିର ଏହା ରାଜନୈତିକ ଚାଲ୍ । ଉପନିର୍ବାଚନରେ ପରାଜୟ ନିଶ୍ଚିତ ଜାଣି ବିଜେପି ଏଭଳି ଅମୂଳକ ଓ ଭିତ୍ତିହୀନ ଅଭିଯୋଗ ଆଣୁଛି । ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ନାହିଁ ବୋଲି ବାର୍ତ୍ତା ଦେବାକୁ ଡ୍ରାମା କରୁଛି । ମାତ୍ର ପିପିଲିବାସୀ ବିଜେପିର ଏହି ନିନ୍ଦନୀୟ ଚାଲ୍ କୁ ବୁଝିସାରିଛନ୍ତି ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି ।