ଭୁୁବନେଶ୍ୱର: ବାବୁଙ୍କର ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା ଇଂଜିନିୟର । ୧୯୮୮ ମସିହାରେ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍ ରେ ଜୁନିୟର୍ ଇଂଜିନିୟର ଭାବେ ଚାକିରିରେ ଯୋଗ ଦେଇଥିଲେ । ପଦୋନ୍ନତି ପାଇ ଏବେ ଡେପୁଟି ମ୍ୟାନେଜର । ଏହି ଚାକିରି କାଳରେ ତାଙ୍କର କମାଣି ଯେ କେହି ଲୋକଙ୍କୁ ଚକିତ କରିବ । କେବଳ ରାଜଧାନୀ ଓ ଉପକଣ୍ଠରେ ତାଙ୍କର ଚାରିଟି ବିଶାଳ କୋଠା ଥିଲା ବେଳେ ୧୭ ଟି ପ୍ଲଟ୍ ଅଛି । ଭଦ୍ରକ ବାସୁଦେବପୁରରେ ଗୋଟିଏ ବିଶାଳ କୋଠା ସାଙ୍ଗକୁ ୫ ଟି ପ୍ଲଟ୍ ପକେଇଛନ୍ତି । ତାଙ୍କ ଘରୁ ନଗଦ ୩୮ ଲକ୍ଷ ଟଙ୍କା ବି ମିଳିଛି ।

ସମ୍ପତ୍ତିର ପାହାଡ଼ ଛିଡ଼ା କରିଥିବା ଏ ବାବୁ ହେଉଛନ୍ତି ପ୍ରତାପ ସାମଲ । ବିପୁଳ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସୂଚନା ପାଇ ଭିଜିଲାନସ୍ ବିଭାଗର ସ୍ୱତନ୍ତ୍ର ଟିମ୍ ଆଜି ସକାଳୁ ଏକକାଳୀନ ୯ଟି ଜାଗା ଉପରେ ଚଢ଼ଉ ଆରମ୍ଭ କରିଥିଲେ । ସେଗୁଡ଼ିକ ହେଲା- ଆଇଆରସି ଭିଲେଜସ୍ଥିତ ଏନ/୬-୪୧୬ ତିନିମହଲାର କୋଠା, ଜୟଦେବବିହାର ବିଜୁ ପଟ୍ଟନାୟକ କଲେଜ ନିକଟରେ ୬ ମହଲା କୋଠା, ଖଣ୍ଡଗିରି ସରକନ୍ତରା ପ୍ଲଟ୍ ନଂ ୩/୬୦୫ ରେ ଗୋଟିଏ ମହଲା କୋଠା, ଜୟଦେବବିହାରସ୍ଥିତ ନରେନ୍ଦ୍ର ଭିଲ୍ଲା ଦ୍ୱିତୀୟ ଫ୍ଲୋର୍ ଫ୍ଲାଟ୍ ନଂ ୨୦୨, ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ବାଲିସାହିଠାରେ ଅନନ୍ୟା ଟାୱାର୍ ନାମଧାରୀ ତିନି ମହଲାର ଆପାର୍ଟମେଣ୍ଟ, ଅନନ୍ୟା ଟାୱାର୍ ରେ ଥିବା ସହଯୋଗୀଙ୍କ ଅସ୍ଥାୟୀ ଘର, ବାଲେଶ୍ୱର ଜିଲ୍ଲା ସିମୁଳିଆ ଅନ୍ତର୍ଗତ ହରିପୁର ପୈତୃକ ଗାଁ, ସିମୁଳିଆଠାରେ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱରସ୍ଥିତ ତାଙ୍କର ଓପିଏଚଡବ୍ଲୁସି ଅଫିସ ।

ଚଢ଼ଉ ବେଳେ ପ୍ରତାପ ସାମଲଙ୍କ ମାଳ ମାଳ ପ୍ଲଟ୍, ଫ୍ଲାଟ୍ ଏବଂ ପୁଳା ପୁଳା ଟଙ୍କା ଦେଖି ଭିଜିଲାନସ୍ ଟିମ୍ ତାଜୁବ ହୋଇଯାଇଛନ୍ତି । ଏତେ ସମ୍ପତ୍ତି ଯେ ଭିଜିଲାନସ୍ ଅଧିକାରୀମାନେ ଠିକ୍ ରେ ହିସାବ କରିପାରୁନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ସାମଲ ତାଙ୍କ ଘରେ ଏକ ପେଟିରେ ୨୦ ଲକ୍ଷ ଟଙ୍କା ରଖିଥିଲେ । ଭିଜିଲାନସ୍ ରେଡ୍ ବେଳେ ସେ ପ୍ରାଣ ବିକଳରେ ସେହି ଟଙ୍କା ପେଟିକୁ ପଡ଼ିଶା ଘର ଛାତ ଉପରକୁ ଫିଙ୍ଗି ଦେଇଥିଲେ ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କ ନଜରରୁ ବର୍ତ୍ତି ନ ଥିଲେ । ଏଥିସହ ତାଙ୍କ ଆଲମାରୀରୁ ଆଉ ୧୮ ଲକ୍ଷ ୧୨ ହଜାର ୯୦୦ ନଗଦ ଟଙ୍କା ମିଳିଥିଲା ।








