ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ଶୀର୍ଷ ଛୁଇଁଛି । ୨୯ ତାରିଖ ହେଉଛି ପ୍ରଚାରର ଶେଷ ଦିନ । ୩୧ ତାରିଖରେ ଭୋଟ ଗ୍ରହଣ । ସବୁ ଦଳର ପ୍ରମୁଖ ନେତା, ସାଂସଦ, ବିଧାୟକମାନେ ସେଠାରେ ଡେରା ପକାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା, ବ୍ରଜରାଜନଗର ଉପନିର୍ବାଚନ ତାତି ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ କେଉଁଠି ସାମାନ୍ୟତମ ଅନୁଭବ ହେଉନାହିଁ । ଗଣମାଧ୍ୟମରେ ଏହି ଖବର ଗୁରୁତ୍ୱ ବହନ କରୁନାହିଁ । ରାଜ୍ୟର ଯେ କୌଣସି ପ୍ରାନ୍ତରରେ ହେଉ ନା କାହିଁକି, ଗୋଟିଏ ଉପନିର୍ବାଚନ ତାତି ରାଜଧାନୀ ଆସି ନ ପାରିବା ପ୍ରଥମ ଥର ଦେଖିବାକୁ ମିଳୁଛି ।
ବୁଦ୍ଧିଜୀବୀ ମହଲର ଆଲୋଚନା ଅନୁଯାୟୀ, ଏହାର ମୁଖ୍ୟ କାରଣ ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ କଳି ଏବଂ ଏହାକୁ ପ୍ରଚାର କରିବାରେ ମିଡିଆର ବ୍ୟାକୁଳତା । ଯେଉଁଥିପାଇଁ ଉପନିର୍ବାଚନ ଖବରର ଗୁରୁତ୍ୱ କମିଯାଇଛି । ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ କଳିରୁ ଟିଆରପି ଗୋଟାଇବାକୁ ମିଡିଆ ବ୍ୟାକୁଳ ହୋଇଥିଲା ବେଳେ ଯୁବବର୍ଗ ବି ସେହି ପ୍ରେମରେ ପଡ଼ିଛନ୍ତି । ଅନୁଭବ ତାଙ୍କ ଭିଡିଓରେ ଆଉ କ’ଣ କହିଲେ, ବର୍ଷା ଥାନାକୁ ଗଲେ ନା ନାହିଁ ଏହା ଉପରକୁ ସମସ୍ତଙ୍କର ଧ୍ୟାନ ଚାଲିଯାଇଛି ।
ମେ’ ୧୯ ତାରିଖରେ ଅନୁଭବ ତାଙ୍କ ପ୍ରଥମ ଭିଡ଼ିଓ ସୋସିଆଲ୍ ମିଡିଆରେ ଅପଲୋଡ କରିବା ଦିନଠୁଁ ଏହା ପ୍ରାୟ ସବୁ ଗଣମାଧ୍ୟମରେ ଲଗାତର ପ୍ରମୁଖ ଖବର ପାଲଟିଛି । ଘଣ୍ଟା ଘଣ୍ଟା ଧରି ଘଟଣାର ଲାଇଭ୍ ହେଉଛି । ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ କଳି ଛଡ଼ା ଦୁନିଆଁରେ ସତେ ଯେମିତି ଆଉ କୌଣସି ବଡ଼ ଘଟଣା ନାହିଁ । ଖବର ଦୁନିଆଁ ସତେ ଯେମିତି ସେଇଠି ଅଟକି ଯାଇଛି ।
କହିବା ବାହୁଲ୍ୟ ଯେ ଏହି ଖବର ଏମିତି ଢ଼ଙ୍ଗରେ ପ୍ରଚାର ପଛରେ ରାଜନୈତିକ ଦିଗକୁ ବି ଅନେକ ଅଣଦେଖା କରିନାହାନ୍ତି । ଯାହା ଅନୁଭବ ଓ ବର୍ଷା ଭଲଭାବେ ଜାଣିଛନ୍ତି ।
ଠିକ୍ ପୂର୍ବରୁ ଲାଗ ଲାଗ ଦୁଇଟି ଘଟଣା ମଧ୍ୟ ଆମର ବିଭିନ୍ନ ଗଣମାଧ୍ୟମରେ ପ୍ରାଧାନ୍ୟ ବିସ୍ତାର କରିଥିଲା । ପ୍ରଥମଟି ଥିଲା, ବାହାଘର ରାତିରେ ସ୍ୱାମୀଙ୍କୁ ଲୁଚି ଲୁଚି ପତ୍ନୀ ଉଲଗ୍ନ ଅବସ୍ଥାରେ ପ୍ରେମିକଙ୍କ ସହ ଭିଡିଓ ଚାଟିଂ କରିବା ଏବଂ ପରଦିନ ମନ୍ଦିର ବୁଲିବା ବାହାନାରେ ସ୍ୱାମୀଙ୍କୁ ମାଡମାରି ଚମ୍ପଟ୍ ମାରିବା ଘଟଣା । ଦ୍ୱିତୀୟଟି ଥିଲା, ବିବାହ ବେଦୀରେ ପତ୍ନୀ ହାତରୁ କାଚ ଭାଙ୍ଗି ସିନ୍ଦୁର ପୋଛି ପଳାଇବା ଘଟଣା । ସୋସିଆଲ୍ ମିଡ଼ିଆରେ ଏହା ଭଲ ଚାଲିଥିବାରୁ ମୁଖ୍ୟ ଗଣମାଧ୍ୟମ ମଧ୍ୟ ଟିଆରପି ପାଇଁ ଏହି ଖବର ପଛରେ ପଡିଥିଲେ ।
ଏହାପୂର୍ବରୁ ପ୍ରାୟ ମାସାଧିକ କାଳ ସବୁ ମିଡିଆର ଫୋକସ୍ ରେ ଥିଲେ ବ୍ରହ୍ମପୁରର ତପସ୍ୱିନୀ ଓ ତାଙ୍କ ଡାକ୍ତର ସ୍ୱାମୀ ସୁମିତ୍ । ମିଡିଆରେ ପ୍ରତିଦିନ ଆସିବା ଯୋଗୁଁ ସେମାନେ ଘରେ ଘରେ ପରିଚିତ ହୋଇଗଲେ । ଟୋକା, ବୁଢ଼ା ସମସ୍ତେ ସେହି ଖବରର ଅପଡେଟ୍ ରଖିଲେ । ସେହି ସମୟରେ ରାଜ୍ୟ ଓ ଦେଶ ବିଦେଶର ବଡ଼ ବଡ଼ ଖବର ସେଭଳି ଗୁରୁତ୍ୱ ପାଇଲାନି । ତେଲ ଓ ଗ୍ୟାସ୍ ସମେତ ପନିପରିବା ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁ ହୁ ବଢ଼ିବା ଖବର ଗଣମାଧ୍ୟମ ପାଇଁ ଛୋଟ ହୋଇଗଲା । ଦୈନନ୍ଦିନ ଜୀବନରେ ଘାଣ୍ଟି ହେଉଥିବା ଲୋକ ତପସ୍ୱିନୀ-ସୁମିତ୍ ଙ୍କ ଦାମ୍ପତ୍ୟ କଳିରୁ ମନୋରଂଜନ ପାଉଥିଲେ ।
କେବଳ ଯେ ଆମ ରାଜ୍ୟ ଓଡ଼ିଶାରେ ଖବରର ଏହି ଟ୍ରେଣ୍ଡ ଚାଲିଛି ତା ନୁହେଁ, ସାରା ଦେଶରେ ଆଜି ଏଭଳି ଅବସ୍ଥା । ପ୍ରକୃତ ଖବରଠାରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଏହାକୁ ଏକ ରୀତିମତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ଲୋକ ଚାହୁଁ ନ ଥିଲେ ବି ସେମାନଙ୍କ ଉପରେ ଖବର ଲଦି ଦିଆଯାଉଛି ବୋଲି ଅଭିଯୋଗ ହୁଏ । ଶସ୍ତା ଖବର ପ୍ରସାରଣରେ ଗଣମାଧ୍ୟମର ଭୂମିକା ତେଣୁ ଆଜି ବିତର୍କର ବିଷୟ ହୋଇଛି ।
ଅନ୍ୟପକ୍ଷରେ ଲୋକଙ୍କ ରୁଚି ଅନୁଯାୟୀ ଖବରକୁ ଗୁରୁତ୍ୱ ଦିଆଯାଉଥିବା ପ୍ରମୁଖ ଗଣମାଧ୍ୟମର ମୁଖିଆମାନେ ଖୋଲାଖୋଲି ସ୍ୱୀକାର କରୁଛନ୍ତି । ଦର୍ଶକ ଓ ପାଠକଙ୍କ ଦୃଷ୍ଟିରେ ଭଲ ଖବରର ସଂଜ୍ଞା ବଦଳି ଯାଇଥିବା ସେମାନଙ୍କର ଯୁକ୍ତି । ମୋଟାମୋଟି ଦେଖିଲେ, ମିଡିଆ ହାଉସ୍ ର ରେଭେନୁ୍ୟ ମଡେଲ୍ ରେ ଖବର ତା’ର ମୌଳିକତା ହରାଇ ଏକ ବଜାର ସାମଗ୍ରୀ ହୋଇଥିବା ସ୍ୱୀକାର କରିବାକୁ ପଡ଼ିବ ।