ଭୁବନେଶ୍ୱର: ରାଜ୍ୟ ବିଜେପି ରାଜନୀତିରେ ପ୍ରତିଦିନ ନୂଆ ନୂଆ ସମୀକରଣ ଦେଖିବାକୁ ମିଳୁଛି । ଖାସ୍ କରି ଦଳରେ ଅପରାଜିତା ଷଡ଼ଙ୍ଗୀଙ୍କ ଆର୍ବିଭାବ ପରଠୁ ଦଳୀୟ ସମୀକରଣ ବଦଳିଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜାଗା ନେବାକୁ ଅପରାଜିତାଙ୍କ ଗୋଟିଚାଳନାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଧର୍ମେନ୍ଦ୍ରଙ୍କ କିଛି ଖାସ୍ ଅନୁଗତ ଅପରାଜିତାଙ୍କ କ୍ୟାମ୍ପ ଧରିବା କୌତୁହଳ ସୃଷ୍ଟି କଲାଣି । ଏହି କ୍ରମରେ ବିଜେପିର ସାଧାରଣ ସମ୍ପାଦକ ତଥା ଧର୍ମେନ୍ଦ୍ରଙ୍କ ଆଶିର୍ବାଦପ୍ରାପ୍ତ ପୃଥ୍ୱୀରାଜ(ଟିଟୋ) ହରିଚନ୍ଦନ ଅପରାଜିତାଙ୍କ କାନ୍ଧ ଧରି ନିଜର ରାଜନୈତିକ ଭବିଷ୍ୟତ ଦେଖିବା ବିଜେପି ଶିବିରରେ ଚର୍ଚ୍ଚାର ବିଷୟ ହୋଇଛି ।
ଅପରାଜିତାଙ୍କ ଷଡ଼ଙ୍ଗୀଙ୍କୁ ନିଜ ନିର୍ବାଚନମଣ୍ଡଳୀ ଚିଲିକା ନେଇ ପୃଥ୍ୱୀରାଜ ଗତକାଲି ରୋଡ୍ ସୋ କରାଇଥିଲେ । ଅପରାଜିତା ଚିଲିକା ଓ ବାଣପୁର ବ୍ଲକ୍ ପରିଦର୍ଶନ କରିବା ସହ ଶ୍ରମିକ ସଂଘ ସମ୍ମିଳନୀରେ ଯୋଗଦେଇଥିଲେ । ମ୍ୟାଡାମ୍ ଙ୍କୁ ଦେଖିବା ପାଇଁ ଲୋକଙ୍କ ଆଗ୍ରହରେ ଉତ୍ସାହିତ ହୋଇପଡ଼ିଥିଲେ ବିଧାୟକ ଆଶାୟୀ ପୃଥ୍ୱୀରାଜ । ନିର୍ବାଚନ ବେଳେ ଭୁବନେଶ୍ୱର ମ୍ୟାଡାମ୍ ଙ୍କୁ ଏମିତି ୪/୫ ଥର ବୁଲାଇଦେଲେ ଏମଏଲଏ ବାଟକୁ କେହି ରୋକିପାରିବେନି ବୋଲି ପୃଥ୍ୱୀରାଜଙ୍କ ସମର୍ଥକମାନଙ୍କ ବିଶ୍ୱାସ ବଢ଼ିଯାଇଥିଲା ।
କଥା ହେଉଛି, କୌଣସି ଦଳୀୟ ସାଂସଦଙ୍କୁ ନେଇ ନିଜ ଏରିଆରେ ରୋଡ୍ ସୋ’ କରିବା ଅପରାଧ ନୁହେଁ । ମାତ୍ର ପରିବର୍ତ୍ତିତ ରାଜନୈତିକ ସମୀକରଣରେ ଏହାର ମହତ୍ତ୍ୱ ଦଳୀୟ ନେତାମାନେ ଠିକ୍ ବୁଝିଛନ୍ତି ।
ଏମିତିରେ ଦେଖିଲେ, ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀଟି ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ । ନିର୍ବାଚନ ବେଳ ହୋଇଥିଲେ ସେଠାରେ ଅପରାଜିତା ସୋ’ ଏକ ଖବର ହୋଇ ନ ଥାଆନ୍ତା । ମାତ୍ର ଅବେଳାରେ ସେଠାକୁ ଭୁବନେଶ୍ୱର ସାଂସଦଙ୍କୁ ନେଇ ପୃଥ୍ୱୀରାଜ ରୋଡ୍ ସୋ’ କରାଇବା ରାଜନୈତିକ ଦୃଷ୍ଟିକୋଣରୁ ଭିନ୍ନ ବାର୍ତ୍ତା ଦେଉଛି ।
ଏହି ଭିନ୍ନ ବାର୍ତ୍ତା ପଛର ରହସ୍ୟଟି ହେଉଛି, ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଅନୁଗତ ବୋଲି ଗଣାଯାଏ । ଗତ ୭ ବର୍ଷ ଧରି ରାଜ୍ୟ ବିଜେପିରେ ପୃଥ୍ୱୀରାଜଙ୍କୁ ବେଶ୍ ଗୁରୁତ୍ୱ ଦେଇ ଆସୁଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସଭାପତି ହେବାକୁ ପୃଥ୍ୱୀରାଜଙ୍କ ଆଶାକୁ ଧର୍ମେନ୍ଦ୍ର ପୂରଣ କରିପାରି ନ ଥିଲେ ମଧ୍ୟ ତାଙ୍କ ବାପା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରର ରାଜ୍ୟପାଳ କରାଇ ତାଙ୍କର ଦୁଃଖ ଭରଣା କରିଥିଲେ ।
ମାତ୍ର ସେହି ପୃଥ୍ୱୀରାଜ ଏବେ ଚିଲିକା ପାରି ହେବାକୁ ଧର୍ମେନ୍ଦ୍ରଙ୍କ ଉପରୁ ଆସ୍ଥା ହରାଇବା ଏବଂ ଅପରାଜିତାଙ୍କ କାନ୍ଧ ଧରିବା ଖୋଦ୍ ଦଳୀୟ ଶିବିରରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଆଉ ଧର୍ମେନ୍ଦ୍ର କାମକୁ ନୁହଁନ୍ତି, ଅପରାଜିତାଙ୍କ କାନ୍ଧ ଧରିଲେ ଯାଇ ଆଗକୁ ଚିଲିକା ନିର୍ବାଚନ ବୈତରଣୀ ପାର୍ ହେବେ ବୋଲି ପୃଥ୍ୱୀରାଜ ସମ୍ଭବତଃ ଆଶା ବାନ୍ଧିଲେଣି । ଚିଲିକାରେ ଅପରାଜିତାଙ୍କୁ ନେଇ ରୋଡ୍ ସୋ’ ତଥା ବିଭିନ୍ନ କାର୍ଯ୍ୟକ୍ରମ କରିବା ଘଟଣାରୁ ପୃଥ୍ୱୀରାଜଙ୍କ ଅଭିପ୍ରାୟ ଜଳ ଜଳ ଦିଶୁଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।
ସୂଚନାଥାଉକି, ଧର୍ମେନ୍ଦ୍ର-ଅପରାଜିତା ସମ୍ପର୍କ ରାଜନୈତିକ ମହଲରେ କାହାରିକୁ ଅଛପା ନାହିଁ ଯେ । ଦୀର୍ଘ ୫/୬ ବର୍ଷ ଧରି ଓଡ଼ିଶାରେ ବିଜେପିକୁ ନେତୃତ୍ୱ ଦେଉଥିବା ଧର୍ମେନ୍ଦ୍ରଙ୍କ ପତ୍ତା କାଟିବାକୁ ଅପରାଜିତା ଗୋଟିଚାଳନା କରୁଥିବା କୁହାଯାଉଛି । ସାରା ରାଜ୍ୟରେ ନିଜର ସ୍ୱତନ୍ତ୍ର ଛବି ତିଆରିରେ ସେ ବ୍ୟସ୍ତ । ଏଥିପାଇଁ ଦଳୀୟ ଫୋରମ୍ ରେ ବିଶ୍ୱାସ ନ ରଖି ଏକାଧିକ ନିଜସ୍ୱ ସଂଗଠନ ଛିଡ଼ା କଲେଣି ।
ଅପରାଜିତାଙ୍କ ଅଭିଯାନରେ ପୃଥ୍ୱୀରାଜ ସାମିଲ ହେବା ଦଳୀୟ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ହୋଇଥିଲା ବେଳେ ପୃଥ୍ୱୀରାଜଙ୍କୁ ନିଜ ପଟକୁ ନେଇ ଅପରାଜିତା ବେଶ୍ ଖୁସି ଥିବା ତାଙ୍କ ସମର୍ଥକ ମହଲରୁ ଜଣାପଡ଼ିଛି ।