ଭୁବନେଶ୍ୱର: ଏକାଧିକ ବଡ଼ ଠକେଇ ମାମଲାର ଅଭିଯୁକ୍ତ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଇଓଡବ୍ଲୁ ଜାଲରେ ଧରାପଡ଼ିଛନ୍ତି । ଦୁଇଦିନ ହେଲା ଅନ୍ତର୍ଦ୍ଧାନ ଥିବା ଅର୍ଦ୍ଧେନ୍ଦୁଙ୍କୁ ଗତ ରାତିରେ ଇଓଡବ୍ଲୁ ଟିମ୍ ନୟାଗଡ଼ ଜିଲ୍ଲା ଓଡ଼ଗାଁରୁ ଉଠାଇ ଆଣିଥିଲେ । ଭୁବନେଶ୍ୱରର ଏକ ଅଜ୍ଞାତ ଜାଗାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ଇଓଡବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀ ତାଙ୍କ ଗିରଫଦାରି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରୋଚକ କଥା ହେଉଛି ଯେ ଏହିସବୁ ଠକେଇ ମାମଲାରୁ ବର୍ତ୍ତିବା ପାଇଁ ଅଜ୍ଞାତବାସରୁ ଅର୍ଦ୍ଧେନ୍ଦୁ ତାଙ୍କ ଲୋକଙ୍କ ଜରିଆରେ ଶାସକ ଦଳର ଶରଣ ପଶିଥିଲେ । ମାତ୍ର ବିଜେଡିର ଆଶୀର୍ବାଦ ପାଇବାରେ ସେ ସଫଳ ହୋଇନାହାନ୍ତି । ଠକେଇ ମାମଲାରେ କେହି ତାଙ୍କୁ ସୁରକ୍ଷା ଦେଇନାହାନ୍ତି ।
ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟର୍ ପ୍ରୋପାଇଟର୍ ଗଗନଦୀପ ସିଂହ ଚାୱାଲା ୯୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିଥିଲେ । ଚାନେଲ୍ ବୈଦ୍ୟୁତିକ ଯନ୍ତ୍ରାଂଶ କିଣା ବାବଦ ଏହି ବକେୟା ଟଙ୍କା ଅର୍ଦ୍ଧେନ୍ଦୁ ଦେଉ ନ ଥିବା ଅଭିଯୋଗ କରି ଗତ ୨୩ ତାରିଖରେ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ । ଏହି ଅଭିଯୋଗ ଉପରେ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ପକ୍ଷରୁ ଦୁଇ ଦୁଇ ଥର ହାଜିରା ନୋଟିସ୍ ହୋଇଥିଲେ ମଧ୍ୟ ସେ ଆସି ନ ଥିଲେ । ଏହାପରେ ଗତ ମଙ୍ଗଳବାର ବଡ଼ି ସକାଳୁ ଅର୍ଦ୍ଧେନ୍ଦୁଙ୍କ ଜାଗମରା ବଙ୍ଗଳାରେ ଇଓଡବ୍ଲୁ ରେଡ୍ କରିଥିଲା । ମାତ୍ର ସେଠାରେ ତାଙ୍କୁ ପାଇ ନ ଥିଲା ।
ଗତକାଲି ଇଓଡବ୍ଲୁର ଏକ ୬ ଜଣିଆ ଟିମ୍ ଟଙ୍କପାଣି ରୋଡ୍ ସ୍ଥିତ ବଡ଼ ଖବର ଅଫିସ୍ ଉପରେ ମାରାଥନ୍ ରେଡ୍ କରିଥିଲେ । ପ୍ରାୟ ୬ ଘଣ୍ଟା ଧରି କାଗଜପତ୍ର ଖୋଳତାଡ଼ କରାଯାଇଥିଲା । ମାତ୍ର ସେଠାରେ ମଧ୍ୟ ଅର୍ଦ୍ଧେନ୍ଦୁଙ୍କୁ ପାଇ ନ ଥିଲେ । ରାତିରେ ଅର୍ଦ୍ଧେନ୍ଦୁ ଓଡ଼ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ସୂଚନା ପାଇ ଇଓଡବ୍ଲୁର ଏକ ଟିମ୍ ସେଠାରେ ଚଢ଼ଉ କରିଥିଲେ ।
ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଖାଲି ଏହି ଗୋଟିଏ ବଡ଼ ଠକେଇ ମାମଲା ନୁହଁ, ଇତିମଧ୍ୟରେ ଲାଗ ଲାଗ ୪ ଟି ମାମଲା ଯୋଡି ହୋଇଛି । ପ୍ରଥମ ମାମଲାଟି ଇଓଡବ୍ଲୁରେ ହୋଇଥିବା ବେଳେ ଅନ୍ୟ ତିନୋଟି ମାମଲା କମିଶନରେଟ୍ ପୁଲିସରେ ହୋଇଛି ।
ଠକେଇ-୨: ମଙ୍ଗଳବାର ଦିନ କଟକର ବ୍ୟବସାୟୀ ନିଶିଥ ଅଗ୍ରୱାଲ୍ ପୁରୀଘାଟ ଥାନାରେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଏକ ଏତଲା ଦେଇଥିଲେ । ତାଙ୍କ ଠାରୁ ଅର୍ଦ୍ଧେନ୍ଦୁ ୭ ଲକ୍ଷ ଟଙ୍କାର ପ୍ଲାଏ କିଣି ପଇସା ଦେଉ ନ ଥିବା ସେ ଅଭିଯୋଗ କରିଥିଲେ ।
ଠକେଇ-୩: ବୁଧବାର ଦିନ ତାଙ୍କ ବିରୋଧରେ ଭୁବନେଶ୍ୱର ବରଗଡ଼ ଥାନାରେ ଆଉ ଏକ ଠକେଇ ମାମଲା ରୁଜୁ ହୋଇଥିଲା । ଏତଲାକାରୀ ଥିଲେ ବିଶ୍ୱଜିତ ସାହୁ । ତାଙ୍କର ଅଭିଯୋଗ ହେଉଛି, ଅର୍ଦ୍ଧେନ୍ଦୁ ତାଙ୍କ ଟଙ୍କପାଣିସ୍ଥିତ ଘରକୁ ବଡ଼ ଖବର ଅଫିସ୍ ପାଇଁ ଭଡ଼ାରେ ନେଇଛନ୍ତି । ମାତ୍ର ୫ ମାସ ହେଲା ଘରଭଡ଼ା ଦେଉନାହାନ୍ତି । ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଇଲେଟ୍ରି ବିଲ୍ ମଧ୍ୟ ଦେଉନାହାନ୍ତି । ଏଭଳି ଭାବେ ୫ ଲକ୍ଷ ୮୦ ହଜାର ଟଙ୍କା ତାଙ୍କୁ ଠକି ଚାଲିଛନ୍ତି । ମାଗିଲେ ନାଲିଆଖି ଦେଖାଉଛନ୍ତି ।
ଠକେଇ-୪: କଟକ ସିଡିଏ ସେକ୍ଟର-୨ରେ ରହୁଥିବା ଜନୈକା ପ୍ରୀତିମୟୀ ବିଶ୍ୱାଳ ବଡ଼ ଖବର ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହି ସଂସ୍ଥାରେ କାମ କରୁଥିବା ତାଙ୍କ ସ୍ୱାମୀ ଦୀପକ ବିଶ୍ୱାଳ ବକେୟା ଦରମା ମାଗିବାରୁ ଅର୍ଦ୍ଧେନ୍ଦୁଙ୍କୁ ଲୋକମାନେ ମଦ ପିଇ ରାତି ଅଧରେ ତାଙ୍କ ଘରେ ପଶି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ କରିଛନ୍ତି । ମର୍କତନଗର ଥାନାରେ ଏତଲା ଦେଇଛନ୍ତି ।