ଭୁବନେଶ୍ୱର: ଗଣ୍ଡା ଗଣ୍ଡା ଠକେଇ ଅଭିଯୋଗରେ ସଂପୃକ୍ତ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଶେଷରେ ଜେଲ୍ ଯାଇଛନ୍ତି । ଭୁବନେଶ୍ୱରରୁ ଅନ୍ତର୍ଦ୍ଧାନ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ଟିମ୍ ଗତ ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁରୁ ଗିରଫ କରିଥିଲା । ଆଜି ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ୍ ଆବେଦନ ଅଗ୍ରାହ୍ୟ ହେବାରୁ ତାଙ୍କୁ ଜୁଲାଇ ୧୩ ତାରିଖ ଯାଏ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ଗିରଫ ପରେ ଗଣମାଧ୍ୟମ କ୍ୟାମେରା ଆଗରେ ନିଜ ପତିଆରା ଦେଖାଇବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ ଅର୍ଦ୍ଧେନ୍ଦୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିବାରୁ ରାଜ୍ୟ ସରକାରଙ୍କ ଆକ୍ରୋଶର ଶିକାର ହୋଇଥିବା କହିଥିଲେ । ଚାପ ଆଗରେ ନଇଁବି ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଧମକ ଦେଇଥିଲେ । କ୍ୟାପିଟାଲ୍ ହସ୍ପିଟାଲ୍ କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲା ବେଳେ ପୁଲିସ ହେପାଜତରୁ ଅର୍ଦ୍ଧେନ୍ଦୁ ନିଜର ରାଗ ଝାଡ଼ିଥିଲେ । ଗଣମାଧ୍ୟମର ସମର୍ଥନ ଓ ସହାନୁଭୂତି ପାଇବାକୁ ଉଦ୍ୟମ କରିଥିଲେ ।
ତେବେ ଠକେଇ ମାମଲାରେ ଗିରଫ ଅର୍ଦ୍ଧେନ୍ଦୁଙ୍କୁ ସମର୍ଥନରେ କୌଣସି ଗଣମାଧ୍ୟମ ସଂଗଠନ ବାହାରିନାହାନ୍ତି । ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିବା ଢ଼ଙ୍ଗକୁ ସମର୍ଥକମାନେ କିନ୍ତୁ ନାପସନ୍ଦ କରିଛନ୍ତି । ଏହାକୁ ନେଇ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଅର୍ଦ୍ଧେନ୍ଦୁଙ୍କ ଅତୀତ କାର୍ଯ୍ୟକଳାପକୁ ନେଇ କିଛି ଲୋକ କଡ଼ା ଟିପ୍ପଣୀ ରଖିଛନ୍ତି ।
ସୂଚନାଥାଉକି, ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ଖୋଜୁଥିବା ବେଳେ ସେ ମାମଲାରୁ ବର୍ତ୍ତିବା ପାଇଁ ତାଙ୍କର ଖାସ୍ ସହଯୋଗୀଙ୍କୁ ବିଜେଡ଼ିର ଶରଣ ପାଇଁ ପଠାଇଥିଲେ । ମାତ୍ର ଏହା ବ୍ୟକ୍ତିଗତ ମାମଲା କହି ବିଜେଡି ତାଙ୍କୁ ସାହାଯ୍ୟ କରିବାକୁ ମନା କରିଦେଇଥିଲା ବୋଲି ଦଳର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି ।