ଭୁବନେଶ୍ୱର: ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଆଉ ନାହାନ୍ତି । ରଥଯାତ୍ରା କଭରେଜ୍ ପାଇଁ ପୁରୀ ଯାଉଥିବା ବେଳେ ସାତସଙ୍ଖ ନିକଟରେ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ତାଙ୍କର ଅକାଳ ମୃତ୍ୟୁ ଖବର ସାମ୍ବାଦିକ ଜଗତକୁ ସ୍ତବ୍ଧ କରିଦେଇଛି । ରଥଯାତ୍ରା ସକାଳୁ ସକାଳୁ ଏହି ଦୁଃଖଦ ଖବରକୁ ସହଜରେ କେହି ଗ୍ରହଣ କରିପାରିନାହାନ୍ତି ।
ରଥଯାତ୍ରା ଡ୍ୟୁଟି ପାଇଁ ଆଜି ବଡ଼ି ସକାଳୁ ଶ୍ରୀ ପଣ୍ଡା ନିଜ ମୋଟରସାଇକେଲରେ ଭୁବନେଶ୍ୱରରୁ ପୁରୀ ବାହାରିଥିଲେ । ସାତସଙ୍ଖ ନିକଟରେ କୌଣସି ଏକ ଅଜଣା ଗାଡ଼ି ସହ ତାଙ୍କ ମୋଟରସାଇକେଲ୍ ଧକ୍କା ହୋଇଥିବା ଜଣାପଡ଼ିଛି । ଶ୍ରୀ ପଣ୍ଡା ତଳେ ପିଟି ହୋଇଯାଇଥିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଦୁର୍ଘଟଣା ସମୟରେ ସେଠାରେ ଉପସ୍ଥିତ ଲୋକମାନେ ତୁରନ୍ତ ପୁଲିସକୁ ଖବର ଦେବା ପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଅଣାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗାରେ ଜନ୍ମିତ ଶ୍ରୀ ଅଶୋକ ପଣ୍ଡା ଫଟୋଗ୍ରାଫି ଏବଂ ଭିଡ଼ିଓଗ୍ରାଫିରେ ଡିପ୍ଲୋମା ପାସ୍ କରିବା ପରେ ୧୯୮୪ ମସିହାରେ ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସିରେ କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୯୬ ମସିହାରେ ସେ ‘ସମୟ’ ଖବରକାଗଜରେ ଯୋଗଦେଇଥିଲେ । ଏସିଆନ୍ ଏଜ୍, ଟାଇମ୍ସ ଅଫ ଇଣ୍ଡିଆ ଭଳି ବିଭିନ୍ନ ଜାତୀୟ ଖବରକାଗଜ ଏବଂ ୱେବ୍ ପୋର୍ଟାଲ୍ ଗୁଡ଼ିକୁ ମଧ୍ୟ ସେ ଫଟୋ ଦେଉଥିଲେ । ଜଣେ ଦକ୍ଷ ଓ ଲୋକପ୍ରିୟ ଫଟୋ ସାମ୍ବାଦିକ ଭାବେ ଓଡ଼ିଶା ମିଡ଼ିଆ ଜଗତରେ ବେଶ୍ ଜଣାଶୁଣା ଥିଲେ । ତାଙ୍କର ଦକ୍ଷତା ପାଇଁ ସେ ଅନେକ ପୁରସ୍କାର ପାଇଥିଲେ ।
ତାଙ୍କର ପତ୍ନୀ ଏବଂ ୧୦ ବର୍ଷର ଏକମାତ୍ର ଝିଅ ଅଛନ୍ତି ।
ଅଶୋକ ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।
ଅଶୋକଙ୍କ ବିୟୋଗରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, ଶ୍ରୀ ପଣ୍ଡାଙ୍କ ଅକାଳ ବିୟୋଗ ଗଣମାଧ୍ୟମର ଫଟୋ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି । ଇଶ୍ୱର ତାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ଅଶୋକଙ୍କ ଅକାଳ ନିଧନରେ ଦୁଃଖ ପ୍ରକାଶ କରି ସାମ୍ବାଦିକ ଜଗତ ଓ ବିିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିବିଶେଷଙ୍କଠାରୁ ଶୋକବାର୍ତ୍ତା ଆସିବାରେ ଲାଗିଛି ।