ଭୁୁବନେଶ୍ୱର: ଆମେରିକାରେ ମୋଦି, ଆଉ ସାରା ଦେଶ ଅନାଇ ରହିଥିଲା ହ୍ୱାଇଟ୍ ହାଉସର ସେହି ବହୁ ପ୍ରତୀକ୍ଷିତ ସମୟକୁ । ମାନେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଜୋ ବିଡେନଙ୍କ ୱାନ୍-ଟୁ-ୱାନ୍ ସାକ୍ଷାତକୁ । ଆଉ ତା ପରବର୍ତ୍ତୀ କ୍ୱାଡ୍ ବୈଠକକୁ । ପୁଣି ସକାଳୁ ସକାଳୁ ଶେୟାର୍ ମାର୍କେଟରେ ଦେଖିବାକୁ ମିଳିଲା ବୁଲ୍ ରନ୍ । ମାର୍କେଟ୍ ଖୋଲୁ ଖୋଲୁ ୬୦ ହଜାର ପଏଣ୍ଟ ଉପରକୁ ଉଠିଗଲା, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ । କିନ୍ତୁ ଟିଭି ଖୋଲିଲା ବେଳକୁ ଲାଗୁଥିଲା, ସତେ ଯେମିତି ଓଡ଼ିଶାକୁ ପଶି ଆସିଛନ୍ତି ଆତଙ୍କବାଦୀ । ମୁମ୍ବାଇ ୨୬-୧୧ ଆତଙ୍କବାଦୀ ଆକ୍ରମଣ ଘଟଣାର ଯେମିତି ଲାଇଭ୍ ଶୋ ସେତେବେଳେ ଦେଖିବାକୁ ମିଳିଥିଲା, ଠିକ୍ ସେମିତିକା ଥିଲା ଆମ ଓଡ଼ିଶାର ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲରେ କଭରେଜ୍ ଗତକାଲି ବା ଶୁକ୍ରବାରର ।
ହେଇ ଦେଖନ୍ତୁ ପାଣି ଭିତରେ କେମିତି ଫସିଛି ହାତୀ… ଦେଖନ୍ତୁ କେମିତି ପ୍ରଖର ସ୍ରୋତରେ ଆକତା ମାକତା ହୋଇଗଲାଣି ହାତୀ… ହାତୀ ଚେଷ୍ଟା କରୁଛି ପାଣିରୁ ବାହାରି ଆସିବାକୁ, ହେଲେ ସୁଅ କରାଇ ଦେଉନି… ପୁଣି ଏପଟୁ ଶୁଣିବାକୁ ମିଳୁଥିଲା, ଗ୍ରାଉଣ୍ଡ ଜିରୋରେ ଆମ ରିପୋର୍ଟର ଏବଂ କ୍ୟାମେରାମ୍ୟାନ୍… କେବଳ ଆମ ଟିଭିରେ ହିଁ ଆପଣ ଦେଖୁଛନ୍ତି Exclusive Visual… ଖାଲି ସେତିକି ନୁହେଁ… ଆପଣ ଆମର ଏହି Exclusive ହାତୀ କଭରେଜ୍ ଫେସବୁକ୍ ଏବଂ ୟୁ-ଟ୍ୟୁବରେ ମଧ୍ୟ ଲାଇଭ୍ ଦେଖିପାରିବେ… ଆପଣ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, ଆମେ ହିଁ ଆପଣଙ୍କୁ ଦେଇ ଚାଲିଥିବୁ ହାତୀ କଭରେଜର ଟିକିନିଖି ଅପଡେଟ୍ସ । ଏଥିଲା ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ପାଣି ମଧ୍ୟରେ ଫସି ରହିଥିବା ହାତୀ ସଂକ୍ରାନ୍ତ ଖବରର ପ୍ରସାରଣ ।
ଓଡ଼ିଶାର ସବୁ ଟେଲିଭିଜନ୍ ଚ୍ୟାନେଲ୍ ୱାଟର୍ ମାର୍କ ଏକ୍ସକ୍ଲୁସିଭ୍ ଷ୍ଟ୍ରିପ୍ ପକାଇ କାଲି ସକାଳୁ ସକାଳୁ ଏମିତି ଗଜ ଉଦ୍ଧାରଣ ଅବତାର ନେଇଥିଲେ । ଓଜନଦାର ଜୀବ ହାତୀ, ଓଡ଼ିଶା ଗଣମାଧ୍ୟମ ପାଇଁ ଏମିତି ଓଜନିଆ ଖବର ସୃଷ୍ଟି କରିଦେଲା, ଲାଗୁଥିଲା ହେବାକୁ ଥିବା (ସେତେବେଳର ସମୟ ଅନୁସାରେ) ମୋଦି-ବିଡେନ୍ ଭେଟଘାଟ, କ୍ୱାଡ୍ ବୈଠକ କିମ୍ବା ଶେୟାର ମାର୍କେଟର ବୁଲ୍ ରନ୍ ଯେମିତି ସବୁ ଥିଲା ତୁଚ୍ଛ ଖବର । ତୁଚ୍ଛ ଏଇଥି ପାଇଁ କହୁଛୁ, କାରଣ ବୋଧହୁଏ ଏସବୁ ଖବରର କଣ୍ଟେଣ୍ଟ୍ ଡେଭଲପ୍ କରିବାକୁ ଅକ୍ଷମ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ, ଏସବୁକୁ ପ୍ରମୁଖ ଇଭେଣ୍ଟକୁ ତୁଚ୍ଛ କରି ତୁଠ ଖବରକୁ ଦେଲେ ଗୁରୁତ୍ବ !
ଏବେ ଆସନ୍ତୁ ଯିବା ଗଜ ଉଦ୍ଧାର ଅଭିଯାନ ପ୍ରସଙ୍ଗକୁ । ଟିଭିରେ ନନଷ୍ଟପ୍ ହାଉ ହାଉ କଭରେଜ୍ ଦେଖି ଆକ୍ସନ୍ସ ମୋଡକୁ ଓହ୍ଲାଇଲା ପ୍ରଶାସନ । ବିପଜ୍ଜନକ ପ୍ରଖର ସ୍ରୋତରୁ ହାତୀକୁ ଉଦ୍ଧାର କରିବାକୁ ବନ ବିଭାଗ, ଓଡ୍ରାଫକୁ କହିଥିଲା କି ନାହିଁ, ତାହା ପର କଥା… କିନ୍ତୁ ରବର ବୋଟ୍ ଧରି ଡେୟାର୍ ଡେଭିଲ୍ ଶୋରେ ବାହାରି ପଡିଲେ କିଛି ଓଡ୍ରାଫ୍ କର୍ମଚାରୀ । ଏହା ନିଶ୍ଚିତ ଯେ, ସେମାନଙ୍କୁ ମିଳିଥିବ ବିଭାଗୀୟ ନିର୍ଦ୍ଦେଶ ।
କିନ୍ତୁ ପ୍ରଶ୍ନ ଉଠୁଛି, ମୁଣ୍ଡଳୀ ଘଟଣାସ୍ଥଳ ନିକଟରେ ଉପସ୍ଥିତ ରହି ନିଜ ଆଖିରେ ପାଣିର ଭୟଙ୍କର ରୂପ ଦେଖୁଥିବା ଓଡ୍ରାଫ୍ ଅଧିକାରୀଙ୍କର କଣ ନିଷ୍ପତ୍ତି ନେବାର କିଛି ନିଜସ୍ୱ ଅଧିକାର ନଥିଲା ? ପୁଣି ହାତୀ ଗୋଟେ ଛୋଟିଆ ଜୀବ ହୋଇ ନଥିବା ବେଳେ ତାକୁ କେମିତି ଏମାନେ ଉଦ୍ଧାର କରିଥାନ୍ତେ ? ସମସ୍ତଙ୍କ ଆଖି ଆଗରେ ଘଟୁଥାଏ ଅଘଟଣ… କିନ୍ତୁ ସମସ୍ତେ ହୋଇଗଲେ କିଂ କର୍ତ୍ତବ୍ୟମୁଢ଼ । ସମସ୍ତେ ପିନ୍ଧିଥିଲେ ଲାଇଭ୍ ଜାକେଟ୍, କିନ୍ତୁ ଏବେ ଲାଇଭ୍ ଜାକେଟକୁ ନେଇ ମଧ୍ୟ ସନ୍ଦେହ, ପ୍ରଶ୍ନବାଚୀ ।







