ଭୁବନେଶ୍ୱର: ନିର୍ବାଚନ ପରେ ବିଜେଡିରେ ଅଲୋଡ଼ା ହୋଇଯାଇଥିବା ଅରୂପ ପଟ୍ଟନାୟକଙ୍କୁ ୧୩ ମାସ ପରେ ମନେ ପକାଇଛନ୍ତି ମୁଖିଆ ନବୀନ ପଟ୍ଟନାୟକ । ନବୀନଙ୍କ ଡାକରା ପାଇ ଆଜି ନବୀନ ନିବାସ ଆସିଥିଲେ ଅରୂପ । ସେଠାରେ ଦୁଇ ଘଣ୍ଟାରୁ ଅଧିକ ସମୟ ରହି ଫେରିଛନ୍ତି । ଏତେ ସମୟ ଧରି ନବୀନ ତାଙ୍କ ସହ କି କଥା ହେଉଥିଲେ ତାହା ଜଣାପଡ଼ି ନାହିଁ । ଗତ ନିର୍ବାଚନରେ ବିଜେଡିରେ ତ୍ରୁଟିପୂର୍ଣ୍ଣ ନିର୍ବାଚନା ପରିଚାଳନାକୁ ନେଇ ଭୀଷଣ କ୍ଷୁବ୍ଧ ହୋଇପଡ଼ିଥିବା ଅରୂପ ରାଜନୀତି ଦୃଶ୍ୟପଟରୁ ଉଭାନ ରହିଥିଲା ବେଳେ ନବୀନଙ୍କ ପାଇଁ ତାଙ୍କର କି ଆବଶ୍ୟକତା ପଡ଼ିଲା ତାହା ଚର୍ଚ୍ଚାର ବିଷୟ ହୋଇଛି ।
ଭି.କେ ପାଣ୍ଡିଆନଙ୍କୁ ନେଇ ବିଜେଡିରେ ଲାଗି ରହିଥିବା ଚାପା ବିଦ୍ରୋହ ଦାନା ବାନ୍ଧୁଥିବା ବେଳେ ଅରୂପ ପଟ୍ଟନାୟକଙ୍କ ଭଳି ନିର୍ଭିକ ଓ ସ୍ପଷ୍ଟବାଦୀ ନେତାଙ୍କୁ ନବୀନ ବାବୁ ଡାକି କଥା ହେବା ପଛରେ ଏକ ବଡ ଯୋଜନା ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ ଆଲୋଚନା ବେଳେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ନା ନାହିଁ, ଯଦି ଥିଲେ ଅରୂପ ତାଙ୍କୁ କିଭଳି ଗ୍ରହଣ କଲେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଭରିଛି ।
ସୂଚନାଥାଉକି, ବିଜେଡିର କଳୁଷିତ ପରିବେଶରୁ ଦୂରେଇ ରହିଥିବା ଅରୂପ ବାବୁ ଏ ପର୍ଯ୍ୟନ୍ତ କାହା ବିରୋଧରେ ପାଟି ଖୋଲିନାହାନ୍ତି । ପାଣ୍ଡିଆନଙ୍କ ପ୍ରତି ତାଙ୍କର ମନୋଭାବ ଅସ୍ପଷ୍ଟ ରହିଥିଲା ବେଳେ ବବି ଦାସ ଓ ତାଙ୍କ ଗୋଷ୍ଠୀ ଉପରେ ସେ ରକ୍ତ ଚାଉଳ ଚୋବାଉଥିବା ସମର୍ଥକ ମହଲରୁ ଜଣାପଡ଼ିଛି । କ୍ରୀତଦାସମାନଙ୍କ ପାଇଁ ଦଳକୁ ବିପର୍ଯ୍ୟୟର ସାମନା କରିବାକୁ ପଡ଼ିଲା ବୋଲି ସେ ବିଚାର କରୁଛନ୍ତି । ଏହାପରେ ମଧ୍ୟ ନବୀନ ବାବୁଙ୍କ ନିଷ୍କ୍ରିୟତା ତାଙ୍କୁ ବିଜେଡିରୁ ମୁହଁ ଫେରାଇବାକୁ ବାଧ୍ୟ କରିଥିଲା ।
ମାତ୍ର ନବୀନ ବାବୁ ତାଙ୍କୁ ନବୀନ ନିବାସ ଡାକି ଏବେ କଥା ହେବା ବିଜେଡି ରାଜନୀତିରେ କିଛି ନୂଆ ସମୀକରଣର ଆଭାସ ଦେଉଛି । ହୁଏତ ପରିବର୍ତ୍ତିତ ଦୃଶ୍ୟପଟରେ ଅରୂପଙ୍କ ବ୍ୟକ୍ତିତ୍ୱ, ଦକ୍ଷତା ଏବଂ ବାହାର ସୁସମ୍ପକକୁ ନବୀନ କାମରେ ଲଗାଇବାକୁ ଚିନ୍ତା କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ନବୀନ-ଅରୂପ ଭେଟଘାଟ ନେଇ ନବୀନ ନିବାସରୁ କିଛି କୁହାଯାଇନାହିଁ କି ଅରୂପ ପଟ୍ଟନାୟକ ପ୍ରତିକ୍ରିୟା ଦେଇନାହାନ୍ତି । ସମ୍ଭବତଃ ଉଭୟଙ୍କ ଭେଟଘାଟକୁ ଗୋପନ ରଖାଯାଇଛି ।
ନବୀନ ନିବାସକୁ ଅରୂପଙ୍କ ଆଗମନ ବେଳେ ଅମର ପଟ୍ଟନାୟକ ଏବଂ ପ୍ରତାପ ଜେନା ସେଠାରେ ଉପସ୍ଥିତ ଥିଲେ । ମାତ୍ର ନବୀନ-ଅରୂପଙ୍କ ଭେଟଘାଟ ବେଳେ ଏ ଦୁହେଁ ଉପସ୍ଥିତ ଥିଲେ ନା ନାହିଁ ଜଣାପଡ଼ିନାହିଁ ।
ଉଲ୍ଲେଖଯୋଗ୍ୟ, ପୂର୍ବତନ ମୁମ୍ବାଇ ପୁଲିସ କମିସନର ଅରୂପ ପଟ୍ଟନାୟକ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆମନ୍ତ୍ରଣକ୍ରମେ ୨୦୧୮ ମସିହାରେ ବିଜେଡିରେ ଯୋଗଦେଇଥିଲେ । ଏକଦା ଜଣେ ଦକ୍ଷ ପୁଲିସ ଅଫିସର ଭାବେ ସାରା ଦେଶରେ ସୁନାମ ଅର୍ଜନ କରିଥିବା ଅରୂପ ରାଜନୀତିରେ ମଧ୍ୟ ନିଜର ନିଷ୍ଠାପରତା ଓ ସ୍ପଷ୍ଟବାଦିତା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
୨୦୧୯ ମସିହାରେ ଦଳ ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ମାତ୍ର ୨୧ ହଜାର ଭୋଟରେ ହାରି ଯାଇଥିଲେ । ପରବର୍ତ୍ତୀ ସମୟରେ ନବୀନ ବାବୁ ତାଙ୍କୁ ‘ଓଡ଼ିଶା ମୋ ପରିବାର’ ଭଳି ବିଜେଡିର ନବଗଠିତ ସାମାଜିକ ସଂଗଠନର ଦାୟିତ୍ୱ ଅର୍ପଣ କରିଥିଲେ । ଏହାକୁ ଅତ୍ୟନ୍ତ ସୂଚାରୂ ରୂପେ ତୁଲାଇଥିଲେ ଅରୂପ । ନବୀନ ପଟ୍ଟନାୟକ ଏବଂ ବିଜେଡିର ଲୋକପ୍ରିୟତା ଅକ୍ଷୂର୍ଣ୍ଣ ରଖିବାରେ “ଓଡ଼ିଶା ମୋ ପରିବାର’ ର ଭୂମିକା ପ୍ରଶଂସାଭାଜନ ହୋଇଥିଲା । ଏହି ଦାୟିତ୍ୱ ସହ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜବୁତ କରିବା ଏବଂ ଲୋକସମ୍ପର୍କ ବଢ଼ାଇବା ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । କାରଣ, ୨୦୨୪ ନିର୍ବାଚନରେ ଭୁବନେଶ୍ୱରରୁ ପୁନଶ୍ଚ ପ୍ରାର୍ଥୀ ହେବେ ବୋଲି ନବୀନ ନିବାସରୁ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଥିଲା ।
ତେବେ ୨୦୨୪ ନିର୍ବାଚନର କେଇ ମାସ ପୂର୍ବରୁ ଚିତ୍ର ବଦଳିଗଲା । ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଗଲା । ତାଙ୍କର ପ୍ରଚାର ପ୍ରସାର ପାଇଁ ପ୍ରଚୁର ଟଙ୍କା ଉଡ଼ିଲା । ବିଜେଡି ବିଧାୟକମାନଙ୍କ ସହ ଶ୍ରୀମୟୀ ୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀ ବୁଲି ଲୋକସମ୍ପର୍କ ବଢ଼ାଇଲେ । ଅଶୋକ ପଣ୍ଡାଙ୍କ ଭଳି ବରିଷ୍ଠ ନେତା ଶ୍ରୀମୟୀଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ସଭାସମିତିରେ ଆଗୁଆ ଘୋଷଣା କରିଦେଲେ ।
ମାତ୍ର ନବୀନ ନିବାସର ନିଷ୍ପତ୍ତି ପୁଣି ଅଚାନକ ବଦଳିଗଲା । ଶ୍ରୀମୟୀଙ୍କୁ ଆଉଟ୍ କରି ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକସଭା ଟିକେଟ୍ ଦିଆଗଲା । ଆଉ ଅରୂପ ପଟ୍ଟନାୟକଙ୍କୁ ପୁରୀ ଲୋକସଭା ଆସନରେ ଥୋପି ଦିଆଗଲା । ଯାହା ତାଙ୍କ ପାଇଁ ଥିଲା ସମ୍ପୂର୍ଣ୍ଣ ନୂଆ । ସେଥିରେ ଆହୁରି ସାଂଘାତିକ କଥାଟି ଥିଲା, ତାଙ୍କୁ ହରାଇବା ପାଇଁ ଦଳର ଜଣେ ଶକ୍ତିଶାଳୀ ନେତା ପେଞ୍ଚ ଲଗାଇଥିଲେ । ଯାହା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା । ଶେଷରେ ଫଳାଫଳ ବି ସେୟା ହେଲା । ଲକ୍ଷେ ଚାରି ହଜାର ଭୋଟରେ ବିଜେପି ପ୍ରାର୍ଥୀ ସମ୍ବିତ୍ ପାତ୍ରଙ୍କଠାରୁ ସେ ହାରିଗଲେ ।
ପରବର୍ତ୍ତୀ ସମୟରେ ପରାଜୟ କାରଣ ସମ୍ପର୍କରେ ସେ ନବୀନଙ୍କ ଦୃଷ୍ଟି ଆକର୍ଷଣ କରି ତାହାର ଗୋଟି ଗୋଟି ତଥ୍ୟ ପ୍ରମାଣ ଦେଇଥିଲେ । ମାତ୍ର ନବୀନ ନିବାସର ପ୍ରତିକ୍ରିୟାଶୂନ୍ୟତା ତାଙ୍କୁ ଆଚମ୍ବିତ କରିଥିଲା । ବିଜେଡି ରାଜନୀତି ପ୍ରତି ବିତୃଷ୍ଣା ଭାବରେ ସେ ଚୁପ୍ ହୋଇଗଲେ । ସେବେଠାରୁ ଦଳର କୌଣସି କାର୍ଯ୍ୟକ୍ରମରେ ଅରୂପଙ୍କୁ ଦେଖିବାକୁ ମିଳୁନାହିଁ । ତାଙ୍କର ବ୍ୟକ୍ତିତ୍ୱ ଏବଂ ଦକ୍ଷତାକୁ ଦଳ କାମରେ ଲଗାଇବାକୁ ମଧ୍ୟ ଚାହିଁ ନାହିଁ ।
ଏବେ ନବୀନ ବାବୁ ତାଙ୍କ ସହ କି ଆଲୋଚନା କରିଛନ୍ତି ତାହା ଦେଖିବାର କଥା ।