ଭୁବନେଶ୍ୱର: ଆସନ୍ତାକାଲି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ ହେବ । ପ୍ରଧାନମନ୍ତ୍ରୀଙ୍କ ଅଫିସ୍ କିମ୍ବା ବିଜେପି ପକ୍ଷରୁ ଏ ନେଇ କୌଣସି ସୂଚନା ଆସି ନ ଥିଲେ ମଧ୍ୟ ଜାତୀୟ ଗଣମାଧ୍ୟମରେ ଏହି ଖବର ଆସିଛି । ଦିନ ୧୧.୩୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ୍ ବୈଠକ ଡାକିଛନ୍ତି ଏବଂ ଏହି ବୈଠକ ପରେ ନୂଆ ମନ୍ତ୍ରୀ ତାଲିକା ଜଣାପଡ଼ିବ ବୋଲି କୁହାଯାଉଛି । ଇତିମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୋୱାଲ୍, ନାରାୟଣ ରାଣେଙ୍କ ଭଳି ହେଭିୱେଟ୍ ନେତାମାନେ ଦିଲ୍ଲୀରୁ ଡାକରା ପାଇ ପହଞ୍ଚି ସାରିଲେଣି ।
ଅଦଳବଦଳରେ ଓଡ଼ିଶାରୁ ନୂଆ ମୁହଁଙ୍କୁ ନେଇ ଏବେ ଏଠି ଜୋରଦାର ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରେ ଯାହାଙ୍କ ନାଁ ବେଶୀ ଚର୍ଚ୍ଚା, ସେ ହେଉଛନ୍ତି ଅଶ୍ୱିନୀ ବୈଷ୍ଣବ । ଗୋଟିଏ ଦୁଇଟି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବୈଜୟନ୍ତ ପଣ୍ଡାଙ୍କ ନାଁ ବି ଆସିଛି । ଏପରିକି ତାଙ୍କୁ ବୈଦେଶିକ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଇଛି ।
ତେବେ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଚର୍ଚ୍ଚାର ସର୍ବାଗ୍ରେ । ରାଜନୈତିକ ପଣ୍ଡିତମାନେ ବି ଏହାକୁ ବିଶ୍ୱାସ କରିଛନ୍ତି । ସେମାନଙ୍କ ମତରେ, ପ୍ରଥମତଃ ଏହି ବ୍ୟୁରୋକ୍ରାଟ୍ ଟର୍ଣ୍ଣ ପଲିଟିସିନିଆନ୍ ଙ୍କର କେନ୍ଦ୍ରୀୟ ନେତୃତ୍ୱ ଉପରେ ଅଖଣ୍ଡ ପ୍ରଭାବ ରହିଛି । ସଂଘ ପରିବାର ସହିତ ମଧ୍ୟ ତାଙ୍କର ସୁସମ୍ପର୍କ ପୁରୁଣା । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ତାଙ୍କର ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରି ଉଭୟ ବିଜେପି ଓ ସଂଘ ପରିବାରର ନିକଟତର ହୋଇଥିଲେ । କେବଳ ପ୍ରାଶାସନିକ ଅଧିକାରୀ ଭାବେ ନୁହଁନ୍ତି ପରବର୍ତ୍ତୀ ସମୟରେ କର୍ପୋରେଟ୍ ଜଗତରେ ମଧ୍ୟ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ପ୍ରାଶାସନିକ ଦକ୍ଷତା ସମ୍ପନ୍ନ ନେତାଙ୍କୁ ପ୍ରଧାନମନ୍ତ୍ରୀ ଏବେ ଗୁରୁତ୍ୱ ଦେଉଥିବାରୁ ମନ୍ତ୍ରୀ ପଦ ଲାଗି ଅଶ୍ୱିନୀ ତାଙ୍କର ଫେଭରାଇଟ୍ ବୋଲି କୁହାଯାଉଛି ।
ରାଜ୍ୟ ଓ ଦଳୀୟ ସମୀକରଣ ଦୃଷ୍ଟିରୁ ଅଶ୍ୱିନୀ ମଧ୍ୟ ଅନୁକୂଳ ସ୍ଥିତିରେ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ତାଳମେଳ ଭଲ । ଧର୍ମେନ୍ଦ୍ରଙ୍କ ପାଇଁ ସେ ଆଦୌ ଥ୍ରେଟ୍ ବା ବିପଦ ନୁହଁନ୍ତି । ଧର୍ମେନ୍ଦ୍ରଙ୍କ ଭଳି ଅଶ୍ୱିନୀଙ୍କ ଉପରେ ବିଜେପି ନେତୃତ୍ୱ ଏବଂ ସଂଘ ପରିବାରର ଆଶିର୍ବାଦ ରହିଥିବାରୁ ସେ ମନ୍ତ୍ରୀ ପଦ ପାଇବା ସମ୍ଭାବନା ଅଧିକ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ସୂଚନାଥାଉକି, ୨୦୧୯ ରେ ଅଶ୍ୱିନୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବିଜେପିରୁ ସେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡ଼ି ତାଙ୍କୁ ସମର୍ଥନ କରିଥିଲା । ଏହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା ।