ମୁମ୍ବାଇ: ବଲିଉଡ୍ ର ଟ୍ରାଜେଡି କିଙ୍ଗ୍ ଭାବେ ଜଣାଶୁଣା କିମ୍ବଦନ୍ତୀ ନାୟକ ଦିଲ୍ଲୀପ କୁମାର ଆଉ ନାହାନ୍ତି । ୯୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ତଳେ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା । ତାଙ୍କର ରକ୍ତଚାପ ଏବଂ ହେମୋଗ୍ଲୋବିନ୍ ସ୍ତର କ୍ରମାଗତ ହ୍ରାସ୍ ପାଇବାରୁ ଆଜି ସକାଳ ସାଢ଼େ ସାତଟାରେ ତାଙ୍କର ପରଲୋକ ହୋଇଥିଲା । ଏହି କିମ୍ବଦନ୍ତୀ ପୁରୁଷଙ୍କ ମୃତ୍ୟୁ ଯୋଗୁଁ ସମଗ୍ର ବଲିଉଡ୍ ରେ ଶୋକର ଛାୟା ଖେଳିଯାଇଛି ।
ଭାରତୀୟ ଚଳଚିତ୍ର ଜଗତର ସର୍ବକାଳୀନ ମହାନ୍ ଅଭିନେତା ହେଉଛନ୍ତି ଦିଲ୍ଲୀପ କୁମାର । ତାଙ୍କର ଅସାଧାରଣ ପ୍ରତିଭା ଯୁଗ ଯୁଗ ପାଇଁ ପ୍ରେରଣାଦାୟୀ ହୋଇରହିବ । ୧୯୪୪ରେ ନିଜର ପ୍ରଥମ ଫିଲ୍ମ ଦିଲ୍ଲୀପ କୁମାରଙ୍କୁ ବିଫଳତା ଦେଇଥିଲେ ମଧ୍ୟ ଦୁଇବର୍ଷ ପରେ ୧୯୪୭ ମସିହାରେ ତାଙ୍କ ଦ୍ୱିତୀୟ ଫିଲ୍ମ ଜୁଗୁନ୍ ବକ୍ସ ଅଫିସ୍ ହିଟ୍ କରିଥିଲା । ଏହାର ଦୁଇବର୍ଷ ପରେ ୧୯୪୯ ରେ ତାଙ୍କ ଅଭିନୀତ ଫିଲ୍ମ ଅନ୍ଦାଜ୍ ତାଙ୍କୁ ବିଗ୍ ଷ୍ଟାର୍ ର ଆଖ୍ୟା ଦେଇଥିଲା । ଏହି ଫିଲ୍ମରେ ରାଜକପୁର ଏବଂ ନର୍ଗିସ ମଧ୍ୟ ଅଭିନୟ କରିଥିଲେ ।
ତାଙ୍କ ଅଭିନୀତ ହିଟ୍ ଓ ଚର୍ଚ୍ଚିତ ଚଳଚିତ୍ର ମଧ୍ୟରେ ରହିଛି ଦେବଦାସ, ରାମ ଔର୍ ଶ୍ୟାମ୍, ନୟା ଦୌର୍, ମଧୁମତୀ, କ୍ରାନ୍ତି, ବିଧାତା, ଶକ୍ତି ଏବଂ ମଶାଲ୍ ।
୧୯୫୪ ମସିହାରେ ସେ ପ୍ରଥମ ଅଭିନେତା ଭାବେ ଫିଲ୍ମ ଫେୟାର୍ ବେଷ୍ଟ ଆକ୍ଟର୍ ଆୱାର୍ଡ ପାଇଥିଲେ । ଶ୍ରେଷ୍ଠ ଅଭିନେତା ଭାବେ ସେ ସର୍ବାଧିକ ୮ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ । ଜଣେ ଅଭିନେତା ଭାବେ ସଂଖ୍ୟାଧିକ ପୁରସ୍କାର ପାଇ ସେ ଗିନିଜ୍ ୱାର୍ଲଡ୍ ରେକର୍ଡ ରେ ସ୍ଥାନ ପାଇଛନ୍ତି । ଏହି ମହାନ୍ ଅଭିନେତାଙ୍କୁ ୧୯୯୪ ରେ ଦାଦା ସାହେବ ଫାଲକେ ସମ୍ମାନ ଏବଂ ୨୦୧୫ ରେ ପଦ୍ମବିଭୂଷଣ ସମ୍ମାନ ମିଳିଥିଲା ।
ଦିଲ୍ଲୀପ କୁମାରଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ବହୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବଲିଉଡ୍ ଓ ସାଂସ୍କୃତିକ ଜଗତ ପାଇଁ ଏହା ଅପୂରଣୀୟ କ୍ଷତି ବୋଲି ସେମାନେ ଉଲ୍ଲେଖ କରି ବଲିଉଡ ଜଗତରେ ଗୋଟିଏ ଅଧ୍ୟାୟର ଅବସାନ ଘଟିଲା ବୋଲି ନିଜ ଶୋକବାର୍ତ୍ତାରେ କହିଛନ୍ତି ।