ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ । ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗ ନେଇ ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ଥିବା ବେଳେ ତାହା ରାଜ୍ୟ ସରକାର ପ୍ରତ୍ୟାହାର କରିଲେ ନାହିଁ । ପିଲା ମାନଙ୍କୁ ଅପାଠୁଆ କରିବା ପାଇଁ ପୁସ୍ତକ ଗୁଡ଼ିକରେ ମାଳ ମାଳ ତ୍ରୁଟି ରହିଛି । ପୁସ୍ତକ ପ୍ରକାଶନରେ ୩୮୦କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହି ଦୁର୍ନୀତିରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମିଲ୍ ରହିଛନ୍ତି । ବିକ୍ଷୋଭ ଓ ଜନଜାଗରଣ ସତ୍ତ୍ୱେ ବିଜେପି ସରକାର ତିଳେ ହେଲେ ଭୃକ୍ଷେପ କରୁନାହିଁ । ଏ ଯାଇଁ ଛାତ୍ରଛାତ୍ରୀ ମାନଙ୍କୁ ତ୍ରୁଟି ଶୂନ୍ୟ ପୁସ୍ତକ ମିଳିପାରିଲା ନାହିଁ । ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ଅଧିକାର ପାଇଁ ବିଜେଡି ଲଢେଇ କରିବ । ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସେପ୍ଟେମ୍ୱର ୨୨ ଓ ୨୩ ତାରିଖରେ ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି । ଆସନ୍ତା ୨୨ ତାରିଖ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯଦି ଇସ୍ତଫା ପ୍ରଦାନ ନକରିବେ । ଆସନ୍ତା ୨୨ ତାରିଖ ବିଧାନସଭା ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିବ ଯୁବ ଓ ଛାତ୍ର ବିଜେଡିି । ରାଜ୍ୟସାରା ଯୁବ ଓ ଛାତ୍ର ଏଥିରେ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ ପ୍ରଦାନ କରିଛନ୍ତି । ଏହା ସହିତ ସାମାଜିକ ସଂଗଠନ, ଅଭିଭାବକ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନଙ୍କ ସମର୍ଥନ ଲୋଡିଛନ୍ତି ।
ଛାତ୍ର ସଭାପତି ଇପ୍ସିତା ସାହୁ କହିଥିଲେ ଯେ ବିଜେପି ସରକାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଜରିଆରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଛନ୍ତି । ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ତାଙ୍କ ଶାସନ କାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏକ ମାଇଲଖୁଣ୍ଟ ହାସଲ କରି ବିଶ୍ୱ ଦରବାରରେ ପ୍ରଶଂସିତ ହୋଇଥିଲା । ୫-ଟି ଯୋଜନାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିଥିଲା । କିନ୍ତୁ ବର୍ତ୍ତମାନ ବିଜେପି ସରକାରରେ ତାହା ବିପର୍ଯ୍ୟସ୍ତ ହୋଇଛି । ତ୍ରୁଟିପୂର୍ଣ୍ଣ ପୁସ୍ତକ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି । ଏହାକୁ ବିରୋଧ କରି ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟସାରା ପ୍ରତିବାଦ ପ୍ରଦର୍ଶନ କରିଥିଲା । ରାଜ୍ୟ ସାରା ପ୍ରତି ଜିଲ୍ଲାରେ ବିକ୍ଷୋଭ ସମୟରେ ଅଭିଭାବକ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନେ ସମର୍ଥନ ମଧ୍ୟ ଜଣାଇଥିଲେ । କିନ୍ତୁ ଏତେ ପରେ ମଧ୍ୟ ରାଜ୍ୟର ବିଜେପି ସରକାର ଚେତିଲା ନାହିଁ । ଓଡ଼ିଶାକୁ ପଙ୍ଗୁ କରିବା ପାଇଁ ବିଜେପି ସରକାର ଯୋଜନାବଦ୍ଧ ଭାବେ ଜାତୀୟ ଶିକ୍ଷା ନୀତି (ଏନଇପି ୨୦୨୦)ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟି ପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରକାଶ କରି ଭବିଷ୍ୟତ ପିଢ଼ିଙ୍କ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଛନ୍ତି । ବିଜେପି ନିଜ ଦୋଷକୁ ସ୍ୱୀକାର କରିବାରେ ନାରାଜ ରହିଛି । ବିଜେପିର ଗୋଷ୍ଠୀ କନ୍ଦଳ ଯୋଗୁଁ ପିଲା ମାନଙ୍କ ଭବିଷ୍ୟତ ସହ ଖେଳି ଅନ୍ଧକାରକୁ ଠେଲି ଦେଉଛନ୍ତି । ଏହାକୁ ବିରୋଧ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ପ୍ରତିବାଦ କରି ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ବ୍ୟବସ୍ଥାରେ ବିଜେଡି ପକ୍ଷରୁ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ ଡବଲ ଇଞ୍ଜିନ ସରକାରଙ୍କ ଆକ୍ରମଣକୁ ଜୋରଦାର ବିରୋଧ କରାଯିବ ବୋଲି ସେ କହିଛନ୍ତି ।