ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ । ୯ଟି କାର୍ଯ୍ୟଦିବସ ସହ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ପାଖାପାଖି ୬ ମାସର ବ୍ୟବଧାନରେ ବସୁଥିବା ବିଧାନସଭାର ଏହି ଅଧିବେଶନ ପାଇଁ ମାଳ ମାଳ ପ୍ରସଙ୍ଗ ରହିଛି । ଆଇନଶୃଙ୍ଖଳା ପରିସ୍ଥିତି, ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ, ପିଲାଙ୍କ ପାଠ୍ୟପୁସ୍ତକ ତ୍ରୁଟି, ବିଭିନ୍ନ ସାମଗ୍ରୀର ଦରବୃଦ୍ଧି, ଏମଏମଡିଆର ସଂଶୋଧନ ଆଇନ, ଏମଡିଆର ଭଳି ପ୍ରସଙ୍ଗ ବିଧାନସଭାରେ ଆଲୋଚନା ପାଇଁ ଯଥେଷ୍ଟ ଗରୁତ୍ୱ ରଖୁଛି । ଶାସକ ଦଳକୁ ଘେରିବା ନିମନ୍ତେ ବିରୋଧୀ ଦଳ ପାଇଁ ଏସବୁ ମୁଖ୍ୟ ପ୍ରସଙ୍ଗ ହୋଇଥିଲା ବେଳେ ଏହାର ମୁକାବିଲା ପାଇଁ ଶାସକ ଦଳ ନିଜକୁ ପ୍ରସ୍ତୁତ କରିଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକ ଡାକି ଗୃହକୁ ସୁରୁଖୁରୁରେ ଚଲାଇବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।
ବିଶେଷକରି ଏମଏମଡିଆର ପ୍ରସଙ୍ଗରେ ଗୃହ ସରଗରମ ହେବ ବୋଲି ଆଭାସ ମିଳିଗଲାଣି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏମଏମଡିଆର ଉପରେ ଲେଖିଥିବା ଦ୍ୱିତୀୟ ଚିଠିରୁ ବିଜେଡିର ବିଧାନସଭା ରଣନୀତିର ସ୍ପଷ୍ଟ ଆଭାସ ଆସିସାରିଛି । ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି । ସୁତରାଂ ଏହି ପ୍ରସଙ୍ଗକୁ ନେଇ ବିଜେଡି ବିଧାନସଭାରେ ଲଢ଼େଇ କରିବାକୁ ପ୍ରସ୍ତୁତ ରହିଛି ।
ଆଜି ବାଚସ୍ପତିଙ୍କ ଚାମ୍ବରରେ ସର୍ବଦଳୀୟ ବୈଠକ ସରିଲା ପରେ ବିଜେଡି ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ଉପମୁଖ୍ୟ ସଚେତକ ପ୍ରତାପ ଦେବ ବିଧାନସଭା ସଚିବଙ୍କୁ ଭେଟି ଏମଏମଡିଆର ପ୍ରସଙ୍ଗରେ ଏକ ମୋସନ୍(ସଂକଳ୍ପ) ନୋଟିସ୍ ଦେଇଛନ୍ତି । ଏମଏମଡିଆର ସଂଶୋଧନ ଆଇନ ଉପରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଏହି ନୋଟିସ୍ ଦିଆଯାଇଛି । କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରିଛି । ସେପଟେ ଯେ କୋ÷ଣସି ପ୍ରସଙ୍ଗରେ ଆଲୋଚନା ପାଇଁ ଶାସକ ଦଳ ପ୍ରସ୍ତୁତ ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦମ୍ଭ ଦେଖାଇଛନ୍ତି ।
ଆଜି ସଂଧ୍ୟାରେ ତିନୋଟି ଯାକ ଦଳ ପୃଥକ୍ ବୈଠକରେ ସେମାନଙ୍କର ବିଧାନସଭା ରଣନୀତି ସ୍ଥିର କରିଛନ୍ତି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ କଂଗ୍ରେସ ବିଧାୟକ ଅଶୋକ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ଅନ୍ୟପକ୍ଷରେ ପିଲାଙ୍କ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବିଧାନସଭା ଭିତରେ ଓ ବାହାରେ ସରକାରଙ୍କୁ ଘେରିବାକୁ ଉଭୟ ବିଜେଡି ଏବଂ କଂଗ୍ରେସ ପ୍ରସ୍ତୁତ ହୋଇସାରିଛି । ଆସନ୍ତା କାଲି ଏବଂ ପଅରଦିନ ବିଜୁ ଓ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିଧାନସଭା ଘେରାଉ ପାଇଁ ଧମକ ଦିଆଯାଇଛି । ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଯୁବ ଓ ଛାତ୍ର ନେତାମାନେ ଅହୋରାତ୍ର ଧାରଣାରେ ବସିବେ ।
ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ନିଯୁକ୍ତି ଅଧିକାର ପାଇଁ ୨୫ ତାରିଖରେ ବିଧାନସଭା ସମ୍ମୁଖରେ ଅଖିଳ ଭାରତ ଛାତ୍ର ସଂଘ ଓ ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ ।