ଭୁବନେଶ୍ୱର: ବେଲଜିୟମର ଲିୟୁଭେନଠାରେ ଆୟୋଜିତ ଆଇସିଏ ସିସିଆର ଗ୍ଲୋବାଲ୍ ୟୁରୋପିଆନ୍ କୋଅପରେଟିଭ କନଫରେନ୍ସରେ ଭାରତରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଜୁଲାଇ ୧୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ‘ଇନୋଭେସନ ଇନ କୋଅପରେଟିଭ୍ ଗଭର୍ଣ୍ଣାସ୍-ଇକୋସିଷ୍ଟମ୍ ଟୁ ପ୍ରମୋଟ୍ ଦ ଇନୋଭେଟିଭ କାପାସିଟି ଅଫ କୋଅପରେଟିଭସ୍’ ବିଷୟବସ୍ତୁ ଉପରେ ସମ୍ମିଳନୀରେ ଆଲୋଚନା ହେବ ।
ସମ୍ମିଳନୀରେ ଯୋଗଦେବା ପାଇଁ ମନ୍ତ୍ରୀ ଶ୍ରୀ ନାୟକ ଆଜି ଅପରାହ୍ନରେ ବେଲଜିୟମ୍ ଅଭିମୁଖେ ଯାତ୍ରା କରିଛନ୍ତି । ତାଙ୍କ ସହିତ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ ଏହି ଗସ୍ତରେ ସାମିଲ ହୋଇଛନ୍ତି । ୮ ଦିନିଆ ଗସ୍ତ ସାରି ଆସନ୍ତା ୧୫ ତାରିଖରେ ମନ୍ତ୍ରୀ ବେଲଜିୟମ୍ ରୁ ଭୁବନେଶ୍ୱର ଫେରିବେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଥାଉକି, ରାଜ୍ୟ ସମବାୟ ବ୍ୟାଙ୍କଗୁଡ଼ିକର ଜାତୀୟ ସଂଗଠନ(NAFSCOB) ଦ୍ୱାରା ଶ୍ରୀ ନାୟକ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି । ସମ୍ମିଳନୀର ନିର୍ଯ୍ୟାସ ଓଡ଼ିଶାରେ ସମବାୟ ଆନ୍ଦୋଳନକୁ ଆହୁରି ସଶକ୍ତ କରିବ ବୋଲି ଆଶା କରାଯାଉଛି ।