ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ଭୟଙ୍କର ବାହାନଗା ରେଳ ଦୁର୍ଘଟଣାର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି । ଦୀର୍ଘ ୧ ମାସ ଧରି ଖୋଳତାଡ଼ କରିବା ପରେ ସିବିଆଇ ସଂପୃକ୍ତ ଡିଭିଜନରେ କାର୍ଯ୍ୟରତ ୩ ଜଣ ଅଧିକାରୀଙ୍କୁ ଆଜି ଗିରଫ କରିଛି । ସେମାନେ ହେଲେ ସିନିଅର ସେକ୍ସନ ଇଞ୍ଜିନିୟର(ସିଗନାଲ୍) ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଏବଂ ଟେକ୍ନିସିଆନ୍ ପପୁ କୁମାର । ସେମାନଙ୍କ ବିରୋଧରେ ଆଇପିସର ୩୦୪(ଜାଣିକି ମୃତ୍ୟୁ ମୁହଁକୁ ଠେଲିଦେବା) ଏବଂ ୨୦୧ (ପ୍ରମାଣ ନଷ୍ଟ) ଦଫା ଲଗାଯାଇଛି ।
ଗିରଫ ତିନି ଅଭିଯୁକ୍ତଙ୍କୁ ବିଳମ୍ବିତ ସଂଧ୍ୟାରେ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କଠାରୁ ଅଧିକ ତଥ୍ୟ ଓଗାଳିବା ପାଇଁ ସିବିଆଇ ପକ୍ଷରୁ ୭ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା । ସ୍ୱତନ୍ତ୍ର କୋର୍ଟ ୫ ଦିନ ରିମାଣ୍ଡ ଅନୁମତି ଦେବା ପରେ ୩ ଅଭିଯୁକ୍ତଙ୍କୁ କୌଣସି ଏକ ଗୋପନୀୟ ଜାଗାକୁ ନେଇଯାଇଛି ସିବିଆଇ ।
ଜୁନ୍ ୨ ତାରିଖରେ ବାଲେଶ୍ୱରର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ରେଳ ଦୁର୍ଘଟଣା ଇତିହାସରେ ଏହା ସବୁଠାରୁ ବଡ଼ ଓ ଭୟଙ୍କର ଦୁର୍ଘଟଣା ଥିଲା । ଦୁର୍ଘଟଣା ପରେ ପରେ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇଲେକଟ୍ରୋନିକ୍ ଇଣ୍ଟଲକିଂ ସିଷ୍ଟମରେ ଟାମ୍ପରିଂ ପାଇଁ ଏହି ଦୁର୍ଘଟଣା ଘଟିଥିବା ସ୍ୱୀକାର କରି ଦୋଷୀ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସିବିଆଇକୁ ତଦନ୍ତ ନିଦେ୍ର୍ଦଶ ଦେଇଥିଲେ ।
ପରଦିନ ସିବିଆଇ ତୁରନ୍ତ ଦୁର୍ଘଟଣାସ୍ଥଳକୁ ଆସି ଛାନଭିନ୍ ଆରମ୍ଭ କରିଥିଲା । ଇତିମଧ୍ୟରେ ରେଳୱେ ସେଫ୍ଟି କମିସନର ତାଙ୍କ ତଦନ୍ତ ରିପୋର୍ଟରେ ମାନବୀୟ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା କହିଥିଲେ । ଅନ୍ୟପଟେ ସିବିଆଇ ବାଲେଶ୍ୱର ଡିଭିଜନ୍ ରେ କାର୍ଯ୍ୟରତ ସବୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ପଚରାଉଚୁରା କରିଥିଲା । ତଦନ୍ତ କାଳରେ ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଏବଂ ଟେକ୍ନିସିଆନ୍ ପପୁ କୁମାରଙ୍କ ଉପରେ ସିବିଆଇ ଅଧିକାରମାନଙ୍କ ନଜର କେନ୍ଦ୍ରୀଭୂତ ହୋଇଥିଲା । ଏହିମାନଙ୍କ ତ୍ରୁଟି ପାଇଁ ଏତେବଡ଼ ଘଟଣା ଘଟିଗଲା ବୋଲି ସମ୍ଭବତଃ ସିବିଆଇ ସୁରାକ୍ ପାଇଥିଲା ।
ପରବର୍ତ୍ତୀ ସମୟରେ ଏମାନଙ୍କୁ ବାରମ୍ବାର ପଚରାଉଚୁରା ଜାରି ରଖିବା ପରେ ଆଜି ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସରେ ଏହି ୩ ଜଣଙ୍କୁ ଗିରଫ ଦର୍ଶାଇଥିଲା । ଏହାପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା । ସେଠାରୁ ବିଳମ୍ବିତ ରାତିରେ ଭୁବନେଶ୍ୱର ସିବିଆଇ ସ୍ୱତନ୍ତ୍ର କୋର୍ଟ ଅଣାଯାଇଥିଲା ।