ଭୁବନେଶ୍ୱର: ଓଡ଼ିଶାକୁ ଦୁଇଟି ବିଶ୍ୱସ୍ତରୀୟ କ୍ୟାନସର୍ ପ୍ରତିଷ୍ଠାନ ଆଣିବାକୁ ଯାଉଛନ୍ତି ବାଗଚୀ ଦମ୍ପତ୍ତି । ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଏବଂ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ନିଜସ୍ୱ ସମ୍ପତ୍ତିରୁ ଏଥିପାଇଁ ୩୪୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । କ୍ୟାନସର୍ ହସ୍ପିଟାଲ୍ ଏବଂ ଗବେଷଣା ପ୍ରତିଷ୍ଠାନ ପାଇଁ ୨୧୦ କୋଟି ଏବଂ ରାଜ୍ୟର ପ୍ରଥମ ପାଲିଏଟିଭ (କରୁଣାଶ୍ରୟ) କେୟାର ସେଣ୍ଟର ପାଇଁ ୧୩୦ କୋଟି ଟଙ୍କା ଦେଇଛନ୍ତି । ଇନଫୋ ଭ୍ୟାଲି ନିକଟରେ ରାଜ୍ୟ ସରକାର ଏଥିପାଇଁ ୨୦ ଏକର ଜମି ଯୋଗାଇ ଦେବେ । କ୍ୟାବିନେଟ୍ ଆଜି ଏହାକୁ ମଂଜୁରୀ ଦେଇଛି ।
ବେଙ୍ଗାଲୁରସ୍ଥିତ ଶ୍ରୀ ଶଙ୍କର କ୍ୟାନସର୍ ଫାଉଣ୍ଡେସନ୍ ଭୁବନେଶ୍ୱରରେ ପ୍ରତିଷ୍ଠା କରିବ ବାଗଚୀ-ଶ୍ରୀ ଶଙ୍କର କ୍ୟାନସର୍ ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର । ଏହା ୫୦୦ ଶଯ୍ୟା ବିଶିଷ୍ଟ ହେବ । ପ୍ରଥମ ପର୍ଯ୍ୟାୟରେ ୨୫୦ ଶଯ୍ୟା ହସ୍ପିଟାଲ୍ ଆସନ୍ତା ୨୦୨୪ ଜାନୁଆରୀ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ପରବର୍ତ୍ତୀ ସମୟରେ ଏହା ୫୦୦ ଶଯ୍ୟା ହେବ । ଏଥିରେ ବିଶ୍ୱସ୍ତରୀୟ ଚିକିତ୍ସା ସେବା ଉପଲବ୍ଧ ହେବ ।
ଉକ୍ତ ହସ୍ପିଟାଲ୍ ରେ ୨୫% ବେଡ୍ ଗରିବ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ସେମାନେ ମାଗଣାରେ ଚିକିତ୍ସା ସୁବିଧା ପାଇବେ । ୨୫% ବେଡ୍ ବିଭିନ୍ନ ସରକାରୀ ହେଲଥ୍ ସ୍କିମ୍ ରେ ଆସୁଥିବା ରୋଗୀଙ୍କ ପାଇଁ ରହିବ । ଅବଶିଷ୍ଟ ୫୦% ରୋଗୀଙ୍କୁ ଚିକିତ୍ସା ଖର୍ଚ୍ଚ ଦେବାକୁ ପଡ଼ିବ । ତେବେ ଏହି ଅର୍ଥ ହସ୍ପିଟାଲ୍ ସମ୍ପ୍ରସାରଣ ଏବଂ ଗରିବ ରୋଗୀଙ୍କ ଖର୍ଚ୍ଚରେ ଲାଗିବ ।
କ୍ୟାସନର୍ ହସ୍ପିଟାଲ୍ କୁ ଲାଗି ପ୍ରତିଷ୍ଠା ହେବ ବାଗଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର । ବେଙ୍ଗାଲୁରୁ ସ୍ଥିତ ପାଲିଏଟିଭ୍ କେୟାର ସଂଗଠନ “କରୁଣାଶ୍ରୟ’ ଏହା ସ୍ଥାପନ କରିବ । ୧୦୦ ଶଯ୍ୟା ବିଶିଷ୍ଟ ଏହି କେୟାର ସେଣ୍ଟର୍ ରେ ରୋଗୀଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯିବ ।
କ୍ୟାନସର ଚିକିତ୍ସାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ହେବ ବୋଲି ବାଗଚୀ ଦମ୍ପତ୍ତି ଟ୍ୱିଟ୍ କରି ଜଣାଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ପାଇଁ ସେମାନେ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀମତୀ ବାଗଚୀ କହିଛନ୍ତି,
କୋଭିଡ୍-୧୯ ସମୟରେ ଆମେ ଉପଲବ୍ଧି କଲୁ କି ରାଜ୍ୟର ସ୍ୱାସ୍ଥ୍ୟ ସେବା ପାଇଁ ସରକାରଙ୍କ ଉପରେ ବିରାଟ ଚାପ ରହିଛି । ସବୁ ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ ନ କରି ଆର୍ଥିକ ସାମର୍ଥ୍ୟ ଥିବା ବ୍ୟକ୍ତିମାନେ ଯଦି ସରକାରଙ୍କ ସହିତ ସହଯୋଗ କରନ୍ତି, ତେବେ ରାଜ୍ୟ ଓ ରାଜ୍ୟବାସୀ ନିଶ୍ଚିତ ଭାବରେ ଉପକୃତ ହେବେ । ଆମର ଅନୁଦାନ ଗ୍ରହଣ କରିଥିବାରୁ ଉଭୟ ସୁବ୍ରତ ଓ ମୁଁ ସରକାରଙ୍କ ନିକଟରେ କୃତଜ୍ଞ । ଯେଉଁ ଓଡ଼ିଶାର ମାଟିରେ ଆମେ ଜନ୍ମ ହୋଇଛୁ, ଯେଉଁ ପାଣିପବନରେ ଆମେ ବଢ଼ିଛୁ, ସେଇ ମା’ ମାଟି ପାଇଁ ଆମର ଏଇ ସାମାନ୍ୟ ଅନୁଦାନ । ଆମର ଅନୁରୋଧ ରକ୍ଷା କରି ଓଡ଼ିଶାକୁ ଆସିବା ପାଇଁ ସମ୍ମତି ଦେଇଥିବାରୁ ସୁବ୍ରତ ଓ ମୁଁ “କରୁଣାଶ୍ରୟ’ ଓ ଶ୍ରୀ ଶଙ୍କର କ୍ୟାନସର୍ ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍’ କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।








