ଭୁବନେଶ୍ୱର/ପିପିଲି: ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ ଟି ଜିଲ୍ଲା ପରିଷଦ ଜୋନ୍ ରେ ଭର୍ଚୁଆଲ୍ ପ୍ରଚାର କରି ମୁଖ୍ୟମନ୍ତ୍ରୀ ପିପିଲି-ଡେଲାଙ୍ଗବାସୀଙ୍କଠାରୁ ଭୋଟ ମାଗିଛନ୍ତି । ପିପିଲି-ଡେଲାଙ୍ଗର ବିକାଶ କାମ ନିଜେ ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ପିପିଲି-ଡେଲାଙ୍ଗ ଯାଇଥିଲେ ମୁଁ ବହୁତ ଖୁସି ହୋଇଥାନ୍ତି । ମୁଁ ଜାଣେ ମୋ ପ୍ରତି ଆପଣମାନଙ୍କର ବହୁତ ଭଲ ପାଇବା ରହିଛି । ଯଦି ପିପିଲି-ଡେଲାଙ୍ଗ ଯାଇଥାନ୍ତି ତେବେ ଆପଣମାନେ ମୋତେ ଆଶିର୍ବାଦ କରିବାକୁ ବହୁ ସଂଖ୍ୟାରେ ଏକାଠି ହୋଇଥାନ୍ତେ । ଭାବିଲି କୋଭିଡ୍ ସମୟରେ ଏହା ଉଚିତ ହେବ ନାହିଁ । ମୋ ପାଇଁ କିଏ ବିପଦରେ ପଡୁ ଏହା ମୁଁ ଚାହେଁ ନାହିଁ । ସେଥିପାଇଁ ଆଜି ଭିଡ଼ିଓ କନଫରେନ୍ସିଂ ରେ ଆପଣମାନଙ୍କୁ ଭେଟୁଛି । କରୋନା ଦୂର ହେବା ପରେ ମୁଁ ନିଜେ ପିପିଲି-ଡେଲାଙ୍ଗ ଯାଇ ଆପଣମାନଙ୍କୁ ଭେଟିବି ।
ଚାଷୀ, ଗରିବ, ମହିଳା ଆଦି ସବୁ ବର୍ଗର ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଆଗରେ ଅଛି । ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି । ଆାମ ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କୁ ନେଇ ଗଠିତ ମିଶନ ଶକ୍ତି ଆଜି ବିକାଶର ସାରଥୀ ହୋଇଛି । ମା’ ମାନଙ୍କର ସମୃଦ୍ଧି ହିଁ ପରିବାରର ସମୃଦ୍ଧି । ଆଜି ଆମର ମା’ ମାନେ ହେଉଛନ୍ତି ଗାଁ, ପଞ୍ଚାୟତ, ବ୍ଲକ୍ ଆଦିରେ ଥିବା ସରକାରୀ ସମ୍ପତ୍ତି ମାଲିକ । ମା’ ମାନେ ବହୁ ସଂଖ୍ୟାରେ ଆସି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଜାଣେ ଆଗକୁ ଆହୁରି ଅନେକ ଭଲ କାମ ପାଇଁ ସୁଯୋଗ ରହିଛି । ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି । ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶାର୍ବାଦ କରନ୍ତୁ ।
ପିପିଲି ଉପନର୍ବାଚନ ମୈଦାନରେ ପ୍ରଥମ ଥର ପାଇଁ ବିଜେଡ଼ିର ଏକ ନମ୍ବର ଷ୍ଟାର୍ ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ପିପିଲି ବ୍ଲକ୍ ର ପାଟ ସାହାଣିପୁର, ଦାଣ୍ଡ ମୁକୁନ୍ଦପୁର, କୁମାରେଶ୍ୱର ଏବଂ ଡେଲାଙ୍ଗ ବ୍ଲକ୍ ର ରେଞ୍ଚ, ବଡ ଅଙ୍କୁଳା ଏବଂ ସିଂହ ବରହମପୁର ଜୋନ୍ ରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍ ପ୍ରଚାର ପାଇଁ ସମାବେଶ ଆୟୋଜନ ହୋଇଥିଲା । ପିପିଲି ପ୍ରଚାର ଦାୟିତ୍ୱରେ ଥିବା ଦଳୀୟ ନେତାମାନେ ଏହିସବୁ ଜାଗାରେ ଉପସ୍ଥିତ ଥିଲେ ।
ଆଶ୍ରିତଙ୍କ ପାଇଁ ପ୍ରଚାର କଲେ ଅପରାଜିତା, କାଲି ଧର୍ମେନ୍ଦ୍ରଙ୍କ ପ୍ରଚାର
ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଆଜି ପିପିଲି-ଡେଲାଙ୍ଗରେ ପ୍ରଚାର କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଶ୍ରିତଙ୍କୁ ଧରି ସେ ଲକ୍ଷ୍ମୀନାରାୟଣପୁର, ପୁବା ଶାସନ, ପାମୋସରା, ପୋପାରଙ୍ଗା, ଓରାକୋଳା, ଭାରତିପୁର, ପାଣିଡୋଳା, କାଣ୍ଟି, ହରିରାଜପୁର ବୁଲି ଭୋଟ ମାଗିଥିଲେ । ଆସନ୍ତାକାଲି ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶ୍ରିତଙ୍କ ପାଇଁ ପ୍ରଚାର କରିବେ ।