ଭୁବନେଶ୍ୱର: ଯାହାଙ୍କ ଭୋଟ ପାଇ ବୈଜୟନ୍ତ ପଣ୍ଡା ଦିଲ୍ଲୀ ଗଲେ, ମାସ କେଇଟାରେ ସେମାନଙ୍କୁ ଭୁଲିଗଲେ । କେନ୍ଦ୍ରାପଡ଼ାବାସୀଙ୍କର ବିପଦ ବେଳେ ଦେଖା ମିଳିଲେନି ଏହି ହେଲିକପ୍ଟର ବାବୁ । ଭୟଙ୍କର ବାତ୍ୟା ‘ଦାନା’ ପାଇଁ କେନ୍ଦ୍ରାପଡ଼ା ହାଇ ଆଲର୍ଟ ଜୋନ୍ ରେ ଥିବା ବେଳେ ଅଞ୍ଚଳବାସୀଙ୍କ ପାଖରେ ଛିଡ଼ା ହେବାକୁ ଉଚିତ୍ ମଣିଲେ ନାହିଁ । ସେମାନଙ୍କୁ ସାହାସ କି ସମବେଦନା ଜଣାଇବା ପାଇଁ ଟୁଇଟ୍ ଟେ ବି କଲେ ନାହିଁ । କେନ୍ଦ୍ରାପଡ଼ାବାସୀ ବାତ୍ୟା ବିପତ୍ତିରେ ଥରହର ହେଉଥିବା ବେଳେ ସାଂସଦ ମହାଶୟ ଦିଲ୍ଲୀରେ ଜର୍ମାନ୍ ପାର୍ଲିଆମେଣ୍ଟାରୀ ପ୍ରତିନିଧି ଦଳ ସହ ଫାଇଭ୍ ଷ୍ଟାର୍ ହୋଟେଲରେ ମଉଜ କରୁଥିଲେ । ସଂସଦୀୟ ପବ୍ଲିକ୍ ଅଣ୍ଡରଟେକିଂ କମିଟି(ପିୟୁସି) ବୈଠକରେ ଅଧ୍ୟକ୍ଷତା କରି ନିଜକୁ ଗୌରବାନ୍ୱିତ ମନେ କରୁଥିଲେ ।
ଭୟଙ୍କର ରୂପରେ ‘ଦାନା’ ଓଡ଼ିଶା ଉପକୂଳ ହିଟ୍ କରିବ ଏବଂ ଏଥିରେ ଭଦ୍ରକ ଓ କେନ୍ଦ୍ରାପଡ଼ା ବେଶୀ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ୩ ଦିନ ଆଗରୁ ସତର୍କ କରାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ସେଥିପାଇଁ ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସ୍ଥାନାନ୍ତର ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ମନ୍ତ୍ରୀ ଏବଂ ସଚିବମାନେ ଉପସ୍ଥିତ ରହିଥିଲେ । ପରିସ୍ଥିତିର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ସମ୍ପୂର୍ଣ୍ଣ ସଜାଗ ରହି ଭୁବନେଶ୍ୱରରେ ଘନ ଘନ ସମୀକ୍ଷା ବୈଠକ କରୁଥିଲେ । କେତେବେଳେ ଲୋକସେବା ଭବନ ତ ଆଉ କେତେବେଳେ ଏସଆରସି କାର୍ଯ୍ୟାଳୟରେ ବୈଠକ ତଥା ରେଡକ୍ରସ୍ ଭବନରେ ରିଲିଫ୍ ସାମଗ୍ରୀ ଅନୁଧ୍ୟାନ କରି ତାହାକୁ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଇବାର ସୁବନ୍ଦୋବସ୍ତ କରୁଥିଲେ ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦ୍ରାପଡ଼ାର ଆଳି, ରାଜନଗର ଆଦି ଜାଗା ବୁଲି ବାତ୍ୟା ସ୍ଥିତିର ମୁକାବିଲା କରୁଥିଲେ । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝୁଥିଲେ । ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାରେ ବି ଅନ୍ୟ ମନ୍ତ୍ରୀ ଓ ଅଫିସରମାନେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ରାତି ଉଜାଗର ରହିଥିଲେ । ବାତ୍ୟା ସମୟରେ ନେତାମାନେ ନିଜ ନିଜ ଅଞ୍ଚଳରେ ରହିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏବଂ ସେହି ଅନୁଯାୟୀ ଅଧିକାଂଶ ଦଳୀୟ ସାଂସଦ ଓ ବିଧାୟକମାନେ ନିଜ ନିଜ ଇଲାକାରେ ସଜାଗ ରହିଥିଲେ ।
ଅନୁରୂପ ଭାବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ନିଜେ ଲୋକଙ୍କୁ ଧୈର୍ଯ୍ୟ ଦେବା ସହ ଲୋକଙ୍କ ପାଖରେ ଉପସ୍ଥିତ ରହିବାକୁ ଦଳୀୟ ନେତା ଓ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନାନ୍ତର ଓ ଉଦ୍ଧାର କାର୍ଯ୍ୟରେ ପ୍ରଶାସନ ସହ ସହଯୋଗ କରିବାକୁ ତାଙ୍କର ପରାମର୍ଶକୁ ନେତା ଓ କର୍ମୀମାନେ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ।
ମାତ୍ର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ବାବୁଙ୍କ ପାଇଁ ଏସବୁର କୌଣସି ଗୁରୁତ୍ୱ ନ ଥିଲା । ଯେଉଁଥିପାଇଁ ତାଙ୍କୁ ଭୋଟ ଦେଇ ଦିଲ୍ଲୀ ପଠାଇଥିବା ଲୋକଙ୍କ ବିପଦ ବେଳେ ସେ ପାଖରେ ଛିଡ଼ା ହେଲେ ନାହିଁ । କେନ୍ଦ୍ରାପଡ଼ା ତଥା ଓଡ଼ିଶାର ପ୍ରାକୃତିକ ଦୁର୍ବିପାକକୁ ପୂର୍ବରୁ ହେଲିକପ୍ଟରରୁ ଭଲ ଭାବେ ଦେଖିଥିବା ଏହି ବାବୁଙ୍କ ପାଇଁ ଏଥରର ବାତ୍ୟା ଗୁରୁତ୍ୱ ରଖିଲା ନାହିଁ ।
କେନ୍ଦ୍ରାପଡ଼ାବାସୀଙ୍କୁ ଭୀଷଣ ବିପଦର ସତର୍କ କରାଇ ତାଙ୍କ ଟିଭି ଥରହର କରୁଥିବା ବେଳେ ଦିଲ୍ଲୀରେ ବସି ସେ କ୍ଷମତାର ମଜା ନେବା ତାଙ୍କର ଅସଲ ସ୍ୱରୂପକୁ ପୁଣି ପଦାରେ ପକାଇଛି ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏହାକୁ ନେଇ କେନ୍ଦ୍ରାପଡ଼ାବାସୀ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ।
ବୈଜୟନ୍ତଙ୍କର ଏଭଳି ଆଭିମୁଖ୍ୟ ଦଳକୁ ନିନ୍ଦିତ କରିଥିବାରୁ ବିଜେପି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷ ରଖୁଥିବା ବୈଜୟନ୍ତ ବାବୁଙ୍କର ସେଥିପାଇଁ କାଣିଚାଏ ଯୋଗ୍ୟତା ନାହିଁ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି । ଏକଦା ନବୀନ ପଟ୍ଟନାୟକଙ୍କ ସମକକ୍ଷ ନେତା ବୋଲି ନିଜକୁ ମନେ କରୁଥିବା ବୈଜୟନ୍ତ ବାବୁ, ଏବେକାର ମୋହନ ମାଝୀଙ୍କର ବି ସମକକ୍ଷ ନେତା ନୁହଁନ୍ତି ବୋଲି ସେ କଟାକ୍ଷ କରିଛନ୍ତି । ଲୋକଙ୍କ ମନ ଜିଣି କେମିତି ନେତୃତ୍ୱ ନେବାକୁ ହୁଏ ତାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ସେ ଶିକ୍ଷାଲାଭ କରିବା ଉଚିତ୍ ବୋଲି ବିଜେପିର ସେହି ବରିଷ୍ଠ ନେତା ମତ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲାରେ ବୈଜୟନ୍ତଙ୍କର ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦୀ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏଥର ମହାକାଳପଡ଼ାରୁ ଶୋଚନୀୟ ପରାଜୟ ବରଣ କରିବା ସତ୍ତ୍ୱେ ଅଞ୍ଚଳବାସୀଙ୍କ ପାଇଁ ତାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲିନାହାନ୍ତି । ତାଙ୍କ ମା’ ଙ୍କର ଅସ୍ଥି ବିସର୍ଜନ ପାଇଁ ପରିବାର ସହ ୪ ଦିନ ପାଇଁ ଓଡ଼ିଶା ବାହାରକୁ ଯାଇଥିଲେ । ମାତ୍ର ବାତ୍ୟା ବିପଦ ବେଳେ ନିଜ ଅଞ୍ଚଳବାସୀଙ୍କ ପାଖରେ ରହିବା ନିମନ୍ତେ ସେ ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ କାଟଛାଣ୍ଟ କରି ଗତକାଲି ସଂଧ୍ୟାରେ ଫେରି ଆସିଥିଲେ ।

ଗୋଟେ ପଟେ ବୈଜୟନ୍ତଙ୍କ ଅନୁପସ୍ଥିତିକୁ ନେଇ ଜିଲ୍ଲା ବିଜେପି ନେତାମାନେ ଲୋକଙ୍କ ଆକ୍ରୋଶର ସାମନା କରୁଥିବା ବେଳେ ପାରିବାରିକ ଗସ୍ତକୁ କାଟଛାଣ୍ଟ କରି ଆହ୍ଲାବାଦରୁ ଫେରି ଆସିଥିବା ଅତନୁ ମହାକାଳପଡ଼ାରେ ଗାଁ ଗାଁ ବୁଲି ଲୋକଙ୍କ ଅସୁବିଧାରେ ଛିଡ଼ା ହେବା ଚର୍ଚ୍ଚାର ବିଷୟ ହୋଇଛି ।






