ଭୁବନେଶ୍ୱର: ବୈପାରୀଗୁଡ଼ା ଥାନାର ଲାଞ୍ଚୁଆ ଆଇଆଇସି ସୁଶାନ୍ତ ଶତପଥୀ ଚାକିରୀରୁ ତଡ଼ା ଖାଇଛନ୍ତି । ପୁଲିସ ଡିଜି ଆଜି ସୁନୀଲ ବଂଶଲ ତାଙ୍କୁ ଚାକିରୀରୁ ବହିଷ୍କୃତ କରିଛନ୍ତି । ଏହି ଦୁର୍ନୀତିଖୋର ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନସ ବିଭାଗ ସୁପାରିଶ କରିଥିଲା ।
ଗତ ସୋମବାର ରାତିରେ ଆଇଆଇସି ସୁଶାନ୍ତ ଶତପଥୀ ଭିଜିଲାନଓ ହାବୁଡ଼ରେ ପଡ଼ିଥିଲେ । ଏକ ଘରୋଇ ବସ୍ ରେ କଟକ ଯାଉଥିବା ଶତପଥୀଙ୍କ ବ୍ୟାଗ୍ ରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା । ବୈପାରିଗୁଡ଼ା ଥାନାସ୍ଥିତ ତାଙ୍କ ଚାମ୍ବର ତଲାସି ବେଳେ ନଗଦ ୧ ଲକ୍ଷ ୮୦ ହଜାର ଓ ସରକାରୀ କ୍ୱାର୍ଟର୍ସରୁ ନଗଦ ୩ ଲକ୍ଷ ମିଳିଥିଲା । କଟକ ବକ୍ସିବଜାର ସ୍ଥିତ ଘରୁ ମିଳିଥିଲା ନଗଦ ୨୯ ଲକ୍ଷ ୭୭ ହଜାର ଟଙ୍କା । ଏହିପରି ଭାବେ ତାଙ୍କ ପାଖରୁ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ ହୋଇଥିଲା । ଏତେ ଟଙ୍କା ସେ କେଉଁଠୁ ଆଣିଲେ ଭିଜିଲାନସକୁ ତାହାର ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ପରେ ତାଙ୍କ ଘରର ତଲାସି ବେଳେ ବିପୁଳ ସମ୍ପତ୍ତିର ସନ୍ଧାନ ମିଳିଥିଲା ।
ଜୟପୁର ଭିଜିଲାନ୍ସ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତାଙ୍କର ଗିରଫକୁ ସ୍ଥାନୀୟ ଜନତା ବାଣ ଫୁଟାଇ ସ୍ୱାଗତ କରିଥିଲେ । ଏବେ ସେ ଜେଲ୍ ରେ ଅଛନ୍ତି ।
ଏଇ ବାବୁ ୧୯୯୯ ମସିହାରେ କନେଷ୍ଟବଳ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୦୮ ମସିହାରେ ଏସଆଇ ହୋଇଥିଲେ । ୨୦୦୯ ରୁ ୨୦୨୩ ପର୍ଯ୍ୟନ୍ତ ଏସଆଇ ଭାବେ କେନ୍ଦୁଝର, କଟକ, ଜଗତସିଂହପୁର ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଥାନାରେ କାମ କରିଥିଲେ । ସବୁଠି ତାଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ରହିଥିଲା । ଲାଞ୍ଚ ନେଇ ମଦ ବ୍ୟବସାୟୀଙ୍କୁ ଖଲାସ କରିବା, ମୁଦାଲାଙ୍କୁ ଛାଡ଼ିଦେବା ଭଳି ମଧ୍ୟ ଗୁରୁତର ଅଭିଯୋଗ ଥିଲା ।
ବିଶୃଙ୍ଖଳା ଓ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କ ନାମରେ ପୂର୍ବରୁ ତିନି ତିନି ଥର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ୨୦୧୨ ରେ ଜଗତସିଂହପୁର, ୨୦୧୮ ରେ କଟକ ଓ ୨୦୨୦ରେ ରାୟଗଡ଼ା ଏସପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ୨୦୨୦ ଜାନୁଆରି ୩୦ରେ ରାୟଗଡ଼ା ଏସପି ତାଙ୍କୁ ନିଲମ୍ବିତ କରିଥିଲେ । ତିନି ତିନି ଜଣ ଏସପିଙ୍କ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଥାଇ ବି ଗତ ଜୁନ୍ ମାସରେ ତାଙ୍କୁ ସବ ଇନସପେକ୍ଟରରୁ ଇନସପେକ୍ଟରକୁ ପଦୋନ୍ନତି ମିଳିଥିଲା । ସେପ୍ଟେମ୍ବର ମାସରେ ତାଙ୍କୁ ଗଞ୍ଜେଇ ବେପାରର ହବ୍ କୁହାଯାଉଥିବା ବୈପାରିଗୁଡ଼ାରେ ଥାନାବାବୁ ନିଯୁକ୍ତି ଦିଆଗଲା ।
ସୁଶାନ୍ତ ଶତପଥୀଙ୍କ କ୍ଷେତ୍ରରେ ଏସବୁ କେମିତି ସମ୍ଭବ ହେଲା ତାହା ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଥିଲା । କଟକ ଜିଲ୍ଲାର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଛତ୍ରଛାୟାରେ ସେ ନିଜର କାୟା ବିସ୍ତାର କରିଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ ।