ଭୁବନେଶ୍ୱର: ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ନିଆଯିବ । ଭୁବନେଶ୍ୱର ଏମ୍ସରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ପୀଡ଼ିତାଙ୍କ ପରିବାର ସହ ଆଲୋଚନା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ନେବାକୁ ନିଷ୍ପତ୍ତି ନିଆଯାଇଥିବା ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି । ଦିନ ସାଢ଼େ ୧୨ଟା ସୁଦ୍ଧା ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯିବ ବୋଲି ସେ କହିଛନ୍ତି ।
ପୀଡ଼ିତାଙ୍କ ଶରୀର ୭୦ରୁ ୭୫ ପ୍ରତିଶତ ପୋଡ଼ିଯାଇଛି । ତାଙ୍କ ଅବସ୍ଥା ଗମ୍ଭୀର ଅଛି । ହେଲେ ତାଙ୍କର ଚେତା ଅଛି ଏବଂ କଥାବାର୍ତ୍ତା କରୁଛନ୍ତି । ପାଣି ପିଉଛନ୍ତି । ଗତକାଲି ତାଙ୍କର ରକ୍ତଚାପ କମିଯାଇଥିଲା । ମାତ୍ର ଆଜି ସ୍ୱାସ୍ଥ୍ୟାବସ୍ଥାର ସାମାନ୍ୟ ଉନ୍ନତି ଆସିଥିବା ଏମ୍ସ ନିର୍ଦ୍ଦେଶକ ଡ. ବିଶ୍ୱାସ କହିଛନ୍ତି । ୧୪ ଜଣିଆ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ।
ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେବେ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ । ତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସରେ ଚିକିତ୍ସା କରିବାକୁ ସରକାର ପ୍ରସ୍ତୁତ ବୋଲି କହିଥିଲେ । ଯଦି ତାଙ୍କୁ ଏୟାରଲିଫ୍ଟ କରିବା ପାଇଁ ପରିସ୍ଥିତି ଅନୁକୂଳ ହୁଏ ଏବଂ ସେଥିପାଇଁ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଅନୁମୋଦନ ଦିଅନ୍ତି ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପୀଡ଼ିତାଙ୍କୁ ଦିଲ୍ଲୀ ନେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଅନ୍ୟପକ୍ଷରେ ଭୁବନେଶ୍ୱର ଏମ୍ସର ବର୍ଣ୍ଣ ୱାର୍ଡରେ ପୀଡ଼ିତା ଭର୍ତ୍ତି ହୋଇଥିବା ବେଳେ ବାହାରେ ରାଜନୀତି ତାତି ଜୋର୍ ଧରିଥିଲା । ବିଜେପି ସରକାରର ଅପାରଗତା ବିରୋଧରେ ଗତ ରାତିରେ ୱାର୍ଡ ସମ୍ମୁଖରେ ଯୁବ କଂଗ୍ରେସ, ବିଜେଡି ଏବଂ ନବବିର୍ମାଣ କୃଷକ ସଂଗଠନର କର୍ମୀ ଧାରଣାରେ ବସିଥିଲେ । ଏହି ସମୟରେ ବିଜେପି ଯୁବ କର୍ମକର୍ତ୍ତା ସେଠାରେ ପହଞ୍ଚିବା ପରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା । ଉଭୟପକ୍ଷ ପରଷ୍ପରର ଗୋହି ଖୋଳିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ୧୫ ଜଣ ବିଜେଡି ଓ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ଣ୍ଣ ୱାର୍ଡ ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ କମିସନରେଟ୍ ପୁଲିସ ପକ୍ଷରୁ ୧୬୩ ଧାରା ଜାରି କରାଯାଇଥିଲା ।
ଶେଷ ଖବର ଅନୁଯାୟୀ, ନାବାଳିକାଙ୍କୁ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତି କାର୍ଯ୍ୟ ସରି ଆସିଲାଣି । ସାଢ଼େ ୧୨ଟା ସୁଦ୍ଧା ତାଙ୍କୁ ଗୀନ୍ କରିଡରରେ ବିମାନ ବନ୍ଦର ନିଆଯାଇ ଏୟାରଲିଫ୍ଟ କରାଯିବ ।
ସେପଟେ ନାବାଳିକାଙ୍କୁ ଅପହରଣ କରି ଜାଳି ଦେଇଥିବା ଦୁର୍ବୃତ୍ତମାନଙ୍କର ଏ ପର୍ଯ୍ୟନ୍ତ ଟେର୍ ପାଇପାରିନି ପୁଲିସ । ଅପରାଧୀଙ୍କୁ ତୁରନ୍ତ ଗିରଫ ଦାବିରେ ଦିନ ୧୧ଟାରେ ବିଜେଡି ପକ୍ଷରୁ ବଳଙ୍ଗା ଥାନା ଘେରାଉ କରାଯାଉଛି ।