ମୋଦୀଙ୍କ ସହ କଥା ହେଲେ ନବୀନ
ଭୁବନେଶ୍ୱର: ବାହାନଗାଠାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କର ମୃତୁ୍ୟ ହୋଇଥିବା ସରକାରୀ ଭାବେ କୁହାଯାଇଛି । ୧୬ ଘଣ୍ଟାର ଅପରେସନରେ ବଗି ତଳୁ ଏବଂ ଟ୍ରେନ୍ ଲାଇନ୍ ଉପରେ ବିକ୍ଷିପ୍ତ ଭାବେ ପଡ଼ିଥିବା କୁଢ଼ କୁଢ଼ ଶବକୁ ଉଦ୍ଧାର କରାଯାଇଥିଲା । ଗତକାଲି କିଛି ମୃତ ଶରୀରକୁ ତାଙ୍କ ନିକଟ ସମ୍ପର୍କୀୟମାନେ ଚିହ୍ନଟ କରି ନେଇଯାଇଥିବା ବେଳେ ୨୦୦ରୁ ଅଧିକ ଶବ ବାହାନଗା ହାଇସ୍କୁଲ ପରିସରରେ ରଖାଯାଇଥିଲା । ପ୍ରବଳ ତାତି ଯୋଗୁଁ ଶବଗୁଡ଼ିକ ପଚିବା ଆରମ୍ଭ କରିବାକୁ ବାଲେଶ୍ୱର ସହର ଉପକଣ୍ଠ ନୋସି ବିଜନେସ୍ ପାର୍କର ଏସି ପ୍ରେକ୍ଷାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଜାଗା ଅଭାବରୁ ୧୭୦ ଶବକୁ ଭୁବନେଶ୍ୱର ଅଣାଯାଇଛି । ଏମସ୍ ସମେତ ବିଭିନ୍ନ ହସ୍ପିଟାଲ୍ ର ଶବ ସଂରକ୍ଷଣ ଗୃହରେ ସେଗୁଡ଼ିକୁ ରଖାଯାଇଛି ।
ଶବ ଚିହ୍ନଟ ଏବଂ ସମ୍ପର୍କୀୟଙ୍କୁ ହସ୍ତାନ୍ତର ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସମ୍ପର୍କୀୟମାନେ ହସ୍ପିଟାଲ୍ ବୁଲି ସେମାନଙ୍କ ଆତ୍ମୀୟଙ୍କ ଶବ ଖୋଜିବାକୁ ପଡ଼ିବନି । ବିଏମସି ୱେବସାଇଟ୍ ରେ ମୃତକଙ୍କ ଫଟୋ ଓ ବିବରଣୀ ସ୍ଥାନିତ ହେବ । ବିଏମସି ପକ୍ଷରୁ ଏକ ହେଲ୍ପ ଲାଇନ୍ ନଂ ୧୯୨୯ ଜାରି କରାଯାଇଛି । ଆତ୍ମୀୟଙ୍କ ଶବ ଖୋଜୁଥିବା ସମ୍ପର୍କୀୟମାନେ ଏହି ହେଲପଲାଇନ୍ କୁ ଫୋନ୍ କଲେ ମୃତଦେହ କେଉଁଠି ଅଛି ଜାଣିପାରିବେ । ସମ୍ପର୍କୀୟ ଚାହିଁଲେ ଭୁବନେଶ୍ୱରରେ ମୃତଦେହ ସଂସ୍କାର ପରିପାରିବେ । ଏଥିପାଇଁ ବିଏମସି ସହଯୋଗ କରିବ ବୋଲି କମିସନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।
ଅନ୍ୟପକ୍ଷରେ ରେଳବାଇ ପକ୍ଷରୁ ଚେନ୍ନାଇକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି । ଆଜି ଦିନ ୧ଟାରେ ଭଦ୍ରକରୁ ଏହା ଚେନ୍ନାଇ ଅଭିମୁଖେ ବାହାରିବ । କଟକ, ଭୁବନେଶ୍ୱର ସମେତ ସବୁ ମୁଖ୍ୟ ଷ୍ଟେସନରେ ଏହା ରହିବ । ଟ୍ରେନରେ ପାର୍ସଲ୍ ଭ୍ୟାନର ବ୍ୟବସ୍ଥା କରାଯାଇଛି । ଏହି ପାର୍ସଲ୍ ଭ୍ୟାନ୍ ରେ ମୃତଦେହ ନେଇ ହେବ । ସୂଚନାଥାଉକି, ମୃତକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ପଶ୍ଚିମବଙ୍ଗ, ଓଡ଼ିଶା, ଚେନ୍ନାଇ ଏବଂ ଆନ୍ଧ୍ରର । ତେବେ ଓଡ଼ିଶାର କମ୍ ଅଛନ୍ତି ।
ସେପଟେ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ଓ ବଗି ସଫା କାମ ଶେଷ ହୋଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରୁଛନ୍ତି । ଶେଷ ମୁହୁର୍ତ୍ତରେ ବଗି ତଳେ ଚାପି ହୋଇ ରହିଥିବା ଆଉ ୭ ଟି ଶବ ଗତ ରାତିରେ ଉଦ୍ଧାର କରାଯାଇଥିଲା । ରେଳ ଲାଇନ୍ ଆଖପାଖରେ ଧ୍ୱଂସ ବିଧ୍ୱସ୍ତ ଅବସ୍ଥାରେ ପଡ଼ିଥିବା ୨୧ଟି ଯାକ ବଗିକୁ ଉଠାଇ ଦିଆଯାଇଛି । କ୍ଷତିଗ୍ରସ୍ତ ରେଳ ଲାଇନ୍ ର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ହଜାରରୁ ଅଧିକ କର୍ମଚାରୀ ଏବଂ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ସାରା ବିଶ୍ୱକୁ ସ୍ତବ୍ଧ କରିଥିବା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କୁ ଉଦ୍ଧାର ଓ ଆହତମାନଙ୍କୁ ହସ୍ପିଟାଲ୍ ବୋହି ଆବଶ୍ୟକୀୟ ଚିକିତ୍ସା ସୁବିଧା ବ୍ୟବସ୍ଥା କରିବାରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସବୁଆଡୁ ପ୍ରଶଂସା କରାଯାଇଛି । ଏହି ମହାବିପଦ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ମଧ୍ୟ ସବୁଆଡୁ ପ୍ରଶଂସା ମିଳୁଛି । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଆଉ ଏକ ମାନବୀୟ ପଦକ୍ଷେପ ନେଇଛନ୍ତି ।
ଦୁର୍ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିଭଳି ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ଦିଆଯିବ । ଏଥିସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଫୋନ୍ କରି ଦୁର୍ଘଟଣା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ସେହି ଅନୁଯାୟୀ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ସଙ୍କଟ ବେଳେ ଓଡ଼ିଶା ସରକାର ଏବଂ ଓଡ଼ିଶାବାସୀଙ୍କ ତ୍ୱରିତ୍ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।