ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାସ୍ଥଳରୁ ବଗି ସଫା କାର୍ଯ୍ୟ ସରିବା ପରେ ଲାଇନ୍ ମରାମତି କାର୍ଯ୍ୟ ଜୋରଦାର ଚାଲିଛି । ଯଥାଶୀଘ୍ର ଏହି ଲାଇନ୍ ରେ ରେଳ ଚଳାଚଳ ସ୍ୱାଭାବିକ କରିବାକୁ ରେଳବାଇ ପକ୍ଷରୁ ଉଦ୍ୟମ କରାଯାଉଛି । ତେବେ ବର୍ତ୍ତମାନ ଟ୍ରେନ୍ ବନ୍ଦ ଯୋଗୁଁ କୋଲକତା ଯିବା କଷ୍ଟକର ହୋଇପଡ଼ିଛି । ଘରୋଇ ବସ୍ ରେ ଚଢ଼ା ଦର ଦେଇ ଲୋକମାନଙ୍କୁ କୋଲକତା ଯିବାକୁ ପଡୁଛି । ଜନସାଧାରଣଙ୍କ ଏହି ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକତା ଯିବା ପାଇଁ ଲୋକଙ୍କୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ । ଅର୍ଥାତ୍ ଏହି ତିନୋଟି ଜାଗାରୁ କୋଲକତା ଯାଉଥିବା ବସ୍ ରେ ଲୋକମାନେ ବିନା ଟିକେଟ୍ ରେ ଯାତ୍ରା କରିପାରିବେ । ଆଜିଠାରୁ ଏହା କାର୍ଯ୍ୟକାରୀ କରାଯାଇଛି । ବାଲେଶ୍ୱର ରୁଟ୍ ରେ ରେଳ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଲୋକଙ୍କୁ ଏହି ସୁବିଧା ମିଳିବ ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ । ସୂଚନାଥାଉକି, ପୁରୀ, ଭୁବନେଶ୍ୱର ଏବଂ କଟକରୁ ଦୈନିକ ୫୦ଟି ବସ୍ କୋଲକତା ଯାଉଛି ।
ଯେଉଁ ଯାତ୍ରୀମାନେ ଅଗ୍ରୀମ ଟିକେଟ କିଣିଛନ୍ତି ଯାତ୍ରା ଆରମ୍ଭ ପୂର୍ବରୁ ସେମାନେ ବସ୍ ଷ୍ଟାଣ୍ଡରେ ଥିବା ଟିକେଟ କାଉଣ୍ଟରରୁ ସେଇ ଟଙ୍କା ଫେରସ୍ତ ନେଇପାରିବେ । ଯେ କୌଣସି ସହାୟତା ପାଇଁ ଯାତ୍ରୀମାନେ ପ୍ରଦତ୍ତ ବସ୍ ଆସୋସିଏସସନ୍ ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ । ଆବଶ୍ୟକ ପଡ଼ିଲେ ପୁରୀ, ଭୁବନେଶ୍ୱର ଏବଂ କଟକର ଆରଟିଓମାନଙ୍କ ସହ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।







