ଭୁବନେଶ୍ୱର: ଯୁବ ଆଇପିଏସ୍ ଅଫିସର ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ଇସ୍ତଫା ଦେଇଛନ୍ତି । ୨୦୧୩ ବ୍ୟାଚ୍ ର ଏହି ୩୭ ବର୍ଷୀୟ ଆଇପିଏସ୍ ଅଫିସରଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ବିସ୍ମିତ କରିଛି । ୨୫ ଦିନ ତଳୁ ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟ ସରକାରଙ୍କ ପାଖକୁ ପଠାଇ ଦେଇଥିବା ଜଣାପଡ଼ିଛି । ମାତ୍ର ସରକାର ତାଙ୍କର ଇସ୍ତଫାପତ୍ରକୁ ଏ ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି । ନିୟମାନୁଯାୟୀ ରାଜ୍ୟ ସରକାର ତାଙ୍କର ଇସ୍ତଫାପତ୍ର ଗ୍ରହଣ କଲା ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଇବେ । ମୀନାଙ୍କ ଇସ୍ତଫା ଖବରକୁ ଡିଜି ୱାଇ.ବି ଖୁରାନିଆ ଆଜି ସ୍ପଷ୍ଟ କରିଥିଲେ ।
ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଶ୍ରୀ ମୀନା ନିଜେ ଗଣମାଧ୍ୟମକୁ କହିଛନ୍ତି । ତାଙ୍କର ଇସ୍ତଫାର କାରଣକୁ ନେଇ ଅଯଥା ଚର୍ଚ୍ଚା କରିବାକୁ ସେ ନାପସନ୍ଦ କରିଛନ୍ତି । ଚାକିରି ଛାଡ଼ିବାକୁ ସେ ଦୀର୍ଘ ଦିନ ତଳୁ ଚିନ୍ତା କରିଥିଲେ । ପରିବାର ଓ ବନ୍ଧୁମାନଙ୍କ ସହ ବିଚାରବିମର୍ଷ କରି ଶେଷରେ ଏହି ନିଷ୍ପତ୍ତିି ନେଇଛନ୍ତି । ଓଡ଼ିଶାରେ କାମ କରି ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିବା ସହ ବିଭିନ୍ନ ପଦବୀରେ ଲୋକଙ୍କ ସେବା କରିବା ପାଇଁ ରାଜ୍ୟ ସରକାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ଏକ ଘରୋଇ ସଂସ୍ଥାରେ ଚାକିରି କରିବାକୁ ସେ ମନସ୍ଥ କରିଥିବା କୁହାଯାଉଛି ।
୨୦୧୩ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଜଗମୋହନ ମୀନାଙ୍କ ଘର ରାଜସ୍ଥାନରେ । ସେ ଜଣେ ଆଇଆଇଟି ଡିଗ୍ରୀ ଧାରୀ । ଗଞ୍ଜାମ ଜିଲ୍ଲାରେ ଟ୍ରେନିଂ ସାରିଲା ପରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏସଡିପିଓ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ମାଲକାନଗିରି, ଅନୁଗୁଳ ଏବଂ ଗଞ୍ଜାମରେ ଏସପି ଭାବେ କାର୍ଯ୍ୟ କରିଥିଲେ । ୨୦୨୪ରେ କଟକ ଡିସିପି ଭାବେ ଯୋଗଦେଇଥିଲେ । ୨୦୨୫ ଫେବ୍ରୁଆରୀରେ ଭୁବନେଶ୍ୱର ଡିସିପି ଭାବେ ବଦଳି ହୋଇ ଆସିଥିଲେ । ସେବେଠାରୁ ଭୁବନେଶ୍ୱରରେ କାର୍ଯ୍ୟରତ ଅଛନ୍ତି । ଆଉ ୬ ମାସ ପରେ ଡିଆଇଜି ଭାବେ ତାଙ୍କର ପଦୋନ୍ନତି ହେବାର ଥିଲା ।
ଜଣେ ଦକ୍ଷ ପୁଲିସ ଅଫିସର ଭାବରେ ତାଙ୍କର ସୁନାମ ରହିଛି । ମାତ୍ର ୧୩ ବର୍ଷର ଚାକିରି କାଳରେ ପୁଲିସ ପଦକ(ଗାଲାଣ୍ଟ୍ରି), ପୁଲିସ ଆନ୍ତ୍ରିକ ସେବା ପଦକ ଏବଂ ରାଜ୍ୟପାଳ ପଦକ ଭଳି ତିନି ତିନିଟା ସମ୍ମାନ ଜନକ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି । ଆଇପିଏସ୍ ଭଳି ଚାକିରିରେ ସଫଳତାର ସିଢ଼ି ଚଢ଼ି ଚାଲିଥିବା ଜଣେ ୩୭ ବର୍ଷୀୟ ଯୁବ ଅଫିସରଙ୍କର ଚାକିରି ପ୍ରତି କାହିଁକି ବିତୃଷ୍ଣା ଆସିଲା ତାହା ସମସ୍ତଙ୍କ ପାଇଁ ଅବୁଝା ହୋଇଛି ।
ମୀନାଙ୍କ ଆଇପିଏସ୍ କ୍ୟାରିୟର୍ ର ସବୁଠାରୁ କଠିନ ମୁହୂର୍ତ୍ତ ଥିଲା ବାଲିଅନ୍ତା ସୌମ୍ୟରଂଜନ ସ୍ୱାଇଁ ହତ୍ୟାକାଣ୍ଡ । ରେଳବାଇ ପୁଲିସ କନେଷ୍ଟବଳ ଭାବେ ଚାକିରି କରିଥିବା ସୌମ୍ୟ ଭିଡ଼ହତ୍ୟାର ଶିକାର ହୋଇଥିଲେ । ଭୁବନେଶ୍ୱର ଡିସିପି ଭାବେ ମୀନାଙ୍କୁ ସେଥିପାଇଁ ବଦନାମ ସହିବାକୁ ପଡ଼ିଥିଲା । କମିସନରେଟ୍ ପୁଲିସର କାର୍ଯ୍ୟନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସନ୍ତୋଷ ଝାଡ଼ିଥିଲେ । ବାଲିଅନ୍ତା ଘଟଣା ଶ୍ରୀ ମୀନାଙ୍କୁ ମଧ୍ୟ ବିଚଳିତ କରିଥିଲା । ତାଙ୍କ କ୍ୟାରିୟର୍ ଭିତରେ ଏହି ଚାପ ଓ ଦାଗକୁ ସେ ଗ୍ରହଣ କରିପାରି ନ ଥିବା କୁହାଯାଉଛି । ମୀନାଙ୍କ ଇସ୍ତଫା ପଛରେ ଏହା ମଧ୍ୟ ଏକ କାରଣ ହୋଇପାରିଥାଏ ବୋଲି ଚର୍ଚ୍ଚା ହେଉଥିଲା ବେଳେ ତାଙ୍କର ଇସ୍ତଫା ନିଷ୍ପତ୍ତି ସମ୍ପୂର୍ଣ୍ଣ ବ୍ୟକ୍ତିଗତ କହି ଏହି ପ୍ରସଙ୍ଗକୁ ସେ ଏଡ଼ାଇ ଦେଇଛନ୍ତି ।
ତେବେ କାରଣ ଯାହା ବି ହେଉ, ମୀନାଙ୍କ ଭଳି ଜଣେ ଦକ୍ଷ ଯୁବ ଆଇପିଏସ୍ ଅଫିସର ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେବା ଘଟଣାକୁ ତାଙ୍କର ସହଯୋଗୀମାନେ ଆଦୌ ଗ୍ରହଣ କରିପାରୁନାହାନ୍ତି । ଦୁଇଦିନ ତଳେ ଚାଉଳିଆଗଞ୍ଜ ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିବ୍ରତ ଥିବା ପୁଲିସ ମହଲ ଏବେ ଡିସିପି ମୀନାଙ୍କ ଇସ୍ତଫା ଖବରରେ ଭାଙ୍ଗିପଡିଛନ୍ତି । ଓଡ଼ିଶା ପୁଲିସ ପାଇଁ ଏହା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।