କଟକ: ଅନୁଭବ- ବର୍ଷା ବିବାଦରେ ଆଜି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ବର୍ଷା ତାଙ୍କ ଘର ଛାଡିବା ପାଇଁ ଅନୁଭବଙ୍କ ଆବେଦନ ସପକ୍ଷରେ ଏସଡିଜେଏମ୍ କୋର୍ଟ ରାୟ ଦେଇଛନ୍ତି । ବର୍ଷା ଘରଭଡ଼ା ଦେଇ ଅଲଗା ଜାଗାରେ ରହିବେ ଏବଂ ଖର୍ଚ୍ଚ ବାବଦକୁ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟ କହିଛନ୍ତି, ଅନୁଭବଙ୍କ ପୈତୃକ ଘର ବର୍ଷା ଛାଡ଼ିବେ । ଆଉ ନିଜ ପାଇଁ ପସନ୍ଦର ଘର ଖୋଜିବେ । ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅନୁଭବ ମାସକୁ ୩୦ ହଜାର ଟଙ୍କା ଦେବେ । ପ୍ରତି ମାସ ୧୦ ତାରିଖ ଭିତରେ ଅନୁଭବ ଏହି ଟଙ୍କା ଦେବେ । ପ୍ରଥମ ମାସ ଟଙ୍କା ପାଇବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ । ନିଜ ପାଇଁ ବର୍ଷା ଘର ଖୋଜିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି । ଅନୁଭବ ବିବାହ ବିଚ୍ଛେଦ ପିଟିସନ୍ ଦେଇଥିଲା ବେଳେ ବର୍ଷା ଏହାକୁ ବିରୋଧ କରୁଛନ୍ତି । ଦୁଇବର୍ଷ ହେଲା ଦୁହିଁଙ୍କ ସମ୍ପର୍କରେ ସାଂଘାତିକ ତିକ୍ତତା ଦେଖାଦେଇଛି ଏବଂ ଅନୁଭବଙ୍କ ପରିବାର ବିରୋଧରେ ବର୍ଷା ଘରୋଇ ହିଂସା ଅଭିଯୋଗ ବି ଆଣିଛନ୍ତି । ଏତେସବୁ ପରେ ବି ବୋହୁର ଅଧିକାରକୁ ଛାଡ଼ିନାହାନ୍ତି ବର୍ଷା । ଅନୁଭବଙ୍କ ଘରେ ,ରହୁଛନ୍ତି । ଅନ୍ୟପକ୍ଷରେ ଘରେ ଅଶାନ୍ତି ଏବଂ ପୁଲିସ ମାମଲାରୁ ଦୂରରେ ରହିବା ପାଇଁ ଅନୁଭବଙ୍କ ପରିବାର ନିଜ ଘର ଛାଡ଼ି ବର୍ଷାଧିକ କାଳ ଅନ୍ୟତ୍ର ଭଡାରେ ରହୁଛନ୍ତି ।
ତେବେ ଗୁରୁତର ଅସୁସ୍ଥ ତାଙ୍କ ବାପା, ମା’ଙ୍କୁ ସେମାନଙ୍କ ଘରେ ରହିବାର ସୁଯୋଗ ଦେବା ଏବଂ ବର୍ଷାଙ୍କୁ ସେହି ଘର ଛଡ଼ାଇବା ପାଇଁ ଅନୁଭବ ଇତିମଧ୍ୟରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ତାଙ୍କ ଆବେଦନର ବିଚାର କରିବା ପରେ ଆଜି ରାୟ ଶୁଣାଇଥିଲେ ।