ଜନସାଧାରଣ ଆମ ଉପରେ ଆସ୍ଥା ରଖିଛନ୍ତି । ଭରସା ରଖିଛନ୍ତି । ଲୋକଙ୍କୁ ନିରାଶ ହେବାକୁ ଦେବା ନାହିଁ । ସେମାନଙ୍କ ଆସ୍ଥା ଓ ଭରସାକୁ ପବିତ୍ର ଦାୟିତ୍ୱ ଭାବି ସେବା କଲେ ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିଯିବା । ନିଜ କାମ ଦ୍ୱାରା ନିଜ ନିଜ ଅଞ୍ଚଳରେ ବିକାଶର ଦୂତ ଭାବେ ନିଜର ପରିଚୟ ସୃଷ୍ଟି କରିବା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧିମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରସ୍ଥିତ କିଟ୍ ଅଡିଟୋରିୟମ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ଗୁରୁତ୍ୱ ଦେବା ସହ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ନିମନ୍ତେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ ।







