ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ନୂଆ ମୁହଁ ହୋଇଛନ୍ତି ଭକ୍ତ ଚରଣ ଦାସ । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ଏଆଇସିସି ପକ୍ଷରୁ ଆଜି ଏହି ସୂଚନା ଜାରି ହୋଇଛି । ଶରତ ପଟ୍ଟନାୟକଙ୍କ ଇସ୍ତଫା ପରେ ଗତ ଜୁଲାଇ ମାସରୁ ପିସିସି ସଭାପତି ପଦ ଖାଲି ପଡ଼ିଥିଲା ।
ପିସିସି ସଭାପତି ଚର୍ଚ୍ଚାରେ ବରିଷ୍ଠ ନେତା ଭକ୍ତ ଦାସଙ୍କ ନାଁ ସବୁଠାରୁ ଆଗରେ ଥିଲା । ପୁର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ତାରା ବାହିନୀପତିଙ୍କ ନାଁ ମଧ୍ୟ ଚର୍ଚ୍ଚା ହୋଇଥିଲା । ଜଣେ ଯୁବନେତାଙ୍କୁ ପିସିସି ଦାୟିତ୍ୱ ଦେବାକୁ ହାଇକମାଣ୍ଡ ସ୍ଥିର କରିଥିବା ମଝିରେ ଶୁଣିବାକୁ ମିଳିଥିଲା । ଏଥିରେ ନବଜ୍ୟୋତି ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ ଏବଂ ଶାନ୍ତନୁ ଆଚାର୍ଯ୍ୟଙ୍କ ନାଁ ଆସିଥିଲା । ମାତ୍ର ନିଷ୍ପତ୍ତି ନେବାରେ ହାଇକମାଣ୍ଡଙ୍କ ଅହେତୁକ ବିଳମ୍ବ ଦ୍ୱନ୍ଦ ସୃଷ୍ଟି କରିଥିଲା । ନେତୃତ୍ୱବିହୀନ କଂଗ୍ରେସର ବାର୍ ବାଜିଯାଇଥିଲା ।
ବହୁ ବିଳମ୍ବରେ ହେଲେ ମଧ୍ୟ ଶେଷରେ ସେହି ଭକ୍ତ ଦାସଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇଛନ୍ତି ହାଇକମାଣ୍ଡ । ଏ ପର୍ଯ୍ୟନ୍ତ ଲୋକଙ୍କ ଆସ୍ଥାଭାଜନ ହୋଇପାରି ନ ଥିବା ରାଜ୍ୟ ବିଜେପି ସରକାର ଏବଂ ଦୁର୍ବଳ ହୋଇଯାଇଥିବା ବିଜେଡି ବିରୋଧରେ ଲଢ଼ି କଂଗ୍ରେସର ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ତାଙ୍କୁ ଅପୂର୍ବ ସୁଯୋଗ ମିଳିଛି । ରାଜ୍ୟରେ କଂଗ୍ରେସକୁ ଲୋକ ଖୋଜୁଥିବା ବେଳେ ଭକ୍ତ ଦାସଙ୍କୁ ଅପୂର୍ବ ସୁଯୋଗ ମିଳିଛି । ଲୋକଙ୍କ ବିଶ୍ୱାସ ଫେରାଇ ଆଣିବାକୁ ତାଙ୍କର ନେତୃତ୍ୱ କେତେଦୂର ସକ୍ଷମ ହେବ ତାହା ସମୟ କହିବ ।
୬୬ ବର୍ଷୀୟ ଭକ୍ତ ଦାସ କଂଗ୍ରେସର ଜଣେ ଭେଟେରାନ୍ ଲିଡର । ଥରେ ବିଧାୟକ, ତିନି ଥର ସାଂସଦ ଏବଂ ଦୁଇଟି ବିଭାଗର କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ମଧ୍ୟ ପାଇଛନ୍ତି । ଏଆଇସିସିର ସାଧାରଣ ସମ୍ପାଦକ ଏବଂ କଂଗ୍ରେସର ଜାତୀୟ ମୁଖପାତ୍ର ଥିଲେ । ପିସିସିର କାର୍ଯ୍ୟକାରୀ ସଭାପତି ଥିଲେ । ୨୦୧୯ ଏବଂ ୨୦୨୪ ନିର୍ବାଚନ ବେଳେ ଓଡ଼ିଶା କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଥିଲେ । ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କର ସେ ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଏ ।
ଭକ୍ତ ଦାସ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ ଏବଂ ଆଇନରେ ଡିଗ୍ରୀ ହାସଲ କଲା ପରେ କିଛି ଦିନ ଓକିଲାତି କରିଥିଲେ । ଛାତ୍ରାବସ୍ଥାରୁ ହିଁ ବିଭିନ୍ନ ସାମାଜିକ ଆନେ୍ଦାଳନ ସହ ଜଡ଼ିତ ଥିଲେ । ୧୯୭୭ ମସିହାରେ ଜୟପ୍ରକାଶ(ଜେପି)ଆନେ୍ଦାଳନର ଛାତ୍ର ସଂଗଠନ ଯୁବ ଛାତ୍ର ସଂଘର୍ଷ ବାହିନୀରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ଜଙ୍ଗଲ ବଞ୍ଚାଓ ଅଭିଯାନ ଏବଂ ଚାଷୀ ଆନେ୍ଦାଳନର ନେତୃତ୍ୱ ନେଇ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ । ମାତ୍ର ୨୭ ବର୍ଷ ବୟସରେ ସେ ବିଧାୟକ ହୋଇଥିଲେ । ୧୯୮୫ ନିର୍ବାଚନରେ ଜନତା ଦଳ ଟିକେଟରେ ସେ ଭବାନୀପାଟଣା ବିଧାନସଭା ଆସନରୁ ଲଢ଼ି ବିଜୟୀ ହୋଇଥିଲେ ।
୧୯୮୯ ଲୋକସଭା ନିର୍ବାଚନରେ କଳାହାଣ୍ଡି ଆସନରୁ ଜନତା ଦଳର ପ୍ରାର୍ଥୀ ଭାବେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ପ୍ରଥମ ଥର ଲୋକସଭାକୁ ଆସିଥିବା ୩୦ ବର୍ଷର ଯୁବକ ଭକ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ । ପ୍ରଥମେ ଯୁବ ଓ କ୍ରୀଡ଼ା ବିଭାଗର ଉପମନ୍ତ୍ରୀ ଏବଂ ପରେ ତାଙ୍କୁ ରେଳ ବିଭାଗ ମିଳିଥିଲା । ରାଷ୍ଟ୍ରମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ । ୧୯୯୬ ନିର୍ବାଚନରେ ସେ ସମତା ପାର୍ଟି ଟିକେଟରେ କଳାହାଣ୍ଡି ଲୋକସଭା ଆସନରୁ ଦ୍ୱିତୀୟ ଥର ବିଜୟୀ ହୋଇଥିଲେ । ପରେ କଂଗ୍ରେସରେ ଯୋଗଦେଇଥିଲେ ଏବଂ ୨୦୦୯ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରୁ ତୃତୀୟ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
ଦଳରେ ସମସ୍ତଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବି ବୋଲି ନବନିଯୁକ୍ତ ସଭାପତି ଭକ୍ତ ଦାସ ବିଭିନ୍ନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହ ସମସ୍ତଙ୍କ ସହଯୋଗ ଲଢ଼ିଛନ୍ତି ।