ଭୁବନେଶ୍ୱର: ୧୦ ବର୍ଷ ତଳେ ଜଣେ ପୁଲିସ ଏସଆଇଙ୍କୁ ବାଡ଼େଇଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ ଏବେ ଆଇନ ଜାଲରେ ପଡ଼ିଛନ୍ତି । ଉକ୍ତ ମାମଲାରେ ତାଙ୍କ ବିରୋଧରେ ଆଜି କଟକ ସ୍ୱତନ୍ତ୍ର ଏମପି/ଏମଲଏଏ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି । ଆଇପିସି ଦଫା ୩୪୧, ୩୨୩, ୨୯୪, ୩୫୩, ୫୦୬ ରେ ପୁଲିସ ଚାର୍ଜଫ୍ରେମ କରିଛି ।
ଘଟଣା ଘଟିଥିଲା ୨୦୧୧ ମସିହା ଜାନୁଆରୀ ୨୩ରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସେଦିନ କଟକ ଗସ୍ତ କାର୍ଯ୍ୟକ୍ରମ ଥିଲା । ନେତାଜୀ ମୁ୍ୟଜିୟମ୍ ପରିଦର୍ଶନରେ ମୁଖ୍ୟମନ୍ତ୍ରୀ ଆସିଥିଲେ । ଏକ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ମହତାବ ଉପସ୍ଥିତ ଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଏସଆଇଙ୍କ ଉପରେ କୌଣସି କାରଣରୁ ସାଂସଦ ଉତକ୍ଷିପ୍ତ ହୋଇ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । ଅଭିଯୋଗକାରୀ ସଂପୃକ୍ତ ପୁଲିସ ଏସଆଇ ହେଉଛନ୍ତି ବର୍ତ୍ତମାନର ଏସିପି ଅମିତାଭ ମହାପାତ୍ର । ସାଂସଦ ତାଙ୍କୁ ଚାପୁଡ଼ା ମାରିଥିବା ନେଇ ଦରଘାବଜାର ଥାନାରେ ଏତଲା ଦେଇଥିଲେ । ଏହି ଅଭିଯୋଗକୁ ସାଂସଦ ଅସ୍ୱୀକାର କରିଥିଲେ ମଧ୍ୟ ପୁଲିସ ଗମ୍ଭୀରତାର ସହ ନେଇ ତଦନ୍ତ କରିଥିଲା ।