ଭୁବନେଶ୍ୱର: ନବୀନ ନିବାସରେ ୧୮ ତାରିଖରୁ ନିର୍ବାଚନମଣ୍ଡଳୀୱାରୀ ସାଂଗଠନିକ ସମୀକ୍ଷା ବୈଠକ ଆରମ୍ଭ କରିଛି ବିଜେଡି । ପ୍ରଥମ ଦିନ ସକାଳେ ଶ୍ରୀକ୍ଷେତ୍ର ପୁରୀ ଲୋକସଭା କ୍ଷେତ୍ର ଏବଂ ଅପରାହ୍ନରେ ଶ୍ରୀ ବଳଦେବଜୀଉଙ୍କର କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ସମୀକ୍ଷା ବୈଠକ କରିଥିଲେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟିଯାକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରର ସମ୍ଭାବ୍ୟ ପ୍ରାର୍ଥୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା ।
୨୦ ତାରିଖରେ କୋରାପୁଟ ଏବଂ ନବରଙ୍ଗପୁରର ପାଳି ପଡ଼ିଥିଲା ବେଳେ ଆଜି ୨୧ ତାରିଖରେ ବ୍ରହ୍ମପୁର, ଆସ୍କା, କନ୍ଧମାଳ ଏବଂ ଭୁବନେଶ୍ୱର କ୍ଷେତ୍ରକୁ ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏବଂ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ପ୍ରତି ବୈଠକରେ ଉପସ୍ଥିତ ରହୁଛନ୍ତି ।
ମୁଖ୍ୟତଃ ତିନୋଟି ପ୍ରସଙ୍ଗ ଉପରେ ଫୋକସ୍ କରାଯାଉଛି । ପ୍ରଥମ ହେଉଛି ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀତ୍ୱ । ଯେଉଁଠି କନ୍ଦଳ ଅଛି ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉଛି । ଦ୍ୱିତୀୟରେ ସାଂଗଠନିକସ୍ତରରେ ରହିଯାଇଥିବା ଛୋଟମୋଟ ବିଭେଦ ଏବଂ ପରିଚାଳନାଗତ ବିଭ୍ରାଟର ସମାଧାନ କରାଯାଉଛି । ତୃତୀୟରେ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଟାକ୍ସ । ଏଥିପାଇଁ ଅଞ୍ଚଳରେ ରହି ଏହି ଦୁଇମାସ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିବାକୁ ନିଦେ୍ର୍ଦଶ ଦିଆଯାଉଛି ।
ଏହିକ୍ରମକୁ ଦେଖିଲେ ବିଜେଡି ସୁପ୍ରିମୋ କୌଣସି ନେତାଙ୍କୁ ଫୁରସତ୍ ଦେବାର ନାହିଁ । ସମସ୍ତଙ୍କ ଉପରେ ଉତ୍ତର ଦାୟିତ୍ୱ ଛାଡ଼ି କଡ଼ାଗଣ୍ଡା ହିସାବ ଖାତା ଧରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରିବାରେ ଶ୍ରୀ ପାଣ୍ଡିଆନ୍ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସବୁ ନିର୍ବାଚନମଣ୍ଡଳୀର ଟିକନିକ ହିସାବ ଏବଂ ଗୁଇନ୍ଦା ରିପୋର୍ଟ ଧରି ସେ ନବୀନ ନିବାସରେ ବସିଛନ୍ତି । ତାଙ୍କ ଜାଲରୁ କିଏ ଖସିବାର ସୁଯୋଗ ସେ ରଖିନାହାନ୍ତି । ଦଳ ଶୃଙ୍ଖଳିତ ଭାବେ ନିର୍ବାଚନ ଲଢ଼ି ଲକ୍ଷ୍ୟ ହାସଲ କରିବ ଏହା ହିଁ ଏକମାତ୍ର ନିର୍ଦ୍ଦେଶ । ଏଥିପାଇଁ ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡ଼ି ହୋଇ ସାଂଗଠନିକ କାର୍ଯ୍ୟକ୍ରମର ଧାରା ବ୍ୟାପକ କରିବାକୁ କୁହାଯାଇଛି ।
ଅନ୍ୟପକ୍ଷରେ ବିଜେପିର ନିର୍ବାଚନ ରଣନୀତି ଏବଂ ଟିକେଟ୍ କସରତ୍ ଦିଲ୍ଲୀରେ କେନ୍ଦ୍ରୀଭୂତ ରହିଯାଇଛି । ସମ୍ଭାବ୍ୟ ମେଣ୍ଟ ଆଲୋଚନା ଏବଂ ଏକାକୀ ଲଢ଼ିବାର ଅଙ୍କ ଛିଣ୍ଡାଇବା ପାଇଁ ହାଇକମାଣ୍ଡଙ୍କ ଡାକରାରେ ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରେ ଡେରା ପକାଇଛନ୍ତି । ମଝିରେ ମଝିରେ ଭୁବନେଶ୍ୱର ଆସି ପୁଣି ପଳଉଛନ୍ତି । ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ଏବଂ ସହପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ଦିଲ୍ଲୀ-ଭୁବନେଶ୍ୱର ଏପଟ ସେପଟ ହେଉଛନ୍ତି । ସମସ୍ତଙ୍କ ନଜର ରହିଛି ଦିଲ୍ଲୀ ଉପରେ । ସୁତରାଂ ଭୁବନେଶ୍ୱରରେ ଦଳୀୟ ନେତା ଓ କର୍ମୀଙ୍କର କୋଳାହଳ ନାହିଁ କି ନିର୍ବାଚନ ମାହୋଲ ନାହିଁ ।
ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଆସିପାରେ । ସେହିଭଳି ମେଣ୍ଟ ଆଶା କ୍ଷୀଣ ହୋଇଥିବାରୁ ୧୦୦ ବିଧାନସଭା ଆସନ ପ୍ରାର୍ଥୀ ତାଲିକା ଉପରେ ମୋହର ଲଗାଇ ମନମୋହନ ଓଡ଼ିଶା ଫେରିପାରନ୍ତି ।
ଏହାବାଦ୍ ରାଜ୍ୟ ବିଜେପିରେ ଆଖିଦୃଶିଆ ସାଂଗଠନିକ କସରତ୍ ନାହିଁ । ତୃଣମୂଳସ୍ତରରେ ସାଂଗଠନିକ ପ୍ରସ୍ତୁତି ଯେଭଳି ହେବା କଥା ନାହିଁ । ରାଜ୍ୟ ନେତାମାନେ ପ୍ରେସମିଟ୍ ରେ ନିଜ କାର୍ଯ୍ୟକ୍ରମକୁ ପୂର୍ବ ଭଳି ସୀମିତ ରଖିଦେଇଛନ୍ତି । ମୋଦୀ ହାୱାରେ ସେମାନେ ନିଜକୁ ଏବେଠାରୁ ଭସେଇ ଦେଇଛନ୍ତି । ବିନା ପରିଶ୍ରମରେ ମୋଦୀ ହାୱାରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ଅଧିକାଂଶ ନେତା ବ୍ୟାକୁଳ ହୋଇଛନ୍ତି । ଆଗକୁ ଏହି ସ୍ୱପ୍ନ ପୂରଣ ହେଉଛି ନା ନାହିଁ ଦେଖିବାକୁ ପଡ଼ିବ ।