ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନ ଦ୍ୱାରା ଓଡ଼ିଶାର ଖଣି ଖାଦାନ ଉପରୁ ପ୍ରଭୁତ୍ୱ ଛଡ଼ାଇ ନେଇଛନ୍ତି କେନ୍ଦ୍ର ସରକାର । ଏବେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ ଉଦ୍ୟୋଗୀଙ୍କ ହାତରେ ଟେକି ଦେବାକୁ ବାଟ ଖୋଲି ଦିଆଯାଇଛି । ଏହାକୁ ଲିଜ୍ ସୂତ୍ରରେ ଦେବା ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦର ଖୁବ୍ ଶୀଘ୍ର ଆଦାନୀ କିମ୍ବା ଜିଏମଆର୍ ଗ୍ରୁପ୍ ଅଧୀନକୁ ଚାଲିଯିବ ବୋଲି ଅନୁମାନ କରାଯାଉଛି ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସହ ସାରା ଦେଶରୁ ମୋଟ ୧୧ଟି ବିମାନବନ୍ଦରକୁ ଲିଜ୍ ରେ ଦେବାକୁ ଅନ୍ତଃ-ମନ୍ତ୍ରୀସ୍ତରରେ ବ୍ୟାପକ ଆଲୋଚନା ପରେ ନୀତିଗତ ମଞ୍ଜୁର ପ୍ରଦାନ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦର ସହିତ କର୍ଣ୍ଣାଟକର ହୁବଲି ବିମାନବନ୍ଦରକୁ ଯୋଡ଼ାଯାଇଛି । ଦେଶରେ ଥିବା ପ୍ରାୟ ୪୫୦ ଏୟାରପୋର୍ଟ/ଏୟାରଷ୍ଟ୍ରିପ୍ ମଧ୍ୟରୁ ସବୁଠୁ ଅଧିକ ଲାଭ କରୁଥିବା ୮ଟି ବିମାନବନ୍ଦର ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦର ଅଛି । ଗତ ଆର୍ଥିକ ବର୍ଷରେ ଏହି ବିମାନବନ୍ଦର ୫୧.୩ ଲକ୍ଷ ଯାତ୍ରୀ ପରିଚାଳନା କରିଥିଲା ବେଳେ ୯୬୨୩ ଟନ୍ ପଣ୍ୟ ପରିବହନ କରିଥିଲା । ଭୁବନେଶ୍ୱରରୁ ପ୍ରାୟ ୩୦ଟି ସ୍ଥାନକୁ ସଂଯୋଗ ରହିଛି ।
ଅଧିକରୁ ଅଧିକ ବିମାନବନ୍ଦର ପାଇଁ ବିଡ୍ ଦାଖଲ କରିବାକୁ ଆଦାନୀ ଗ୍ରୁପ୍ ଚାହିଁ ବସିଥିବା ବେଳେ ଭୁବନେଶ୍ୱର ଭଳି ଏକ ଲାଭଜନକ ବିମାନବନ୍ଦରର ଘରୋଇକରଣ ନିଷ୍ପତ୍ତିକୁ ନେଇ ସାରା ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡି ଏବଂ କଂଗ୍ରେସ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି ।
ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇ କାହା ସ୍ୱର୍ଥରେ ଘରୋଇକରଣ ବୋଲି ପ୍ରଶ୍ନ କରାଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପେଟନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ବିମାନ ବନ୍ଦରକୁ ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରିବା ଅତ୍ୟନ୍ତ ନିନ୍ଦନୀୟ । ଯେଉଁ ସରକାରୀ ସଂସ୍ଥାର ଲାଭ ହୋଇନଥାଏ, ତାହାକୁ ଘରୋଇ ସଂସ୍ଥାକୁ ଲିଜ୍ ପ୍ରଦାନ କରାଯାଇଥାଏ । କିନ୍ତୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାରତର ଏକ ଲାଭନ୍ୱିତ ବିମାନ ବନ୍ଦର । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ୫୦୦୦ରୁ ୭୦୦୦କୋଟି ଟଙ୍କାର ହେବ । ଉକ୍ତ ବିମାନ ବନ୍ଦର ଦ୍ୱାରା ବର୍ଷକୁ ପ୍ରାୟ ୫୦ ଲକ୍ଷ ଲୋକେ ଗମନାଗମନ କରିଥାଆନ୍ତି । ୨୦୨୨-୨୩ରେ ଉକ୍ତ ବିମାନ ବନ୍ଦରରୁ କେନ୍ଦ୍ର ସରକାର ୨୩୮କୋଟି ଟଙ୍କାର ଲାଭ ପାଇଥିଲେ । ଆଗକୁ ଏହା ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର ଲାଭ ପ୍ରଦାନ କରିବ ।
ଏହାର ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଯୋଗଦାନ ରହିଛି । କିନ୍ତୁ ତାହାକୁ ୫୦ ବର୍ଷ ପାଇଁ ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରିବା ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଉନ୍ନତିକରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ସହ ଅଧିକ ଟର୍ମିନାଲ ନିର୍ମାଣ କରିବା ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ବିମାନ ବନ୍ଦରର ଉନ୍ନତି ନିମନ୍ତେ ଟଙ୍କା ବିନିଯୋଗ କରିଲେ ଆହୁରି ଲାଭାନ୍ୱିତ ହେବେ । ତେବେ ତାହା ନକରି ଏକ ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରି ବିମାନବନ୍ଦରକୁ ଲିଜ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କାହା ସ୍ୱାର୍ଥରେ ବିମାନ ବନ୍ଦର ଘରୋଇକରଣ କରାଇବାକୁ ବିଜେପି ସରକାର ପ୍ରୟାସ କରୁଛନ୍ତି ? କେନ୍ଦ୍ର ବିଜେପି ସରକାର ତୁରନ୍ତ ଏହି ଆଦେଶକୁ ରଦ୍ଦ କରନ୍ତୁ । ନଚେତ୍ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ବିଜୁ ଜନତା ଦଳ ଜୋରଦାର ଆନ୍ଦୋଳନ କରିବ ।
ପିସିସି ଉପସଭାପତି ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ବିଜୁ ବାବୁଙ୍କ ନାଁରେ ଥିବା ବିମାନବନ୍ଦର ବର୍ଷକୁ ଦୁଇଶହ କୋଟିରୁ ଚାରିଶହ କୋଟି ଲାଭ ଦେଉଥିବା ବେଳେ ସରକାର ଘରୋଇ କରଣ କରିବାକୁ ଚାହିଁବା ଦୁର୍ଭାଗ୍ୟଜନକ । ଏହା ପଛରେ ନିଶ୍ଚିତ ମନ୍ଦ ଉଦ୍ଦେଶ୍ୟ ରହିଛି । କିଛି ପୁଞ୍ଜିପତି ବନ୍ଧୁଙ୍କ ପାଇଁ ସରକାର ଏହି ନିଷ୍ପତ୍ତି ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ତେବେ ପରିବହନ ମନ୍ତ୍ରୀ ବିଭୂତି ଜେନା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସପକ୍ଷରେ ଓକିଲାତି କରିଛନ୍ତି । ବିମାନବନ୍ଦରଗୁଡ଼ିକର ଉନ୍ନତିକରଣ ନେଇ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି । ସବୁ ବିମାନବନ୍ଦରକୁ ଆର୍ଥିକସ୍ତରରେ ସ୍ୱଚ୍ଛଳ କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି । ଭୁବନେଶ୍ୱରକୁ ହୁବଲି ସହ ଯୋଡ଼ାଯିବା ତଥ୍ୟ ଆସୁଛି । ମାତ୍ର ଏ ସମ୍ପର୍କିତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇନାହିଁ । କିନ୍ତୁ ଯାହା ବି ନିଷ୍ପତ୍ତି ହେବ ଓଡ଼ିଶାର ସ୍ୱାର୍ଥକୁ ଆଗରେ ରଖି ନିଆଯିବ ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି ।