ଭୁବନେଶ୍ୱର: ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ପାଇଛି ନୂଆ ରୂପ । ଅତ୍ୟାଧୁନିକ ତେଜସ ରେକ୍ସ କୋଚ୍ ସହ ଗଡ଼ିଛି ଟ୍ରେନ । ଭୁବନେଶ୍ୱର ରେଳ ଷ୍ଟେସନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଘଣ୍ଟାପ୍ରତି ୧୬୦ କିମି ବେଗରେ ଗଡୁଥିବା ଏହି ଟ୍ରେନ୍ ଓଡ଼ିଶାର କଟକ, ବାଲେଶ୍ୱର ଓ ଭଦ୍ରକ ଷ୍ଟେସନ ସମେତ ମୋଟ ୧୩ଟି ସ୍ଥାନରେ ଅଟକିବ ।
ଟ୍ରେନ୍ ଅତ୍ୟାଧୁନିକ ବ୍ୟବସ୍ଥାର ଲାଟେଷ୍ଟ୍ ଭର୍ସନ୍ ହେଉଛି ତେଜସ ରେକ୍ସ । ପ୍ରବେଶ ଦ୍ୱାରଠାରୁ ପାଇଖାନା ପର୍ଯ୍ୟନ୍ତ ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ଖଞ୍ଜା ହୋଇଛି । ପ୍ରବେଶଦ୍ୱାର ସ୍ୱୟଂକୃତ ଓ ଏକକ ନିୟନ୍ତ୍ରିତ । ମୁଖ୍ୟ ପ୍ରବେଶଦ୍ୱାର ବନ୍ଦ ନ ହେଲା ପର୍ଯ୍ୟନ୍ତ ଟ୍ରେନ୍ ଗଡ଼ିବନି । ପ୍ରତି କୋଚରେ ୬ ଟି ଲେଖାଏଁ କ୍ୟାମେରା ଲାଗିଛି । ଏଥିରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ ସୁବିଧା ରହିଛି । ଯାତ୍ରୀଙ୍କ ସୂଚନା ପାଇଁ ଜିଏସଏମ ନେଟୱର୍କ ସଂଯୋଗ ରହିଛି ।
ପ୍ରତି କୋଚ୍ ରେ ଦୁଇଟି ଏଲସିଡି ଲଗାଯାଇଛି । ଏଥିରୁ ପରବର୍ତ୍ତୀ ଷ୍ଟେସନ୍, ଆଗମନ-ପ୍ରସ୍ଥାନ ସମୟ ଏବଂ ସୁରକ୍ଷା ସମ୍ବନ୍ଧୀୟ ସୂଚନା ମିଳିବ । ଜରୁରୀ ସ୍ଥିତିରେ ମେଡିକାଲ ଓ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଆଦାନପ୍ରଦାନର ମଧ୍ୟ ସୁବିଧା ରହିଛି । ଟଏଲେଟ୍ ସ୍ମେଲ୍ ସେନ୍ସର, ପ୍ୟାନିକ ସୁଇଚ୍ ର ସଂଯୋଗ, ଫାୟାର ଆଲାରାମ୍ ରହିଛି । ପ୍ରତି କୋଚ୍ ରେ ଉନ୍ନତ ସଫେଇ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ।