ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ତିନୋଟି ଅଗ୍ନିଶମ ସେବା(ଦମକଳ) କେନ୍ଦ୍ର ପ୍ରତିଷ୍ଠା ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଆଜି ଅନୁମୋଦନ କରିଛନ୍ତି । ରାଜଧାନୀର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।
ଏହି ତିନୋଟି ଦମକଳ କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ୱର ଓ ପାହାଳରେ ପ୍ରତିଷ୍ଠା କରାଯିବ । ଏଥିପାଇଁ ୪୫ ଟି ପଦବୀ ମଧ୍ୟ ଅନୁମୋଦନ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ୧୫ ଜଣ ଲେଖାଏଁ କର୍ମଚାରୀ ରହିବେ । ସେଥିରେ ଜଣେ ଷ୍ଟେସନ ଅଫିସର, ଦୁଇଜଣ ଲିଡିଂ ଫାୟାରମ୍ୟାନ୍, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।