ଭୁବନେଶ୍ୱର: ଭି.କେ.ପାଣ୍ଡିଆନଙ୍କ ଭାବମୂର୍ତ୍ତି ତିଆରି ପାଇଁ କ୍ରିଏଟିଭ୍ ଏଜେନ୍ସିମାନଙ୍କୁ କୁଆଡ଼େ ୫୦୦ କୋଟିରୁ ଅଧିକ ଟଙ୍କା ଦିଆଯାଇଥିଲା । ଏହି ଏଜେନ୍ସୀମାନେ ହେଲେ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ଏଲିନୋରା ଇମେଜ୍ ପ୍ରାଇଭେଟ୍ ଲିମିଟେଡ, ନବୀନ ବାବୁଙ୍କ ଫିଜିଓଥେରାପିଷ୍ଟ୍ ଶ୍ରଦ୍ଧାଙ୍କ ଟିସିଏମ୍, ନାନୁ ପାଣିଙ୍କ ସିଏସଏମ୍ ଟେକ୍ନୋଲୋଜି, ଯଯାତି କରଣଙ୍କ ଓମକମ୍ ଏବଂ ନୀଳାମ୍ବର ରଥଙ୍କ ଓଡିଶା ଲାଇଭ୍ ସଂସ୍ଥା । ଦୁଇ ସପ୍ତାହ ତଳେ ଏକ ଡିଜିଟାଲ୍ ସୋ’ ର ଗୁମର କଥା(ଶୁକ୍ରବାର)ରେ ଏହି ପ୍ରସଙ୍ଗ ଆସିଥିଲା । ସଂପୃକ୍ତ ସଂସ୍ଥାଗୁଡ଼ିକୁ ତତ୍କାଳୀନ ସରକାର କେମିତି ଅନୁଗୃହୀତ କରିଛନ୍ତି ତାହାର ସମ୍ୟକ ସୂଚନା ଦିଆଯାଇ ସୋମବାର ଦିନ ଏ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ଦିଆଯିବ ବୋଲି ବହୁତ ଜୋରରେ କୁହାଗଲା । ଏହା ଦେଖିବାକୁ କଦାପି ଭୁଲିବେ ନାହିଁ ବୋଲି ମଧ୍ୟ ବାରମ୍ବାର କୁହାଯାଇଥିଲା । ମାତ୍ର ଇତିମଧ୍ୟରେ ଦୁଇଟି ସୋମବାର ପଳାଇ ଯାଇଥିଲେ ମଧ୍ୟ ସେହି ଗୁମର ଖୋଲିପାରିଲା ନାହିଁ । ଦର୍ଶକଙ୍କୁ ଚାହିଁ ଚାହିଁ ନିରାଶ ହେବାକୁ ପଡ଼ିଲା । ପ୍ରସଙ୍ଗରେ ପରଦା ଢ଼ାଙ୍କିବା ପଛରେ କିଛି ରହସ୍ୟ ଅଛି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ଗୁମର କଥାରେ ଏହି ସଂସ୍ଥାମାନଙ୍କୁ ପ୍ରାୟୋଜିତ ଲୁଟେରା ଆଖ୍ୟା ଦିଆଯାଇଥିଲା । ତତ୍କାଳୀନ ସରକାରଙ୍କ ଛତ୍ରଛାୟା ଓ ଆଶୀର୍ବାଦରେ ଏମାନେ ନିଜର କାୟା ବିସ୍ତାର କରିଥିଲେ । ପାଣ୍ଡିଆନଙ୍କ ଇମେଜ୍ ବିଲଡିଂ ପାଇଁ ସରକାରୀ ରାଜକୋଷରୁ ଶହ ଶହ କୋଟି ଟଙ୍କା ଏମାନଙ୍କ ପାଖକୁ ଯାଇଥିଲା । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପଞ୍ଜୀକୃତ(ଏମପ୍ୟାନେଲ୍) ଅନେକ ସଂସ୍ଥା ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଏହି ୫ଟି ସଂସ୍ଥାକୁ କାମ ଦିଆଯାଉଥିଲା । ତାହାପୁଣି ଆଇ ଆଣ୍ଡ ପିଆର ଦରଠାରୁ କାହିଁ କେତେଗୁଣା ଅଧିକ ଦରରେ । ଏମାନଙ୍କ ଉପରେ ଖୁଦା ମେହେରବାନ୍ ପଛରେ କ’ଣ ରହିଛି କାରଣ? ସେମାନେ ଭିଡିଓ କଲେ ମାତ୍ର କେହି ଦେଖିଲେ ନାହିଁ, ଖାଲି ଟଙ୍କା ନେଇଗଲେ ବୋଲି କୁହାଯାଇଥିଲା ।
ଏହାର ବିଧିବଦ୍ଧ ତଦନ୍ତ ହେବା ଦରକାର । ନବୀନ ସରକାରରେ ଅନୁଗୃହୀତ ଏହି ସଂସ୍ଥାମାନଙ୍କର ଏଗ୍ରିମେଣ୍ଟକୁ ମୋହନ ସରକାର କାହିଁକି ରଦ୍ଦ କରିନାହାନ୍ତି? ମୋହନ ସରକାର ପାଣ୍ଡିଆନଙ୍କ ଇକୋସିଷ୍ଟମଙ୍କ ଜାଲରେ ପଡ଼ିବାକୁ ଯାଉନାହାନ୍ତି ତ ବୋଲି ପ୍ରଶ୍ନ କରାଯାଇଥିଲା?
ସୋମବାର ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଦର୍ଶକ ବିଚାରା ଅପେକ୍ଷା କରିଥିଲେ । ମାତ୍ର ଆସିଲା ନାହିଁ । ଏହାକୁ ବନ୍ଦ କରିବା ପାଇଁ ଚାପ ପଡ଼ିଲା ନା ତଥ୍ୟ ମିଳିପାରିଲା ନାହିଁ ତାହାକୁ ନେଇ ବହୁତ ଚର୍ଚ୍ଚା ହେଉଛି । ଏହାର ଉତ୍ତରକୁ ସମସ୍ତେ ଅପେକ୍ଷା କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୮ ଏପ୍ରିଲ୍ ୪ ଓ ୭ ତାରିଖରେ ‘ମିଡଡେ ଓଡିଶା’ ଏ ମର୍ମରେ ଦୁଇଟି ଖବର ପ୍ରକାଶ କରିଥିଲା । ଉପରୋକ୍ତ କ୍ରିଏଟିଭ୍ ଏଜେନ୍ସୀ ମାନଙ୍କ ମଧ୍ୟରୁ ଏକ ସଂସ୍ଥା ବିନା ରିଲିଜ୍ ଅର୍ଡରରେ ବିଜ୍ଞାପନ ଛାପି ଏବଂ ପ୍ରଡକ୍ସନ୍ କାମ କରି ଆଇ ଏଣ୍ଡ ପିଆରରୁ କିଭଳି ବିଲ୍ ପାସ୍ କରାଉଛି ତାହାର ଏକ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରକାଶ କରାଯାଇଥିଲା । ଲକ୍ଷ ଲକ୍ଷ ଟଙ୍କାର ଫଲସ୍ ବିଲ୍ ପାସ୍ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କ ଉପରେ ଖୋଦ୍ ତୃତୀୟ ମହଲାର ଜଣେ ଆଇଏଏସ୍ ଅଧିକାରୀ ଚାପ ପକାଉଥିବା ଖୋଳତାଡ଼ରୁ ଜଣାପଡ଼ିଥିଲା । ମାତ୍ର ଏହି ଖବର ଉପରେ କେହି ଗୁରୁତ୍ୱ ଦେଇ ନ ଥିଲେ । ପରବର୍ତ୍ତୀ ସମୟରେ ଏଭଳି ଭାବେ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ଏବେ ଜାଣିବାକୁ ମିଳୁଛି । ଉପଯୁକ୍ତ ତଦନ୍ତ ହେଲେ ଏହାର ପ୍ରକୃତ ତଥ୍ୟ ପଦାକୁ ଆସିପାରନ୍ତା ।
(ତଥାକଥିତ କ୍ରିଏଟିଭ୍ ଏଜେନ୍ସୀମାନଙ୍କ କାରବାରକୁ ନେଇ ଆମର ମଧ୍ୟ ଅନୁସନ୍ଧାନ ଜାରି ରହିଛି । ଉପଯୁକ୍ତ ତଥ୍ୟ ପ୍ରମାଣ ସହ ଏହାର ଗୁମର ଖୋଲିବୁ ।)