– ଅକ୍ଟୋବର ୨୮, ନଭେମ୍ବର ୩, ନଭେମ୍ବର ୭ରେ ଭୋଟ
– ନଭେମ୍ବର ୧୦ ରେ ଭୋଟଗଣତି
ନୂଆଦିଲ୍ଲୀ: ବିହାର ନିର୍ବାଚନ ତାରିଖ ଆଜି ଘୋଷଣା ହୋଇଛି । ଅକ୍ଟୋବର ୨୮ ରୁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର ୧୦ ରେ ଭୋଟଗଣତି ହେବ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍ ଆରୋରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୨୮ ରେ ପ୍ରଥମ ପର୍ଯ୍ୟାୟ, ନଭେମ୍ବର ୩ ରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ନଭେମ୍ବର ୭ ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲାର ୭୧ ବିଧାନସଭା ଆସନ, ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ବିଧାନସଭା ଆସନ ଏବଂ ତୃତୀୟ ପର୍ଯ୍ୟାୟରେ ୧୫ ଜିଲ୍ଲାର ୭୮ ବିଧାନସଭା ଆସନରେ ଭୋଟ ହେବ ।
କୋଭିଡ୍ ମହାମାରୀ ବେଳେ ପ୍ରଥମ ଥର ପାଇଁ ଦେଶରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଏଥର ଅନଲାଇନ୍ ରେ ପ୍ରାର୍ଥୀପତ୍ର ଦାଖଲ ହେବ । ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିର୍ବାଚନ ପର୍ଯ୍ୟାୟ ହ୍ରାସ୍ କରାଯାଇଥିଲା ବେଳେ ଭୋଟ ସମୟକୁ ମଧ୍ୟ ପରିବର୍ତ୍ତନ କରଯାଇଛି । ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।
ବଡ଼କଥା ହେଉଛି, କୋଭିଡ୍ ସଂକ୍ରମିତମାନଙ୍କୁ ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ଅନୁମତି ମିଳିବ । ଉଭୟ ଭୋଟ ପ୍ରଚାର ଓ ମତଦାନ ବେଳେ କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ପାଳନ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଆରୋରା କହିଛନ୍ତି ।
ବିହାର ନିର୍ବାଚନ ତାରିଖ ଘୋଷଣା ସହ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।
ସୂଚନାଯୋଗ୍ୟ, ବର୍ତ୍ତମାନ ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଜେଡ଼ିୟୁ ଏବଂ ବିଜେପି ମେଣ୍ଟ ସରକାର ଚାଲିଛି । ବିଧାନସଭାରେ ଆରଜେଡ଼ି ଆସନ ସଂଖ୍ୟା ୮୦ ଥିଲା ବେଳେ ଜେଡିୟୁ ୭୧, ବିଜେପି ୫୩, କଂଗ୍ରେସ ୨୭, ଏଲଜେପି ୨୭ ଏବଂ ଅନ୍ୟାନ୍ୟ ଦଳର ଆସନ ସଂଖ୍ୟା ରହିଛି ୧୦ ।